ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା: ସର୍ବନିମ୍ନ କର୍ମଚାରୀରେ କାମ କରିବାକୁ ନିର୍ଦ୍ଦେଶ

ସ୍ୱାସ୍ଥ୍ୟ ଓ ଆଇଟି ବିଭାଗ କର୍ମଚାରୀ ୧୦୦% ଅଫିସ ଆସିବେ
ଘରୁ କାମ କରିବାକୁ ସରକାରୀ କର୍ମଚାରୀଙ୍କୁ ପରାମର୍ଶ
ଜୁଲାଇ ୩୧ ପର୍ଯ୍ୟନ୍ତ କେହି ମୁଖ୍ୟାଳୟ ଛାଡ଼ିବେ ନାହିଁ

ଭୁବନେଶ୍ୱର : ସଂକ୍ରମଣ ହାର ବଢ଼ିବାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ଲକ୍‌ ଡାଉନ୍‌ ଆରମ୍ଭ ହୋଇଛି। ଏଦି ଦିନମାନଙ୍କରେ ବିଭାଗୀୟ ମୁଖ୍ୟମାନେ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଅଫିସ କାମ କରିବେ। ସ୍ବାସ୍ଥ୍ୟ ଓ ଆଇଟି ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଛାଡ଼ି ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଅଫିସ ନ ଆସି ଘରୁ କାମ କରିପାରିବେ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହିତ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ କୌଣସି ସରକାରୀ କର୍ମଚାରୀ ଓ ଅଧିକାରୀ ମୁଖ୍ୟାଳୟ ଛାଡ଼ି ନ ଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଜିଲ୍ଲା ଓ ପୌର ପ୍ରଶାସନ, ପୁଲିସ୍‌, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସଂସ୍ଥା, ସାଧାରଣ ସେବା ପ୍ରଦାନ କରୁଥିବା ବିଭାଗର କର୍ମଚାରୀମାନେ ଶତପ୍ରତିଶତ ନିୟମିତ ଅଫିସ ଆସିବେ। ଏମାନଙ୍କୁ ଛାଡ଼ିଦେଲେ ବାକି ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଘରେ ରହି ଭିପିଏନ୍‌ ବ୍ୟବସ୍ଥା ଜରିଆରେ ଓସ୍ବାସ୍‌ରେ ଫାଇଲ୍‌ ପଠାଇପାରିବେ। ଡାକ ଅନୁବିଭାଗରେ କାମ କରୁଥିବା କର୍ମଚାରୀମାନେ ରୋଷ୍ଟର ଆଧାରରେ ଅଫିସ୍‌ ଆସିବେ। ଆବଶ୍ୟକ ପଡ଼ିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଙ୍କ ବିଭାଗର କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମାଇପାରିବେ। ମିଟିଂ ଓ ଆଲୋଚନା ସମ୍ପୂର୍ଣ୍ଣ ଭାବେ ଭର୍ଚୁଆଲ୍‌ ଯୋଗେ କରାଯିବ। ଏଣିକି କର୍ତ୍ତବ୍ୟ ପାଳନ ବେଳେ ଏହି ବ୍ୟବସ୍ଥାକୁ ନିୟମିତ ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି କ୍ଷେତ୍ରୀୟ ସ୍ତରରେ ଯେତେ ସର୍ବନିମ୍ନ କର୍ମଚାରୀରେ କାର୍ଯ୍ୟ ହୋଇପାରିବ, ସେଥିପାଇଁ ବିଭାଗୀୟ ମୁଖ୍ୟମାନେ ଦୃଷ୍ଟି ଦେବେ। ସଂକ୍ରମଣକୁ ପ୍ରତିହତ କରି ଯେପରି ସୁରକ୍ଷିତ ଭାବେ କର୍ମଚାରୀମାନେ କାର୍ଯ୍ୟ କରିବେ ସେଥିପାଇଁ କୋଭିଡ୍‌ ନିୟମ କଡ଼ାକଡ଼ି ଅନୁପାଳନ କରାଯିବ। ନିର୍ଦ୍ଦେଶନାମା ପରେ ପୂର୍ତ୍ତ ବିଭାଗ ମାତ୍ର ୯ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଅଫିସ ଚଳାଇବାକୁ ନିଷ୍ପତ୍ତି ନେଇଛି। ପୂର୍ତ୍ତ ବିଭାଗ ଶାସନ ସଚିବ ତଥା କମିସନର କ୍ରିଷନ୍‌ କୁମାର ଓ ତାଙ୍କ ବ୍ୟକ୍ତି ଗତ ସଚିବ, ଅତିରିକ୍ତ ଶାସନ ସଚିବ, ଓଏସ୍‌ଡି, ୨ଜଣ କନସଲଟାଣ୍ଟ୍‌, ଡ୍ରାଇଭର, ଜମାଦାର ଓ ପିଅନ ଏହି ତାଲିକାରେ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର