ସୁନ୍ଦରଗଡ଼/ସବଡେଗା: ମତଦାନ ସମୟରେ ବିଭିନ୍ନବୁଥ୍‌ରେ ଅଘଟଣ ଘଟିଛି। ଗୋଟିଏ ବୁଥ୍‌ରେ ମତଦାନ କରିବାକୁ ପହଞ୍ଚିଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ବୁଥ୍‌ରେ ମହିଳା ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ସୋମବାର ସକାଳେ ମତଦାନ ଆରମ୍ଭ ହେବାକ୍ଷଣି ସୁନ୍ଦରଗଡ଼ ପୌରାଞ୍ଚଳ ସୁନାରିପଡ଼ା ୨୧୧ ନମ୍ବର ବୁଥ୍‌ରେ ମହିଳା ପ୍ରିଜାଇଡିଂ ଅଫିସର ମିନତି ମିଶ୍ର ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାରକରି ଆମ୍ବୁଲାନ୍ସରେ ଜିଲ୍ଲା ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଥିଲା। ତେବେ, ଅସୁସ୍ଥତାର କାରଣ ଜଣାପଡ଼ିନାହିଁ। ସେହିପରି, ତଳସରା ବିଧାନସଭା କ୍ଷେତ୍ରର କୁରୁମକେଲ ପଞ୍ଚାୟତ ହୁଟୁପାନି ସ୍କୁଲପଡ଼ା ୬୮ ନମ୍ବର ମତଗ୍ରହଣ କେନ୍ଦ୍ରକୁ ମତଦାନ  କରିବାକୁ ପହଞ୍ଚିଥିବା ଯସ୍ମିତା ସିଂ(୬୫)ଙ୍କ ମୃତ୍ୟୁ ହୋଇଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Advertisment

ଅନ୍ୟପକ୍ଷରେ, ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ଧର୍ମଶାଳା ଉଚ୍ଚବିଦ୍ୟାଳୟ ମତଦାନ କେନ୍ଦ୍ରରେ ସ୍ବେଚ୍ଛାସେବୀ ଦାୟିତ୍ବରେ ନିୟୋଜିତ ଛାତ୍ର ଆର୍ଯ୍ୟନ ଷଣ୍ଢ ୪ଟାରେ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ସେ ବୁଥ୍‌ରେ ସେବା ଯୋଗାଉଥିଲେ। ଅପରାହ୍ନ ୩ଟା ପରେ ତାଙ୍କୁ ଖାଇବାକୁ ଦିଆଯାଇଥିବା ଓ ଭୋକରେ ମୁଣ୍ଡ ବୁଲାଇ ସେ ଅସୁସ୍ଥ ହୋଇଥିବା ଛାତ୍ର ପ୍ରକାଶ କରିଛନ୍ତି। ସେହିପରି ମତଦାନ କେନ୍ଦ୍ରରେ ଅସହ୍ୟ ତାତି ଯୋଗୁ ଆଉ ଜଣେ ପୋଲିଂ ଅଧିକାରୀ ଗୁରୁତର ହୋଇଥିଲେ। ମତଦାନ ଚାଲିଥିବା ବେଳେ ଗରମରେ ମୁଣ୍ଡ ବୁଲାଇଦେବାରୁ ଅଧିକାରୀ ଜଣକ ମୁହଁ ମାଡ଼ି ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତଖାନାରେ ଭର୍ତ୍ତି କରା ଯାଇଥିଲା। ପୋଲିଂ ଅଧିକାରୀ ଜଣକ ହେଲେ ରବୀନ୍ଦ୍ର କୁମାର। ରାଉରକେଲା ବାସନ୍ତୀ କଲୋନିସ୍ଥ ବ୍ୟାସଦେବ ବିଦ୍ୟାମନ୍ଦିର ସରକାରୀ ବିଦ୍ୟାଳୟର ବୁଥ ନମ୍ବର ୧୩୦ରେ ସେ ଭୋଟ କାର୍ଯ୍ୟରେ ନିୟୋଜିତ ହୋଇଥିଲେ।