ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ(ମାଟ୍ରିକ୍‌) ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବା ସହ ତାହାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିକଟକୁ ପଠାଯାଇଛି। ଗୋଟିଏ ପଟେ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ଷାଣ୍ମାସିକ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ରାଜ୍ୟର ସମସ୍ତ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ବି ପରିସ୍ଥିତିରେ ବିଳମ୍ବ ନ କରି ୯ ତାରିଖ ସୁଦ୍ଧା ଏକ୍ସେଲ୍‌ ସିଟ୍‌ରେ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏଥିରେ ଜିଲ୍ଲା, ବ୍ଲକ, ସ୍କୁଲ ନାମ, ୟୁ-ଡାଇଜ୍‌ କୋଡ୍‌, ଛାତ୍ରଛାତ୍ରୀଙ୍କ ନାମ, ଦଶମ ପରୀକ୍ଷାର ରୋଲ୍‌ ନମ୍ବର, ଯୋଗାଯୋଗ ନମ୍ବର ଓ କେଉଁଥିପାଇଁ ଛାତ୍ର/ଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଲେ ତାହାର କାରଣ ଜଣାଇବାକୁ କୁହାଯାଇଛି। ଅଲଗା ଅଲଗା ଭାବେ ଛାତ୍ରଛାତ୍ରୀଙ୍କ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ଦିଗରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ପରୀକ୍ଷାର୍ଥୀ ଭଳି ସୁବିଧାରେ ପରୀକ୍ଷାକୁ ସାମ୍ନା କରିପାରିବେ ସେଥିପାଇଁ ଡିଇଓମାନଙ୍କୁ କିଛି ନମୁନା‌ ପ୍ରଶ୍ନ ଦେଇଛୁ। ସେମାନେ ତାହାକୁ ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟକୁ ପଠାଇବେ। ଫଳରେ ପିଲାମାନେ ପରୀକ୍ଷା ପୂର୍ବରୁ ସେହି ପ୍ରଶ୍ନଗୁଡ଼ିକୁ ଅନୁଧ୍ୟାନ କରି ଦେଖି ପ୍ରସ୍ତୁତ ହେବେ ଏବଂ ଉତ୍ତର ଲେଖିବେ। ଏଥିସହ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିଇଓମାନେ ପ୍ରଶ୍ନପତ୍ର ଦେବା ପରେ ତାହାକୁ ଯାଞ୍ଚ କରାଯାଇ ସମସ୍ତଙ୍କୁ ପଠାଯିବ। ଏହାଦ୍ବାରା ପିଲାମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ।