ଖତ ଖାଉଛି ୮୨ ଶୀତଳଭଣ୍ଡାର, ନୂଆ ସୌରଚାଳିତ ଶୀତଳ ଘର ଖୋଲିବାକୁ ନିର୍ଦେଶ

ଭୁବନେଶ୍ବର : ବର୍ଷାଧିକ ସମୟ ହେଲା ରାଜ୍ୟରେ ଖତ ଖାଉଛି ୮୨ଟି ଶୀତଳଭଣ୍ଡାର। ଏଣେ ପୁଣି ପଞ୍ଚାୟତସ୍ତରରେ ନୂଆ ସୌରଚାଳିତ ଶୀତଳ ଘର (କୋଲ୍ଡ ରୁମ) ଖୋଲିବାକୁ ନିର୍ଦେଶ ଦେଇଛନ୍ତି ଉଦ୍ୟାନ ନିର୍ଦେଶକ ରୋହିତ ଲେଙ୍କା। ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଏହି ନିର୍ଦେଶ ଦିଆଯାଇଛି।

ରାଜ୍ୟ କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୩ ଲକ୍ଷ ୮୭ ହଜାର ୫୨୫ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୧୩୧ଟି ଶୀତଳଭଣ୍ଡାର ରହିଛି। ଏଥିରୁ ସରକାରୀ ଭାବରେ ସମବାୟ ବିଭାଗର ୧୮, କୃଷି, ଉଦ୍ୟାନ ବିଭାଗର ୪, ବେସରକାରୀ ୧୦୯ଟି ଶୀତଳଭଣ୍ଡାର ରହିଛି। ୮୨ଟି ଶୀତଳଭଣ୍ଡାରରେ ୧ ଲକ୍ଷ ୫୪ ହଜାର ୬୪୫ ମେଟ୍ରିକ ଟନର ପରିବା ଏବଂ ଫଳ ସଂରକ୍ଷିତ କରି ରଖିବାର ସୁବିଧା ଥାଇ ମଧ୍ୟ ଏହା କାର୍ଯ୍ୟ କରୁନାହିଁ। ଅଚଳ ଶୀତଳଭଣ୍ଡାର ମଧ୍ୟରେ ବେସରକାରୀ ୬୫, ସମବାୟ ବିଭାଗର ୧୩ ଏବଂ ଉଦ୍ୟାନ ଓ କୃଷି ବିଭାଗର ସମସ୍ତ ୪ଟି ରହିଛି। ଶୀତଳଭଣ୍ଡାର ଖୋଲିବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ରିହାତି ବ୍ୟବସ୍ଥା ରହିଛି। ଏଥିରେ ସମନ୍ବିତ ଉଦ୍ୟାନ ବିକାଶ ବିଭାଗ ପକ୍ଷରୁ ୪କୋଟି ଟଙ୍କା ବିଶିଷ୍ଟ ଶୀତଳଭଣ୍ଡାର ପାଇଁ ୩୫%ରୁ ୧.୪୦ କୋଟି, ଅନୁସୂଚିତ ଜାତି ଅଞ୍ଚଳରେ ୫୦%ରୁ ୨ କୋଟି, ଉଦ୍ୟାନ ମିସନ ପକ୍ଷରୁ ୨୦%ରୁ ୮୦ ଲକ୍ଷ, ଆପିକଲ ପକ୍ଷରୁ ୧ କୋଟି ବିଶିଷ୍ଟ ପ୍ରକଳ୍ପ ପାଇଁ ରିହାତି ୪୦ରୁ ୫୦% ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

IndiaMART

ଓଡ଼ିଶା ଆଳୁ ସଂରକ୍ଷଣ ପାଇଁ ବିଜୁଳି ବିଲରେ ରିହାତି ବ୍ୟବସ୍ଥା ରହିଛି। ହେଲେ ଲକ୍ଷାଧିକ ଟଙ୍କା ଖର୍ଚ ହୋଇଥିବା ୮୨ ଶୀତଳ ଭଣ୍ଡାର ଖୋଲିବା ପାଇଁ ସରକାର ଗୁରୁତ୍ବ ଦେଇ ନାହାନ୍ତି। ଏହାଛଡ଼ା ଏହାକୁ କାର୍ଯ୍ୟକ୍ଷମ ନେଇ ଗୁରୁତ୍ବ ମଧ୍ୟ ଦେଇ ନାହାନ୍ତି। ବରଂ ବର୍ତ୍ତମାନ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୦ ମେଟ୍ରିକ ଟନ ସୌର କୋଲ୍ଡ ରୁମ ଖୋଲିବାକୁ କୁହାଯାଇଛି। ଏସବୁ ଜାତୀୟ ଉଦ୍ୟାନ ମିସନ, ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଣ୍ଟ ଏବଂ ମାର୍କେଟିଂ ସପୋର୍ଟ ଫର ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଣ୍ଟ ଅଧୀନରେ ଖୋଲାଯିବ। ଏଥିରେ ଖର୍ଚ ହେଉଥିବା ଟଙ୍କାର ସାଧାରଣ ବର୍ଗ ବହୁଳ ଅଞ୍ଚଳରେ ୩୫ ପ୍ରତିଶତ, ଅନୁସୂଚିତ ଜାତି, ଜନଜାତି ବର୍ଗ ଅଞ୍ଚଳକୁ ୫୦ ପ୍ରତିଶତ ଏବଂ ଆବଶ୍ୟକସ୍ଥଳରେ ଆହୁରି ୨୦ପ୍ରତିଶତ ସହାୟତା ଦିଆଯିବ।

ଗ୍ରାମପଞ୍ଚାୟତ ବିକାଶ ପାଣ୍ଠିରୁ ଆହୁରି ୩୦ରୁ ୪୫ ପ୍ରତିଶତ ଟଙ୍କା ଖର୍ଚ ହେବ। ବଳକା ଫଳ ଏବଂ ପରିବା ସଂରକ୍ଷିତ କରି ରଖିବା ପାଇଁ ଏହି କୋଲ୍ଡ ରୁମଗୁଡ଼ିକ ଚାଷୀଙ୍କ ବ୍ୟବହାରରେ ଆସି ପାରିବ ବୋଲି ଜିଲ୍ଲାପାଳଙ୍କୁ ଜାରି ପତ୍ରରେ କୁହାଯାଇଛି। ଏଥିପାଇଁ ବିଡିଓ ଏବଂ ସହକାରୀ ଉଦ୍ୟାନ ଅଧିକାରୀ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର