ରାୟଗଡ଼ା: ଶ୍ରମିକଙ୍କ ବିକାଶ ଓ ପରିବାରର ସୁରକ୍ଷା ପାଇଁ ରାଜ୍ୟ ସରକାର ବୀମା ରାଶି ଯୋଜନା କରିଛନ୍ତି। କୌଣସି ଶ୍ରମିକଙ୍କ ମୃତ୍ୟୁ କିମ୍ବା କିଛି ଅଘଟଣ ଘଟିଲେ ପରିବାର ବର୍ଗ ବୀମା ରାଶି ପାଇବାର ନିୟମ ରହିଛି। ହେଲେ ରାୟଗଡା ଜିଲ୍ଲାରେ ଦଲାଲଙ୍କ କବଳରେ ପଡି ହନ୍ତସନ୍ତ ହେବା ସହ ଅଶିକ୍ଷିତ ଲୋକଙ୍କ ସରଳତାର ସୁଯୋଗ ନେଇ ବୀମା ରାଶି ଲୁଟି ନେଉଛନ୍ତି ଦଲାଲ। ଫଳରେ ହିତାଧିକାରୀ ଅଭିଯୋଗ ନକରି ଚୁପ ରହୁଛନ୍ତି। ରାୟଗଡ଼ା ବ୍ଳକ ତାଡମା ପଚାଂୟତ ଗୌଡଖିଲମ ଗ୍ରାମର ନିର୍ମାଣ ଶ୍ରମିକ ଦାଲାନା କାଡ୍ରାକା ଓ ସ୍ତ୍ରୀ ଲୁବେ କାଡ୍ରାକାଙ୍କ ସହିତ ଦୁଇ ଝିଅଙ୍କ ଏବଂ ଗୋଟିଏ ପୁଅକୁ ନେଇ ଖୁସିରେ ରହୁଥିଲେ। ଏମାନେ ଭୂମିହୀନ ପରିବାର ହୋଇଥିବାରୁ ସ୍ୱର୍ଗତ ଦାଲାନା ଦୀନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରିନ୍ତି ସେଥିରେ ହସ ଖୁସିରେ ନିଜ ପରିବାର ସହ ଚଳୁଥିଲେି। ଜିଲ୍ଲା ଶ୍ରମ ବିଭାଗରେ ସେ ଶ୍ରମ କାର୍ଡ ତିଆରି କରିଥିଲେ।ଗତ ୩ ମାସ ତଳେ ଦାଲାନାଙ୍କ ମୃତ୍ୟୁ ହୋଇଯାଇଥିଲା। ଦାଲାନାଙ୍କ ନିର୍ମାଣ ଶ୍ରମିକ କାର୍ଡ ଥିବାରୁ ଚଳିତ ମାସ ୬ ତାରିଖ ଦିନ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ବୀମା ରାଶି ପତ୍ନୀ ଲୁବେଙ୍କ ଆକାଉଣ୍ଟରେ ଜମା ହୋଇଥିଲା।

Advertisment

ସ୍ୱାମୀ ଦାଲାନା କାଡ୍ରାକାଙ୍କ ମୃତ୍ୟୁ ପରେ ନିର୍ମାଣ ଶ୍ରମିକ ପ୍ରମାଣପତ୍ର ଥିବାରୁ ସ୍ତ୍ରୀ ଲୁବେଙ୍କ ନିକଟକୁ ଦଲାଲ ପହଞ୍ଚିଯାଇଥିଲା। ତାଂକର ଆକାଉଣ୍ଟ ଏବଂ ଶ୍ରମ କାର୍ଡକୁ ନେଇ ବ୍ୟାଙ୍କ ଆକାଉଟଂକୁ ତନଖିବା ପରେ ବ୍ୟାଙ୍କରେ ୨ ଲକ୍ଷ ଟଙ୍କା ବୀମା ରାଶି ଆସିଥିବା ଜାଣିପାରିଥିଲେ। ଏନେଇ ଲୁବେକୁ ଦଲାଲ ସୂଚନା ଦେଇଥିଲା। ଲେବେ ଭାବିଥିଲା ସେହି ପଇସାରେ ନିଜ ଛୋଟ ଛୋଟ ୩ ପିଲାଙ୍କ ଭବିଷ୍ୟତ ଗଡିବ। ହେଲେ ସେହି ଟଙ୍କା ଉପରେ ଦଲାଲର ଲୋଲୁପ ଦୃଷ୍ଟି ଥିଲା। ସେଥିପାଇଁ ଲୁବେଙ୍କ ବ୍ୟାଙ୍କ ଖାତା ସହ ନିର୍ମାଣ ଶ୍ରମିକ ପ୍ରମାଣପତ୍ର ଦଲାଲ ମିନାରାଓ କରକରିଆ ନିଜ କବଜାରେ ରଖିଥିଲା। ଅଶିକ୍ଷିତ ଥିବାରୁ ଲୁବେ ବ୍ୟାଙ୍କରୁ ଟଙ୍କା ଉଠାଇ ପାରୁନଥିଲେ। ଲୁବେଙ୍କ ଦ୍ୱିତୀୟ ସନ୍ତାନ ଅସୁସ୍ଥ ଥିବାରୁ ଲୁବେ ନିଜ ସନ୍ତାନଙ୍କ ସହ ଡାକ୍ତରଖାନାରେ ଥିବା ସମୟରେ ଦଲାଲ ମିନାରାଓ ଲୁବେକୁ ଡାକି ତୁରନ୍ତ ମିଳିଥିବା ଟଙ୍କାରୁ ୭୫ ହଜାର ଟଙ୍କା ଦବାକୁ କହିଥିଲା ଓ ସେହି ପଇସା ରାୟଗଡା ଓ ଭୂବନେଶ୍ୱର କାର୍ଯ୍ୟାଳୟରେ ଥିବା ଅଫିସରଙ୍କୁ ପ୍ରଦାନ କରାଯିବ ବୋଲି କହି ମାଗିଥିଲା ଦଲାଲ।

ତେବେ ଟଙ୍କା ୧୦ ହଜାର ଦେବେ ବୋଲି ଲୁବେ କହିବା ପରେ ତାଙ୍କୁ ଦଲାଲ ଡରାଇବା ସହ ଇଏ କଣ ଗାଈ ଛେଳି ବେପାର କରୁଛୁକି କହି ଜବରଦସ୍ତ ତାଙ୍କର ଦସ୍ତଖତ କରାଇ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଉଠାଇ ନେଇଥିଲା ଦଲାଲ।ଅଶିକ୍ଷିତ ହୋଇଥିବାରୁ ଲୁବେ ଅଭିଯୋଗ କରିନପାରି ଚୁପ ହୋଇ ବସି ରହିଛନ୍ତି। ସରକାରଙ୍କ ବୀମା ଟଙ୍କା ମିଳିବା ପରେ ତାହାର ୩ ଦିନ ପରେ ଅର୍ଥାତ୍ ୧୦.୦୧.୨୪ ତାରିଖ ଦିନ ଦଲାଲ ମିନାରାଓ କାଡ୍ରାକା ଲୁବେକୁ ଡରାଇ ଧମକାଇ ତାଙ୍କ ଆକାଉଟଂରୁ ୫୦ ହଜାର ଟଙ୍କା କଡାଇ ନେଇ ଉଭାନ ହୋଇଯାଇଥିଲା।ଏହାପରେ କିଛି ଉପାୟ ନପାଇ ଲୁବେ ନିଜ ମନକୁ ମାରି ଚୁପ ହୋଇ ବସି ରହିବା ସହ ସାହାଯ୍ୟ କରିବା ପାଇଁ ବହୁ ଜଣଙ୍କୁ ନିବେଦନ କରିଛନ୍ତି।

ଅସହାୟ ଆଦିବାସୀ ବିଧବାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ତଦନ୍ତ କରି ଡୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ଅର୍ଥ ଯେପରି ବାଟମାରଣା ନହୁଏ ସେଥିପାଇଁ ଏହି ଅର୍ଥ ଡିବିଟି ମାଧ୍ୟମରେ ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଉଛି। ଯଦି ଏହା ହୋଇଛି ତାହାହେଲେ ସେ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରନ୍ତୁ ବୋଲି କହିଥିଲେ। ବିଧବା ମହିଳା ଜଣକ ଥାନା କଚେରୀ କେବେ ଯାଇନଥିବାରୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଅସହାୟ ମହିଳାଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି ହୋଇଛି।