ସମନ୍ବିତ କୃଷି ବିକାଶ ଯୋଜନା: ଚାଷୀ ଚିହ୍ନଟରେ ନାକେଦମ କୃଷି ବିଭାଗ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ସମନ୍ବିତ କୃଷି ବିକାଶ ଯୋଜନାରେ ହିତାଧିକାରୀ ଚୟନ କାର୍ଯ୍ୟ ସମାପ୍ତ ହୋଇପାରୁନାହିଁ। ଏହାକୁ ନେଇ କିଛିମାସ ହେଲା କୃଷି ବିଭାଗର ଘନଘନ ବୈଠକ ହେଉଛି। ଯଥାଶୀଘ୍ର ଚାଷୀ ଚିହ୍ନଟ କରି ଯୋଜନା କାର୍ଯ୍ୟକାରୀ ପାଇଁ ଜିଲ୍ଲା କୃଷି ମୁଖ୍ୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

କୃଷି ବିଭାଗର ସୂଚନା ଅନୁସାରେ, କୃଷି, ଉଦ୍ୟାନ, ମତ୍ସ୍ୟ, ପଶୁପାଳନ, ମୃତ୍ତିକା ସଂରକ୍ଷଣକୁ ମିଶାଇ କୁହାଯାଉଛି ସମନ୍ବିତ କୃଷି ବିକାଶ ଯୋଜନା। ଜଣେ ଧାନ ଚାଷୀ କିମ୍ବା ଅନ୍ୟ ଯେକୌଣସି ଚାଷୀ ଏମ୍‌ଜିଏନ୍‌ଆର୍‌ଜିଏସ୍ ସହାୟତାରେ ନିଜ ଜମିରେ ପୋଖରୀ ଖନନ କରିବେ। ସେଠି ମାଛ ଚାଷ ସହିତ ନିକଟରେ ପରିବା କିମ୍ବା ଫଳ ଚାଷ ଏବଂ କୁକୁଡ଼ା, ଗୋରୁ କିମ୍ବା ଛେଳି ପାଳନ କରିବେ। ମାତ୍ର ୨୦୦ ବର୍ଗ ମିଟର ଜମିରେ ମଧ୍ୟ ପୋଖରୀ ଖୋଳି କିଚେନ ଗାର୍ଡେନ କରି ଚାଷୀ ଉପାର୍ଜନ କରିପାରିବେ ବୋଲି ଉପଦେଶ ଦିଆଯାଉଛି। ଯୋଜନା କାର୍ଯ୍ୟକାରୀ ପରେ ପିପିପି ମୋଡ୍‌ରେ ପୋଖରୀର ଆକାର ଅନୁସାରେ ୧ ଲକ୍ଷ ୮୩ ହଜାରରୁ ୧ ଲକ୍ଷ ୫୬ ହଜାର କିମ୍ବା ପୋଖରୀର ଆକାର ଅନୁସାରେ ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ଚାଷୀ ଆୟ ଦୁଇ ଗୁଣ ଲକ୍ଷ୍ୟରେ ଦେଶର ଅଧିକାଂଶ ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯାଇଛି।

୨୦୧୬ ମସିହାରେ ମାଲକାନଗିରିର ୪୦ଟି ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପରୀକ୍ଷାମୂଳକ ଭାବରେ ଏହା ଆରମ୍ଭ ହୋଇଥିଲା। ଏହାପରେ ରାୟଗଡ଼ା, ନବରଙ୍ଗପୁରରେ କାର୍ଯ୍ୟକାରୀ ହେଲା। ୨୦୨୦ ମସିହାରୁ ସମଗ୍ର ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ୨୦୨୧ ମସିହାରେ ରାଜ୍ୟର ସବୁ ଜିଲ୍ଲାର ୧୮୦୪ ଚାଷୀଙ୍କୁ ଚିହ୍ନଟ କରି ଏହି ଯୋଜନା ଅନ୍ତର୍ଗତରେ ସାମିଲ କରିବା ପାଇଁ ନିର୍ଦେଶ ରହିଲା। ୨୦୨୧ ଏବଂ ୨୦୨୨ ମସିହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଚିହ୍ନଟ ଚାଷୀଙ୍କ ସଂଖ୍ୟା ୧୯୦୦କୁ ବୃଦ୍ଧି ପାଇଛି। ଦେଢ଼ବର୍ଷ ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୫ଟି ଜିଲ୍ଲାରୁ ହିଁ ଲକ୍ଷ୍ୟ ଅନୁସାରେ ଶତ ପ୍ରତିଶତ ଚାଷୀ ଚିହ୍ନଟ କରିଥିବା ବିଭାଗ ସୂତ୍ରରୁ ପ୍ରକାଶ।

ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଗୁଡ଼ିକ ଚାଷୀ ଚିହ୍ନଟ କାର୍ଯ୍ୟ କରୁଛି। ଏହା କେବେ ସରିବ ଏବଂ ସମନ୍ବିତ କୃଷି ଯୋଜନାର ଲାଭ ସବୁ ଜିଲ୍ଲାକୁ କେବେ ମିଳିବ, ଏଥିସମ୍ପର୍କରେ କୃଷି ବିଭାଗ କହିପାରୁନାହିଁ। ଏହି ଯୋଜନା କାର୍ଯ୍ୟକାରୀର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା, ଜଣେ ଚାଷୀଙ୍କ ପାଇଁ ସବୁ କାର୍ଯ୍ୟ ଏକାଠି କରିବା ସହଜ ହେଉ ନାହିଁ। ଦ୍ବିତୀୟତଃ ଚାଷୀଙ୍କ ନିଜ ପୋଖରୀ ଥିଲେ ମଧ୍ୟ ସେ ଏହି ଯୋଜନାର ହିତାଧିକାରୀ ହୋଇପାରିବେନାହିଁ। ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଜରିଆରେ ହିଁ ତାଙ୍କୁ ପୋଖରୀ ଖୋଳିବାକୁ ପଡ଼ିବ। ଅନେକ ଚାଷୀଙ୍କ ପାଇଁ ପଶୁପାଳନ ସହଜ ହେଉନାହିଁ। ସେମାନେ ଏଥିପ୍ରତି ଆଗ୍ରହ ଦେଖାଇପାରୁନାହାନ୍ତି। ସର୍ବୋପରି ଯୋଜନା କାର୍ଯ୍ୟକାରୀ ପରେ ଟଙ୍କା ମିଳୁଥିବାରୁ ଆରମ୍ଭରୁ ଚାଷୀ ପାଇଁ ଟଙ୍କା ଅଭାବ ମଧ୍ୟ କାରଣ ହେଉଛି। ଏଥିଯୋଗୁଁ ଅଧିକାଂଶ ଜିଲ୍ଲା ହିତାଧିକାରୀ ଚିହ୍ନଟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରୁନଥିବା କୃଷି ବିଭାଗ କହୁଛି।

ସମ୍ବନ୍ଧିତ ଖବର