ଭୁବନେଶ୍ବର : ରାଜ୍ୟର ୭୫ ପ୍ରତିଶତ ଭିନ୍ନକ୍ଷମ ନିଜର ୟୁନିକ୍ ଡିଜାବିଲିଟି ଆଇଡେଣ୍ଟିଟି(ୟୁଡିଆଇଡି) ସାର୍ଟିଫିକେଟ୍ ପାଇସାରିଲେଣି। ଏହାକୁ ୯୦ ପ୍ରତିଶତକୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଅଧିକ ସଂଖ୍ୟାରେ ବିବିଏସ୍‌ଏ(ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ) କ୍ୟାମ୍ପ ଆୟୋଜନ କରିବା ଲାଗି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Advertisment

ଭିନ୍ନକ୍ଷମମାନଙ୍କୁ ୟୁଡିଆଇଡି ଜରିଆରେ ଅନ୍‌ଲାଇନ୍‌ରେ ସାର୍ଟିଫିକେଟ୍‌ ପ୍ରଦାନକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି। ଏହା ଜରିଆରେ ଭିନ୍ନକ୍ଷମମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ପାଇପାରିବେ। ଏହି ସାର୍ଟିଫିକେଟ୍‌ ପ୍ରଦାନ କରିବା ଲାଗି ରାଜ୍ୟରେ ୩୨ଟି ମେଡିକାଲ ବୋର୍ଡ ଗଠନ ହୋଇଛି। ବୋର୍ଡରେ ଥିବା ବିଶେଷଜ୍ଞ ଡାକ୍ତରଙ୍କ ଅନୁମୋଦନ ପରେ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି। ସୂଚନା ଅନୁସାରେ, ରାଜ୍ୟରେ ୧୫-୧୬ଲକ୍ଷ ଭିନ୍ନକ୍ଷମ ରହିଥିବା ଅନୁମାନ କରାଯାଉଛି। ଫେବ୍ରୁଆରି ମାସ ସୁଦ୍ଧା ୯,୮୬,୫୮୭ଜଣ ୟୁଡିଆଇଡି ପୋର୍ଟାଲରେ ଆବେଦନ କରିଥିଲେ। ତହିଁରୁ ୫,୭୪,୧୬୪ଜଣଙ୍କ ୟୁଡିଆଇଡି କାର୍ଡ ପ୍ରସ୍ତୁତ ହୋଇସାରିଛି। ୩,୪୭,୫୧୯ ଆବେଦନ ଖାରଜ ହୋଇଥିବା ବେଳେ ୬୪,୯୦୪ କାର୍ଡ ଜେନେରେଟ୍‌ ଅପେକ୍ଷାରେ ରହିଥିଲା। ଗତ ୨ମାସରେ ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। ତଥାପି ଜିଲ୍ଲାସ୍ତରରେ ଅନେକ ଆବେଦନ ପଡ଼ି ରହିଛି।

ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭିନ୍ନକ୍ଷମଙ୍କୁ ୟୁଡିଆଇଡି ସାର୍ଟିଫିକେଟ୍ ପ୍ରଦାନରେ ଓଡ଼ିଶା ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ରହିଛି। ଆସନ୍ତା ୩ମାସ ଭିତରେ କିଭଳି ଏହା ୯୦ ପ୍ରତିଶତରେ ପହଞ୍ଚିପାରିବ ସେଥିପାଇଁ ପ୍ରଚେଷ୍ଟା ଜାରି ରହିଛି। ଯାହାଫଳରେ ରାଜ୍ୟରେ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ୍‌ ପ୍ରଦାନରେ ପୂର୍ଣ୍ଣତା ଆସିପାରିବ। ଏଥିପାଇଁ ଅଧିକରୁ ଅଧିକ ବିବିଏସ୍‌ଏକ୍ୟାମ୍ପ ଓ ସିଡିଏମ୍‌ଓଙ୍କ ନିକଟରେ ପଡ଼ି ରହିଥିବା ଆବେଦନକୁ ତ୍ବରାନ୍ବିତ କରିବା ଲାଗି ନିର୍ଦେଶ ଦିଆଯାଇଛି। ଯେଉଁ ଭିନ୍ନକ୍ଷମମାନେ ୟୁଡିଆଇଡି ସଂପର୍କରେ ଜାଣି ନାହାନ୍ତି ସେମାନେ କ୍ୟାମ୍ପ୍‌କୁ ଆସି ଏଥିପାଇଁ ଆବେଦନ କରିପାରିବେ। ତେବେ ଯେଉଁ ମେଡିକାଲ ବୋର୍ଡରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି ତାହାକୁ ପୂରଣ କରିବା ଦାୟିତ୍ବ ହେଉଛି ସ୍ବାସ୍ଥ୍ୟ ବିଭାଗର। ତଥାପି ସାର୍ଟିଫିକେଟ୍‌ ପ୍ରଦାନ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।