ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସମ୍ପର୍କରେ ସ୍ପଷ୍ଟ କଲା ରାଜସ୍ବ ବିଭାଗ : ଯେ କୌଣସି କରୋନା ଯୋଦ୍ଧାଙ୍କ ପ୍ରାଣହାନି ଘଟିଲେ ମିଳିବ କ୍ଷତିପୂରଣ

ଭୁବନେଶ୍ବର : କରୋନା ମହାମାରୀକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ରାଜ୍ୟ ସରକାର ଯାହାକୁ ବି ନିୟୋଜିତ କରିଥିବେ, ସେ ବ୍ୟକ୍ତିର ପ୍ରାଣହାନୀ ଘଟିଲେ କ୍ଷତିପୂରଣ ବାବଦରେ ମିଳିବ ୫୦ ଲକ୍ଷ ଟଙ୍କା। ଗତକାଲି ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରୁଥିବା ସ୍ବାସ୍ଥ୍ୟ କର୍ମୀର ଦେହାନ୍ତ ହେଲେ ତାଙ୍କ ପରିବାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ ଅନ୍ତର୍ଗତ ବୀମା ରାଶି ପାଇବା ସହିତ ଓଡ଼ିଶା ସରକାରଙ୍କ ତରଫରୁ ପୂର୍ଣ୍ଣ ବେତନ ପାଇବେ।

ଗତମାସ ୩୦ ତାରିଖରେ କେନ୍ଦ୍ର ଘୋଷଣା ଅନୁଯାୟୀ, ଆସନ୍ତା ୯୦ ଦିନ ଭିତରେ କରୋନା ଲଢ଼େଇରେ ଝାସ ଦେଇଥିବା ପ୍ରତ୍ୟେକ ସରକାରୀ ଓ ଘରୋଇ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଅବସରପ୍ରାପ୍ତ ନର୍ସ୍‌, ସ୍ବେଚ୍ଛାସେବୀ, ସ୍ଥାନୀୟ ପୌର ସଂସ୍ଥା କର୍ମଚାରୀଙ୍କର କୋଭିଡ୍‌ ସଂକ୍ରମଣ ଜନିତ ପ୍ରାଣହାନୀ କ୍ଷେତ୍ରରେ ମୁଣ୍ଡ ପିଛା ୫୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ। ବୀମାରାଶି ଦାବି କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଯେଉଁ ମୃତ ବ୍ୟକ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ବୀମା ସର୍ତ୍ତାବଳୀ ପୂରଣ କରୁନଥିବେ ତାଙ୍କ ପାଇଁ ରାଜ୍ୟ ସରକାର ଏହି ଆର୍ଥିକ କ୍ଷତି ଭରଣା କରିବେ ବୋଲି ରାଜସ୍ବ ବିଭାଗ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି।

ଏହାସହିତ କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ବାରା ନିୟୋଜିତ ହୋଇଥିବା ଯେ କୌଣସି ସଂସ୍ଥାର କର୍ମଚାରୀ ବା ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ପାଇଁ କ୍ଷତି ଭରଣା କରାଯିବ। ଏଥିରେ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ସ୍ବେଚ୍ଛାସେବୀ, ପୁଲିସ, ପ୍ରଶାସନିକ କର୍ମଚାରୀ ଓ ଅଧିକାରୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ପୌର ସଂସ୍ଥା କର୍ମଚାରୀ, ଠିକାଦାରୀ ସଂସ୍ଥା କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି, କୋଭିଡ୍‌ ହସ୍ପିଟାଲ୍‌ରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ବି ସାମିଲ କରାଯାଇଛି। ଏହାସହିତ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସମସ୍ତ ସୁରକ୍ଷା ଓ ସମ୍ମାନ ବି ପ୍ରଦାନ କରାଯିବ। ଖୁବଶୀଘ୍ର ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯିବ ବୋଲି ରାଜସ୍ବ ବିଭାଗ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର