ଓପିଟିସିଏଲ ଓ ବିଦ୍ୟୁତ ବିତରକ କମ୍ପାନିଙ୍କୁ ନିର୍ଦ୍ଦେଶ: ପାନୀୟ ଜଳ ଓ ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କର

ଭୁବନେଶ୍ବର : ପାନୀୟ ଜଳ ଓ ଜଳସେଚନ ପାଇଁ ମେଗା ଲିଫ୍‌ଟ ପ୍ରକଳ୍ପଗୁଡ଼ିକୁ ଅବିରତ ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବା ଲାଗି ଓପିଟିସିଏଲ ଓ ବିଦ୍ୟୁତ୍‌ ବିତରକ କମ୍ପାନିଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ପ୍ରକଳ୍ପକୁ ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଣରେ ଅବହେଳା ଗ୍ରହଣୀୟ ନୁହେଁ। ପାଣିପମ୍ପର କ୍ଷମତା ଅନୁସାରେ ଆବଶ୍ୟକ ଭୋ‌ଲଟେଜ୍‌ ବିଦ୍ୟୁତ୍‌ ଯୋଗାଇବା ପାଇଁ ଆବଶ୍ୟକ ପଡ଼ିଲେ, ନୂଆ ସବ୍‌ଷ୍ଟେସନ୍‌ ସହ ବିଦ୍ୟୁତ ଯୋଗାଣ ଭିତ୍ତିଭୂମିର ବିକାଶ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଲୋକସେବା ଭବନରୁ ଡିଜିଟାଲ େ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଥିଲେ। ଶ୍ରୀ ମହାପାତ୍ର କହିଥି‌ଲେ ଯେ ପାନୀୟ ଜଳ ଓ ଚାଷ ପାଇଁ କ୍ଷେତକୁ ଜଳଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି। ତେଣୁ ନିଜ ନିଜ ଅଞ୍ଚଳରେ ପାନୀୟ ଜଳ ଓ ଜଳସେଚନ ପ୍ରକଳ୍ପରେ ଲାଗିଥିବା ପମ୍ପ ପାଇଁ ଆବଶ୍ୟକ ଭୋଲଟେଜ୍ ଓ ବର୍ତ୍ତମାନର ସ୍ଥିତିର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବାକୁ ବିତରକ କମ୍ପାନିମାନଙ୍କୁ କୁହାଯାଇଛି। ପ୍ରତି ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍‌ ଫିଡର୍‌ ରଖିବା ସହିତ ନିର୍ମାଣାଧୀନ ପାନୀୟ ଜଳ ଓ ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପ ସହ ଏକ ସମୟରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରାଯାଉ। ଫଳରେ ପ୍ରକଳ୍ପ ନିର୍ମାଣ ସଙ୍ଗେ ସଙ୍ଗେ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଉନ୍ନୟନ କମିସନର ପ୍ରଦୀପ ଜେନା ପାନୀୟ ଜଳ ଓ ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଫିଡର ଲାଇନ୍‌ରୁ ଅନ୍ୟ କୌଣସି ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ନ ଦେବା ଲାଗି କହିଥିଲେ। ମେଗା ଲିଫ୍‌ଟମାନଙ୍କରୁ ଖରିଫ ଋତୁରେ ଫସଲ ଜୀବନ-ରକ୍ଷାକାରୀ ଜଳସେଚନ ଉପରେ ଶ୍ରୀ ଜେନା ଗୁରୁତ୍ବାରୋପ କରିଥିଲେ। ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ଚଳିତ ଖରିଫ ଋତୁ ପୂର୍ବରୁ ୧୦୯ଟି‌ ମେଗା ଲିଫ୍‌ଟ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି। ଅଧିକ ୨୦ଟି ପ୍ରକଳ୍ପକୁ ଚଳିତ ଋତୁରେ କାର୍ଯ୍ୟକ୍ଷମ କରାଯିବ। ୧୨୯ଟି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧.୫ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହେବ। ଏହାଛଡ଼ା ଆଉ ୭୯ଟି ନୂତନ ପ୍ରକଳ୍ପ ଏବେ ନିର୍ମାଣାଧୀନ ରହିଛି। ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂ କହିଥିଲେ, ଚଳିତବର୍ଷ ୧୦୪୩ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି। ଏବେ ସୁଦ୍ଧା ୧୩୦୮୨ଟି ଏକକ ଓ ଛୋଟ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି। ଏସବୁ ପ୍ରକଳ୍ପ ମାଧ୍ୟମରେ ୧୬,୮୮୯ଟି ଗ୍ରାମର ପ୍ରାୟ ୧.୫୩ କୋଟି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହାଛଡ଼ା ୬୭୭୩ଟି ଗ୍ରାମର ପ୍ରାୟ ୨୩ଲକ୍ଷ ଲୋକଙ୍କ ପାଇଁ ୫୬୨୪ଟି ଛୋଟ ପ୍ରକଳ୍ପର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୩,୭୫୦ଟି ଗ୍ରାମର ପ୍ରାୟ ୧.୮୯କୋଟି ଲୋକଙ୍କୁ ପାନୀୟ ଜଳଯୋଗାଣ ପାଇଁ ନୂଆ ୨୧୫ଟି ମେଗା ପ୍ରକଳ୍ପ ଆରମ୍ଭ ‌କରାଯାଇଛି। ଏବେ ସୁଦ୍ଧା ୭ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ଆଉ ୮୩ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାନୀୟ ଜଳଯୋଗାଣ ନିର୍ଦ୍ଦେଶକ ବି.ପରମେଶ୍ବରନ୍‌ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର