ଚାଷୀଙ୍କୁ ବୀମା ବିପଦ: ଅଧାଚାଷୀ କରିନାହାନ୍ତି ଫସଲ ବୀମା, ମରୁଡ଼ି ହେଲେ ମିଳିବନି ସହାୟତା

ଅନୁଗୁଳ : ଏଥର ବର୍ଷା ନାହିଁ। ଅନୁଗୁଳ ଜିଲ୍ଲାରେ ମରୁଡ଼ି ପଦଧ୍ବନୀ ଶୁଭିଲାଣି। ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛି। ଏପଟେ ଏଥର ପ୍ରଧାନମନ୍ତ୍ରୀ ଫସଲ ବୀମା ବି ଆଖିଦୃଶିଆ ହୋଇନି। ଜିଲ୍ଲାର ପାଖାପାଖି ଅଧା ଚାଷୀ ଫସଲ ବୀମା କରିବାକୁ ଉଚିତ ମନେ କରିନାହାନ୍ତି। ତେଣୁ ମରୁଡ଼ି ହେଲେ ଚାଷୀଙ୍କ କ୍ଷତି ଭରଣା ହୋଇପାରିବନି। ଏହା ଚାଷୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି।

ମିଳିଥିବା ସୂଚନା ଅନୁସାରେ, ଚାଷ ପାଇଁ ଋଣ କରି ନ ଥିବା ଚାଷୀଙ୍କ ଭିତରୁ ଫସଲ ବୀମା ପାଇଁ ଚଳିତବର୍ଷ ମାତ୍ର ୫୭୯୭ ଟି ଆବେଦନ ପଡ଼ିଛି। ଏଥିରେ ପାଖାପାଖି ୫ ଶହ ଚାଷୀ ବୀମା ପାଇଁ ଆବେଦନ କରିଥିବା ଅନୁମାନ କରାଯାଉଛି। ଅର୍ଥାତ୍ ଜିଲ୍ଲାରୁ ମାତ୍ର ୫ ଶହ ଅଣଋଣୀ ଚାଷୀ ସେମାନଙ୍କ ଫସଲକୁ ବୀମାଭୁକ୍ତ କରିଛନ୍ତି। କିନ୍ତୁ ଗତବର୍ଷ ଲକଡାଉନ ଓ ସଟଡାଉନ ସତ୍ତ୍ବେ ୬ ହଜାରରୁ ଅଧିକ ଆବେଦନ ପଡ଼ିଥିଲା। ସେହିପରି ୨୦୧୯ରେ ବୀମା ପାଇଁ ପ୍ରାୟ ୭୮ ହଜାର ଆବେଦନ କରାଯାଇଥିଲା। ଏଥର ଆବେଦନ କମ୍ ଥିବାରୁ ଏବଂ ଏହି ଆବେଦନ ପାଇଁ ସମୟ ପାର୍ ହୋଇ ଯାଇଥିବାରୁ ବହୁ ଅଣଋଣୀ ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି।

ଅପରପକ୍ଷରେ ବ୍ୟାଙ୍କରୁ ଚାଷଋଣ ନେଇଥିବା ଚାଷୀଙ୍କ ଭିତରୁ ପାଖାପାଖି ୪୦ ଭାଗ ବୀମା କରିବାକୁ ରାଜି ହୋଇ ନାହାନ୍ତି। ସେମାନେ ଏ ଭିତରେ ବୀମା ନ କରିବାକୁ ବ୍ୟାଙ୍କକୁ ଘୋଷଣାପତ୍ର ଦେଇ ସାରିଛନ୍ତି। ବାକି ୬୦ ପ୍ରତିଶତ ଚାଷୀଙ୍କ ଭିତରୁ ବୀମା ପ୍ରତି ଆଗ୍ରହ ମଧ୍ୟ ଉତ୍ସାହଜନକ ନୁହେଁ। ଫସଲ ବୀମା କରିବା ନେଇ ତାରିଖ ଶେଷ ହୋଇଥିଲେ ମଧ୍ୟ ଏବେ ବି ବ୍ୟାଙ୍କମାନଙ୍କ ପକ୍ଷରୁ ଏହାର ଅପଡେଟ୍ କରାଯାଉଛି। ତେଣୁ ଅଗଷ୍ଟ ୧୫ ପରେ କେତେ ଚାଷୀ ବୀମା କରିଛନ୍ତି ତାହାର ସ୍ପଷ୍ଟ ଚିତ୍ର ଆସିପାରିବ। ଆଜି ସୁଦ୍ଧା ୨ଲକ୍ଷ ୧୯ ହଜାର ଆବେଦନ ପଡ଼ିଛି। କିନ୍ତୁ ଗତବର୍ଷ ବୀମା ପାଇଁ ୪ ଲକ୍ଷ ୧୧ ହଜାରରୁ ଅଧିକ ଆବେଦନ ପଡ଼ିଥିଲା। ଏହି ଆକଳନ ଅନୁସାରେ, ଋଣ ନେଇଥିବା ୭୦ ହଜାର ଚାଷୀଙ୍କ ଭିତରୁ ପାଖାପାଖି ୪୦ ହଜାର ଚାଷୀ ବୀମାଭୂକ୍ତ ହେବାର ସମ୍ଭାବନା ରହିଛି। ଏପରିକି ଏଥିରୁ ଆହୁରି କମ୍ ଚାଷୀ ମଧ୍ୟ ବୀମାଭୂକ୍ତ ହୋଇପାରନ୍ତି। ତେଣୁ ଜିଲ୍ଲାର ପ୍ରାୟ ଅଧା ଚାଷୀ ବୀମାରୁ ବଂଚିତ ହେବା ଏକପ୍ରକାର ସ୍ପଷ୍ଟ।

ସମ୍ବନ୍ଧିତ ଖବର