ସରକାରୀ ହସ୍ପିଟାଲକୁ ଦିଆଯିବ ବିଶ୍ବସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି: ସ୍ବାସ୍ଥ୍ୟମନ୍ତ୍ରୀ

ଆଉ ୧୦ ଜିଲ୍ଲାରେ ବୁଲିବ ଭ୍ରାମ୍ୟମାଣ ଚକ୍ଷୁ ଗାଡ଼ି, ଖାଦ୍ୟ ସୁରକ୍ଷା ପଦବି ତୁରନ୍ତ ପୂରଣ ପାଇଁ ନିର୍ଦେଶ

ଭୁବନେଶ୍ବର : ସରକାରୀ ଡାକ୍ତରଖାନାଗୁଡ଼ିକୁ ରାଜ୍ୟ ସରକାରୀ ବିଶ୍ବସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଯୋଗାଇ ଦେବେ। ବିଶେଷଜ୍ଞ କମିଟି ପରାମର୍ଶ କ୍ରମେ ଏହି ଯନ୍ତ୍ରପାତି କ୍ରୟ କରାଯିବ। ଡାକ୍ତରୀ ସରଞ୍ଜାମ କ୍ରୟ କ୍ଷେତ୍ରରେ ପୂର୍ବ ଧାରାରେ ପରିବର୍ତନ ଅଣାଯିବ। ଯନ୍ତ୍ରପାତିର ‘ସ୍ପେସିଫିକେସନ୍’ ଅପେକ୍ଷା ଯନ୍ତ୍ରଟି କେତେ ଆଧୁନିକ ସେ ସଂକ୍ରାନ୍ତରେ ଅନୁଧ୍ୟାନ ହେବ। ଏହି ଯନ୍ତ୍ରପାତି ଯୋଗାଇବାକୁ ଟେଣ୍ଡରରେ କୃତକାର୍ଯ୍ୟ ହେଉଥିବା ସଂସ୍ଥା ଯେଭଳି ଧାର୍ଯ୍ୟ ସମୟରେ ତାହା ପ୍ରଦାନ କରିବେ ତାହା ଉପରେ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିର୍ଦେଶ ଦେଇଛନ୍ତି।

ଯଦି କୌଣସି ସଂସ୍ଥା ଧାର୍ଯ୍ୟ ସମୟ ଭିତରେ ଯନ୍ତ୍ରପାତି ପ୍ରଦାନ ନ କରିପାରିଲା ତେବେ ଅନ୍ୟ ସଂସ୍ଥାଠାରୁ ସାମଗ୍ରୀ କିଣିବା ପାଇଁ କୁହାଯାଇଛି। ଅପରପକ୍ଷରେ ଯନ୍ତ୍ରପାତି ଯୋଗାଇବାରେ ବିଳମ୍ବ କରୁଥିବା କମ୍ପାନିକୁ ‘କଳା ତାଲିକାଭୁକ୍ତ’ କରାଯିବ। ଫଳରେ ଭବିଷ୍ୟତରେ ଏହି କମ୍ପାନି ଆଉ ଯେଭଳି ସରକାରଙ୍କ ସହିତ କୌଣସି ବ୍ୟବସାୟ କରିପାରିବ ନାହିଁ। ରାଜ୍ୟରେ ରୋଗୀମାନଙ୍କ ଲାଗି ଡାକ୍ତରୀ ଯନ୍ତ୍ରପାତି ଖରିଦ ସମୟରେ ଖର୍ଚକୁ ଗୁରୁତ୍ବ ନ ଦେଇ ଔଷଧ ନିଗମ କର୍ତୃପକ୍ଷ ଅନ୍ତର୍ଜାତୀୟ ମାନର ସର୍ବଶେଷ ମଡେଲ କିଣିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ କେନ୍ଦ୍ର ସରକାର ଏହା ଭିତରେ ରାଜ୍ୟକୁ ଆଉ ୧କୋଟି ୧୩ ଲକ୍ଷ ଔଷଧୀୟ ମଶାରି ଯୋଗାଇ ଦେବା ଲାଗି ସୂଚନା ଦେଇଛନ୍ତି। ତେବେ ଏହି ମଶାରି ମିଳିବାରେ କୌଣସି ନିଶ୍ଚିତତା ନ ଥିବାରୁ ଆବଶ୍ୟକସ୍ଥଳେ ନିଜସ୍ବ ସମ୍ବଳରୁ ରାଜ୍ୟ ସରକାର ଏହାକୁ କିଣିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ‌ଦିଆଯାଇଛି।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ‘ସୁନେତ୍ର’ ଯୋଜନାର ସମୀକ୍ଷା କରିଥିଲେ। ଏହି ଯୋଜନାରେ ଏବେ ୮ଟି ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଗାଡ଼ି ଚାଲୁଥିବା ବେଳେ ଆଉ ୧୦ଟି ଜିଲ୍ଲାକୁ ଏହା ସଂପ୍ରସାରିତ ହେବ। ସୋନପୁର, ଅନୁଗୁଳ, ଭଦ୍ରକ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଖୋର୍ଧା, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା କାର୍ଯ୍ୟ ଆରମ୍ଭ କରିବ। ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲରେ ଛୋଟ ପିଲାଙ୍କ ଚକ୍ଷୁରେ ଲେଜର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସମସ୍ତ ମେଡିକାଲ କଲେଜରେ ଏହା ଆରମ୍ଭ ‌ଲାଗି ନିଷ୍ପତ୍ତି ହୋଇଛି। ଏହା ସହିତ ସମସ୍ତ ମେଡିକାଲ କଲେଜ ହସ୍ପିଟାଲରେ ‘ନିଦାନ’ ଯୋଜନାରେ ଜଟିଳ ପରୀକ୍ଷଣଗୁଡ଼ିକୁ ସାମିଲ କରାଯିବା ସହିତ ରୋଗୀଙ୍କୁ ହାଇଏଣ୍ଡ ପରୀକ୍ଷା ସୁବିଧା ଯୋଗାଇବା ସଂପର୍କରେ ଆଲୋଚନା ହୋଇଛି। ବର୍ଷାଋତୁ ପରିପ୍ରେକ୍ଷୀରେ ଆସନ୍ତା ୩/୪ମାସ ପାଇଁ ରାଜ୍ୟରେ ଖାଦ୍ୟ ଓ ପାନୀୟ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଖାଦ୍ୟ ସୁରକ୍ଷା କମିସନଙ୍କୁ ଅଧିକ କ୍ରିୟାଶୀଳ କରିବା ସହିତ ଖାଲିଥିବା ପଦବିଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ କେତେ ବ୍ୟବସାୟୀ ପଞ୍ଜୀକୃତ ହୋଇଛନ୍ତି ଓ ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା, କ୍ଷମତାସଂପନ୍ନ କମିଟିର ଅଧ୍ୟକ୍ଷ ଡା. ଟି.ପି ଦାଶ, ‌ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ଯାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଡାକ୍ତର ହରପ୍ରସାଦ ପଟ୍ଟନାୟକ, ଡିଏମ୍‌ଇଟି ଡା. ସୋନାମାଲି ବାଗ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ସୁଶୀଲ କରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର