ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ନଜରରେ ରଖି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଏଥିରେ ଜିଲ୍ଲାସ୍ତରରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସାଧାରଣ ପ୍ରଶାସନ ଓ ପୁଲିସ ପ୍ରଶାସନ କିଭଳି ମିଳିତ ଭାବେ ଆସନ୍ତା ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବେ ସେ ବିଷୟରେ ଆଲୋଚନା ହୋଇଥିଲା।

Advertisment

ଏହାସହ କୁହାଯାଇଛି ଯେ ମତଦାତାଙ୍କ ସୁବିଧା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ମତଦାତା ମାର୍ଗଦର୍ଶିକା’ ନାମକ ଏକ ପକେଟ୍ ବୁକ୍ ରାଜ୍ୟର ସମସ୍ତ ପରିବାରକୁ ଯୋଗାଇ ଦିଆଯିବ। ଏହି ପକେଟ୍ ବୁକ୍‌ଟି ବିଏଲ୍‌ଓମାନଙ୍କ ଦ୍ବାରା ସମସ୍ତ ପରିବାରକୁ ‌େଯାଗାଇ ଦିଆଯିବ। ସେହିପରି ଆସନ୍ତା ନିର୍ବାଚନକୁ ହିଂସାମୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଭାସୀ ବୈଠକରେ ଜିଲ୍ଲାସ୍ତରୀୟ ଟ୍ରେନିଂ, ଇଭିଏମ୍‌ ସୁରକ୍ଷା, ନିର୍ବାଚନରେ ନିୟୋଜିତ ହେବାକୁ ଥିବା ବିଭିନ୍ନ ଟିମ୍ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ମଡେଲ୍ ପୋଲିଂ ବୁଥ୍‌ ବିଷୟରେ ଆଲୋଚନା କରାଯାଇ ସଖି ବୁଥ୍‌ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍‌), ଯୁବ କର୍ମଚାରୀ ପରିଚାଳିତ ବୁଥ୍‌ ଓ ଭିନ୍ନକ୍ଷମ ପରିଚାଳିତ ବୁଥ୍‌ଗୁଡ଼ିକ ବିଭିନ୍ନ ଜିଲ୍ଲାରେ କିଭଳି ଭାବେ କାର୍ଯ୍ୟକାରୀ ହେବ ସେନେଇ ସମୀକ୍ଷା କରାଯାଇଛି। ଏହି ବୈଠକରେ ରାଜ୍ୟ ପୁଲିସର ନୋଡାଲ ଅଧିକାରୀ ସଞ୍ଜୟ କୁମାର (ଏଡିଜି) ଯୋଗଦେଇ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ଆଭାସୀ ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍‌.ତିରୁମାଲା ନାଏକ, ଶତ୍ରୁଘ୍ନ କର ଓ ମିହିର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦% ମତଦାନ କେନ୍ଦ୍ରକୁ ଆଦର୍ଶ ମତଦାନ କେନ୍ଦ୍ର ଭାବେ ଖୋଲାଯିବ। ଏଥିରୁ ୫ଟି ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଯୁବବର୍ଗର କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ। ଗୋଟିଏ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ବର୍ଗର କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ, ପ୍ରାୟ ୧୦% ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ। ଏହି ତିନି ପ୍ରକାରର ମତଦାନ କେନ୍ଦ୍ରଗୁଡ଼ିକରେ ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ପ୍ରିଜାଇଡିଂ ଅଫିସରଙ୍କ ପର୍ଯ୍ୟନ୍ତ ଯଥାକ୍ରମେ ଯୁବ, ଦିବ୍ୟାଙ୍ଗ ଓ ମହିଳା କର୍ମଚାରୀ ନିୟୋଜିତ ହେବେ।