୮୦ ଲକ୍ଷ ଟଙ୍କାର ପ୍ରିମିୟମ ଦେଇ ଚାଷୀ ଭକୁଆ; ବୀମାରାଶିକୁ ଚାପି ବସିଛନ୍ତି ଅଧିକାରୀ

କୋରେଇ : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ରେ ମରୁଡ଼ି ସହାୟତା ପାଇଁ ଚାଷୀଙ୍କୁ ବୀମାରାଶି ଦେବାରେ କମ୍ପାନି ଭୁଆଁ ବୁଲାଉଛି। ମରୁଡ଼ି ଘୋଷଣା ହେବାର ୩ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ହଜାରହଜାର ଚାଷୀ ଏବେ ସୁଦ୍ଧା ବୀମା ପାଇନାହାନ୍ତି। ଅନ୍ୟପଟେ କିଛି ଚାଷୀଙ୍କୁ ବୀମାରାଶି ଦିଆଯାଇଥିବା କହୁଛନ୍ତି ସଂପୃକ୍ତ କମ୍ପାନିର ଅଧିକାରୀ।ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନାରେ ଯାଜପୁର ଜିଲ୍ଲା ପାଇଁ ଗତ ଦୁଇବର୍ଷ ଧରି ଏଚ୍‌ଡିଏଫ୍ ଆଗ୍ରୋ ଜେନେରାଲ ଇସ୍ୟୁରାନ୍ସ କମ୍ପାନିକୁ ଦାୟିତ୍ବ ଦିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କୋରେଇ ବ୍ଲକ୍‌ର ୯୪୩୯ ଜଣ ପଞ୍ଜିକୃତ ଚାଷୀ ସମବାୟ ସମିତିରୁ ଋଣ ନେଇଥିବାବେଳେ ବୀମା ମଧ୍ୟ କରିଥିଲେ। ବ୍ଲକର ମୋଟ ୧୮ଟି ସମବାୟ ସମିତିରେ ମୋଟ ୫୮୫୬.୧୧୨ ହେକ୍ଟର ଜମି ପାଇଁ ୮୧ ଲକ୍ଷ ୩୯ ହଜାର ୯୯୬ ଟଙ୍କା ପ୍ରିମିୟମ ବାବଦକୁ ଦେଇଛନ୍ତି।

ସମବାୟ ସମିତିରୁ ଋଣ ନେଇଥିବା ଚାଷୀ ବୀମା କରିବାକୁ ବାଧ୍ୟ ବୋଲି ସରକାର ଘୋଷଣା କରିଥିବାବେଳେ ଏମାନଙ୍କ ବ୍ୟତୀତ ୧୪୨୧ ଜଣ ଋଣ ନେଇ ନଥିବା ଚାଷୀ ମଧ୍ୟ ବୀମା କରିଛନ୍ତି। କୋରେଇ ବ୍ଲକ୍‌ର ୯୪୩୯ ଜଣ ଚାଷୀ ୪୦ କୋଟି ୬୯ ଲକ୍ଷ ୯୯ ହଜାର ୮୦୩ ଟଙ୍କାର ବୀମା କରିଥିବା ସମବାୟ ବ୍ୟାଙ୍କ ସୂଚନା ଦେଇଛି। ପ୍ରତିବର୍ଷ କୋରେଇ ବ୍ଲକ୍‌ରେ ୧୮ ହଜାର ୪୫୦ ହେକ୍ଟର ଜମିରେ କେବଳ ଧାନ ଚାଷ ହୋଇଥିବାବେଳେ ମରୁଡ଼ି ଫଳରେ ମାତ୍ର ୬ ହଜାର ହେକ୍ଟର ଜମିରେ ଚାଷ ସମ୍ଭବ ହୋଇଥିଲା। ମରୁଡ଼ି ଘୋଷଣା ହେବାପରେ ସଂପୃକ୍ତ ବୀମା କମ୍ପାନି ଚାଷୀଙ୍କୁ ଦେଇଥିବା ଋଣର ମାତ୍ର ୨୫ ପ୍ରତିଶତ ବୀମା ସହାୟତା ଦେବାକୁ ମଞ୍ଜୁର କରିଥିଲା। ଅର୍ଥାତ ବୀମା ସହାୟତା ରାଶି ବାବଦକୁ ୯୪୩୯ ଜଣ ଚାଷୀଙ୍କ ପାଇଁ ୧୦ କୋଟି ୧୭ ଲକ୍ଷ ୪୧ ହଜାର ୯୫୦ ଟଙ୍କା ମିଳିଛି ବୋଲି ବୀମା କମ୍ପାନି କହୁଛି। ହେଲେ ଋଣ ନେଇଥିବା ଚାଷୀଙ୍କ ଖାତାକୁ ଏଯାଏ ଟଙ୍କାଟିଏ ବି ଆସିନାହିଁ।

ଏନେଇ ସଂପୃକ୍ତ ବୀମା କମ୍ପାନିର ଜିଲ୍ଲା ସଂଯୋଜକ ସୌଭାଗ୍ୟ ଦାସ କହିଛନ୍ତି, ଋଣ ନେଇ ନଥିବା କେତେକ ଚାଷୀଙ୍କୁ ବୀମା ଟଙ୍କା ଦିଆ ସରିଛି। ଋଣ ନେଇଥିବା ଚାଷୀଙ୍କ ବୀମାରାଶି ସମବାୟ ସମିତିର ମୁଖ୍ୟ କାର୍ଯ୍ୟାଳୟକୁ ଦିଆଯାଇଛି। ସେଠାରୁ ଜିଲ୍ଲାର ବିଭିନ୍ନ ବ୍ଲକକୁ ପଠାଯିବ। ଅଧିକାରୀଙ୍କ କଥାରେ ତାଳମେଳ ରହୁନଥିବା ବେଳେ ମରୁଡ଼ି ପରେ ଅଦିନିଆ ବର୍ଷାରେ କ୍ଷତି ସହିଥିବା ଚାଷୀ ଚିନ୍ତାରେ। ସେମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର