ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧିନିୟମ-୨୦୨୪ ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ। ଶିକ୍ଷାବର୍ଷ ଆରମ୍ଭ ହେବାର ୩ ମାସ ପୂର୍ବରୁ ଅର୍ଥାତ୍‌ ଜାନୁଆରି କିମ୍ବା ଫେବ୍ରୁଆରି ମାସରେ ପ୍ରଫେସର ଚୟନ ପ୍ରକ୍ରିୟା କରାଯିବ। ‌‌ପରିଣାମ ସ୍ବରୂପ ଏପ୍ରିଲ/ମେ’ ମାସରେ ପ୍ରଫେସରଙ୍କ ଅବସର ବେଳକୁ ନୂତନ ପ୍ରଫେସର ଦାୟିତ୍ବ ଗ୍ରହଣ କରିସାରିଥିବେ। ଅନୁରୂପ ଭାବେ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏସ୍‌ଏସ୍‌ବି ମାଧ୍ୟମରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଣଶିକ୍ଷକ ନିଯୁକ୍ତି ପାଇବେ। ମେ’ ସୁଦ୍ଧା ବିଶ୍ବବିଦ୍ୟାଳୟଗୁଡ଼ିକ ସେମାନଙ୍କ ଖାଲିଥିବା ଅଣଶିକ୍ଷକ ପଦବି ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ। ଏହାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଏସ୍‌ବିଙ୍କୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ କୁଳପତିମାନଙ୍କ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି।

Advertisment

କେବଳ ସେତିକି ନୁହେଁ, ନିଯୁକ୍ତି ପ୍ରକ୍ରିୟା ଯେପରି ଶୀଘ୍ର ହୋଇପାରିବ ସେଥିପାଇଁ ୪ ଜଣ କୁଳପତିଙ୍କୁ ନେଇ ଏକ ସବ୍‌କମିଟି ଗଠନ ହୋଇଛି। ଏହି ସବ୍‌କମିଟି ରିପୋର୍ଟ ଆଧାରରେ ନିଯୁକ୍ତି ପ୍ରକ୍ରିୟା କିଭଳି ଶୀଘ୍ର ଓ ସ୍ବଚ୍ଛତା ଆସିପାରିବ ତାହାକୁ ପ୍ରାଥମିକତା ଦିଆଯାଇଛି। ଏବେ ବିଶ୍ବବିଦ୍ୟାଳୟଗୁଡ଼ିକରେ ୧୩୫୩ ପ୍ରଫେସର ଓ ୨ହଜାର ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ବିଶ୍ବବିଦ୍ୟାଳୟଗୁଡ଼ିକ ସେମାନଙ୍କ ଆବଶ୍ୟକତା ଜଣାଇବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଜାତୀୟ ଶିକ୍ଷା‌ ନୀତି-୨୦୨୦କୁ ଲାଗୁ କରିବା, ଏନ୍‌ଏସ୍‌ଏସ୍‌ ସଂଖ୍ୟା ବୃଦ୍ଧି, ରାଷ୍ଟ୍ରାୟତ୍ତ କମ୍ପାନି ସହ ରାଜିନାମା କରାଯାଇ ନିଯୁକ୍ତି ସୁଯୋଗ ବଢ଼ାଇବା, ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ସୁଦୃଢ଼ତାକୁ ସୁନିଶ୍ଚିତ କରିବା, କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ, ବିତ୍ତୀୟ ପରିଚାଳନା ପାଇଁ ଅର୍ଥ କିମିଟି ଗଠନ, ନିୟମିତ ଅଡିଟ୍‌ କରାଯିବା ପରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।

ମେ’ ସୁଦ୍ଧା ଅଣଶିକ୍ଷକ ତଥ୍ୟ ଦେବେ ବିଶ୍ବବିଦ୍ୟାଳୟ
ଆଇଆଇଟି, ଏନ୍‌ଆଇଟି ଢାଞ୍ଚାରେ ସ୍କୁଲିଂ ବ୍ୟବସ୍ଥା
ଏଣିକି ଅବସରର ୪ ମାସ ପୂର୍ବରୁ ନୂତନ ନିଯୁକ୍ତି ପ୍ରକ୍ରିୟା

ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ପ୍ରଫେସର ନିଯୁକ୍ତି, କୁଳପତି ନିଯୁକ୍ତି, ସିନେଟ୍‌ ଗଠନ, ଆର୍ଥିକ କମିଟି କ’ଣ, ବିଲଡିଂ କମିଟି କିଭଳି କାର୍ଯ୍ୟକାରୀ ହେବ ସେନେଇ ଆଜିର ସମ୍ମିଳନୀରେ ଆଲୋଚନା ହୋଇଛି। ବିଶ୍ବବିଦ୍ୟାଳୟଗୁଡ଼ିକ ନିଜର ଆବଶ୍ୟକତା ଅନୁଯାୟୀ ନିଜସ୍ବ ନିଯୁକ୍ତି କରିବେ ବୋଲି ସ୍ଥିର ହୋଇଛି। ବିଶ୍ବବିଦ୍ୟାଳୟକୁ ପିଞ୍ଜରାରେ ବନ୍ଧା ହେବା ଭଳି ବ୍ୟବସ୍ଥା ପୂର୍ବରୁ ଥିଲା। ଏବେ ସିନେଟ୍‌କୁ ବିଶ୍ବବିଦ୍ୟାଳୟର ସମସ୍ତ ଅଂଶୀଦାର ଆସିବା ପରେ ସ୍ବଚ୍ଛତା ରହିବ। ସିଣ୍ଡିକେଟ୍‌ରେ ୧୮ ଜଣିଆ କମିଟି ରହିବାକୁ ଥିବାରୁ ନିଷ୍ପତ୍ତି ଶୀଘ୍ର ଓ ତ୍ବରିତ ବେଗରେ ହେବ। ସିନେଟ୍‌ରେ ପୁରାତନ ଛାତ୍ର, ବର୍ତ୍ତମାନ ଛାତ୍ରଛାତ୍ରୀ, ବିଧାୟକ ୩ ଜଣ ରହିବେ, ସ୍ଥାନୀୟ ସାଂସଦ ରହିବେ। ଚଳିତ ମାସରେ ବିଭିନ୍ନ ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ମେ’ ମାସରେ ଆବଶ୍ୟକୀୟ ଅଣଶିକ୍ଷକ ପଦବି ପାଇଁ ଆମେ ପ୍ରସ୍ତାବ ଦେବୁ ଏବଂ ଏସ୍‌ଏସ୍‌ବି ଜରିଆରେ ନିଯୁକ୍ତି କରାଯିବ। ଆସନ୍ତା ଦୁଇ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଅଧିନିୟମ ସମ୍ପର୍କରେ ବିଶଦ ଆଲୋଚନା ହୋଇଛି। ନିଯୁକ୍ତି ସମସ୍ୟା, ସିଟ୍‌ ବଢ଼ାଇବା, ପ୍ରଫେସର-ଛାତ୍ରଛାତ୍ରୀ ଅନୁପାତ ଉପରେ ବିଚାରବିମର୍ଶ ହୋଇଛି। ସ୍କୁଲ କନ୍‌ସେପ୍ଟ ଆରମ୍ଭ ହେବାକୁ ଯାଉଛି। ଅର୍ଥାତ୍‌ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଆଇଆଇଟି, ଏନ୍‌ଆଇଟି ଭଳି ଓଡ଼ିଶାର ବିଶ୍ବବିଦ୍ୟାଳୟଗୁଡ଼ିକରେ ୩ରୁ ୪ଟି ପିଜି ବିଭାଗକୁ ନେଇ ଗୋଟିଏ ସ୍କୁଲ ରହିବ। ଆମ ବିଶ୍ବବିଦ୍ୟାଳୟରେ ୨୭ଟି ବିଭାଗ ପାଇଁ ୧୦ଟି ସ୍କୁଲ ହେବ। ଏହାଦ୍ବାରା ଗୋଟିଏ ବିଷୟରେ ଯଦି କମ୍‌ ପିଲା ହେଉଛନ୍ତି ସେହି ବିଭାଗର ପ୍ରଫେସରମାନେ ସେହି ସ୍କୁଲର ଅନ୍ୟ ବିଭାଗରେ ପଢ଼ାଇପାରିବେ। ଅଣଶିକ୍ଷକଙ୍କୁ ଅଦଳବଦଳ କରିବାକୁ ଆଲୋଚନା ହୋଇଥିବା ପ୍ରଫେସର ଆଚାର୍ଯ୍ୟ କହିଛନ୍ତି।