ଭୁବନେଶ୍ବର : କୃଷି ବିଭାଗର ସମସ୍ତ ସ୍କିମ୍ ଅଧିକାରୀଙ୍କ ସହ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଏକ ବୈଠକ କରି ବିଭିନ୍ନ ଯୋଜନା ବାବଦ ଖର୍ଚ୍ଚର ଅଗ୍ରଗତିର ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଥିଲେ ଯେ ଚାଷ କାର୍ଯ୍ୟ ସମୟକୁ ଅପେକ୍ଷା କରେ ନାହିଁ। ତେଣୁ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଆବଶ୍ୟକ। ଯୋଜନା କାର୍ଯ୍ୟକାରିତାର ଆଗୁଆ ପଦକ୍ଷେପ, ଠିକ୍ ସମୟରେ ବିଭିନ୍ନ କୃଷି ସାମଗ୍ରୀର ବିତରଣ ଓ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ସ୍ବଚ୍ଛତା ଅବଲମ୍ବନ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।
ବୈଠକରେ ବିଜିଆର୍ଇଆଇ, ଏନ୍ଏଫ୍ଏସ୍ଏମ୍, ପିକେଭିୱାଇ, କୃଷି ଯାନ୍ତ୍ରିକୀକରଣ ଆଦି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ଫସଲର ବିବିଧୀକରଣ ଓ ତୈଳବୀଜ ଚାଷର ପ୍ରସାର ନିମନ୍ତେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଚଳିତ ଖରିଫ ଋତୁରେ କିପରି ଚିନାବାଦାମ ଉତ୍ପାଦନ ବୃଦ୍ଧି କରି ହେବ, ସେ ସମ୍ପର୍କରେ ପ୍ରସ୍ତାବ ଦେବା ପାଇଁ କହିଥିେଲ। ବିଭିନ୍ନ ଯୋଜନାର ବାର୍ଷିକ କାର୍ଯ୍ୟକ୍ରମ ଓ କାର୍ଯ୍ୟାନ୍ବୟନର ସଫଳ କାହାଣୀକୁ ରାଜ୍ୟର ଚାଷୀ ଭାଇମାନଙ୍କ ଅବଗତି ନିମନ୍ତେ ସାମାଜିକ ଗଣମାଧ୍ୟମରେ ଚାର୍ଟ ମେସେଜ୍ ଓ ଭିଡିଓ ମାଧ୍ୟମରେ ପ୍ରଚାର କରିବା ପାଇଁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ପିକେଭିୱାଇ କାର୍ଯ୍ୟକ୍ରମରେ ଓଡ଼ିଶାର ୭୫୦ ମେଟ୍ରିକ୍ ଟନ୍ ଜୈବିକ ସୁବାସିତ ଚାଉଳ ଇରାନ ଓ ୟୁନାଇଟେଡ୍ ଆରବ ଏମିରଟସ୍କୁ ରପ୍ତାହୀ ହୋଇଥିବା କଥା ଉଲ୍ଲେଖ କରି ମନ୍ତ୍ରୀ କହିଥିେଲ ଯେ ସଫଳ କାହାଣୀର ଉପଯୁକ୍ତ ପ୍ରଚାର, ପ୍ରସାର ଫଳରେ ଚାଷୀମାନେ ଅଧିକ ଉତ୍ସାହିତ ହେବେ। ଏଥି ସହିତ ଯୋଜନା ପ୍ରସ୍ତୁତି ସମୟରେ ଅର୍ଗାନିକ୍ କୃଷି କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ। ରାଜ୍ୟର ଜଳନିଧି ଓ ସୌର ଜଳନିଧି ଯୋଜନାର ଅଗ୍ରଗତି ଓ ଏହାକୁ ଅଧିକ ଫଳପ୍ରଦ କରିବା ପାଇଁ ଏକ ସ୍ବତନ୍ତ୍ର ବୈଠକ ଡାକିବାକୁ ସେ କହିଥିଲେ।
ବୈଠକରେ କୃଷି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଚଳିତ ବର୍ଷ କେନ୍ଦ୍ର ଅନୁଦାନ ଜୁଲାଇ ମାସ ସୁଦ୍ଧା ପହଞ୍ଚିଯିବ। ତେଣୁ ସ୍କିମ୍ ଅଧିକାରୀମାନେ ଆଗୁଆ ପଦକ୍ଷେପ ନେଇ ଚଳିତ ବର୍ଷର ଆକ୍ସନ୍ ପ୍ଲାନ୍ ଅନୁସାରେ କାର୍ଯ୍ୟ କଲେ ଯୋଜନା ଠିକ୍ ଭାବେ ରୂପାୟନ ହୋଇପାରିବ। କୃଷି ନିେର୍ଦ୍ଦଶକ ଏମ୍ ମୁଥୁକୁମାର ଚଳିତ ବର୍ଷର କାର୍ଯ୍ୟଖସଡ଼ା ଏପ୍ରିଲ୍ ୨୩ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/arun-sahu-bkf.jpg)