ବାଲେଶ୍ୱରରେ ଖୋଲିବ ଇଣ୍ଟିଗ୍ରେଟେଡ୍‌ ଆୟୁଷ ହସ୍ପିଟାଲ

ସ୍ୱଚ୍ଛତା ଅଭିଯାନରେ ସାମିଲ ହେବେ ଆୟୁଷ ହସ୍ପିଟାଲ

ଭୁବନେଶ୍ୱର : ବାଲେଶ୍ୱରରେ ନିର୍ମାଣ ହେବ ଇଣ୍ଟିଗ୍ରେଟେଡ୍‌ ଆୟୁଷ ହସ୍ପିଟାଲ। ଗୋଟିଏ ଛାତ ତଳେ ଆୟୁର୍ବେଦ, ହୋମିଓପ୍ୟାଥି, ୟୁନାନି ଓ ଯୋଗ ଶିକ୍ଷା ଦିଆଯିବ। ଏଥିପାଇଁ ୨ ଏକର ଜାଗା ଚିହ୍ନଟ ହୋଇସାରିଛି। ସବୁ ବିଭାଗକୁ ମିଶାଇ ୨୦ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟ ଆୟୁଷ ମିସନ୍‌ର ବାର୍ଷିକ ପ୍ଲାନ୍‌ରେ ଏହି ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।

ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାଲେଶ୍ୱର ଟାଉନ୍‌ର ସହଦେବ ଖୁଣ୍ଟାରେ ଏହି ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା ହୋଇଛି। ୨୦୧୮/୧୯ ବର୍ଷ ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ସମୁଦାୟ ୨୯.୭୮କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହାର ୬୦ଭାଗ ଅର୍ଥ କେନ୍ଦ୍ର ଦେଉଥିବା ବେଳେ ବଳକା ୪୦ଭାଗ ରାଜ୍ୟ ସରକାର ବହନ କରିବେ। ବାଲେଶ୍ୱରରେ ହେବାକୁ ଥିବା ଇଣ୍ଟିଗ୍ରେଟେଡ୍‌ ଆୟୁଷ ହସ୍ପିଟାଲ ପାଇଁ ୧୦ କୋଟି ଟଙ୍କା ଖର୍ଚ ହେବ। ଏହାସହ ଢେଙ୍କାନାଳ ଓ ଗଞ୍ଜାମରେ ମଧ୍ୟ ଇଣ୍ଟିଗ୍ରେଟେଡ୍‌ ଆୟୁଷ ହସ୍ପିଟାଲ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ଯେଉଁ ଅଞ୍ଚଳରେ ହୋମିଓପ୍ୟାଥି ଓ ଆୟୁର୍ବେଦିକ ହସ୍ପିଟାଲ ଡିସ୍‌ପେନ୍‌ସାରିର ନିଜସ୍ୱ ବିଲ୍ଡିଂ ନାହିଁ ସେଠାରେ ନୂତନ ବିଲ୍ଡିଂ ନିର୍ମାଣ କରାଯିବ। ପ୍ରତ୍ୟେକ ଡିସ୍‌ପେନସାରି ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଅଟକଳ କରାଯାଇଛି।

ଅପରପକ୍ଷରେ ଆଶାମାନଙ୍କୁ ମଧ୍ୟ ଆୟୁର୍ବେଦର ଉପକାରିତା ନେଇ ତାଲିମ ପ୍ରଦାନ କରାଯିବ। ରାଜ୍ୟରେ ଥିବା ପ୍ରାୟ ୪୫ହଜାର ଆଶାଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆଶାମାନଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ରଭାବେ ଡାକ୍ତର ମଧ୍ୟ ନିଯୁକ୍ତ ହେବେ। ଅନ୍ୟ ସରକାରୀ ହସ୍ପିଟାଲ ଭଳି ଆୟୁଷ ହସ୍ପିଟାଲଗୁଡ଼ିକୁ ମଧ୍ୟ ‘କାୟାକଳ୍ପ’ ଭଳି ସ୍ୱଚ୍ଛତା ଅଭିଯାନରେ ସାମିଲ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୪ଟି ହୋମିଓପ୍ୟାଥି ଓ ୩ଟି ଆୟୁର୍ବେଦିକ ହସ୍ପିଟାଲର ଉନ୍ନତିକରଣ ପାଇଁ ୪କୋଟି ୮୦ଲକ୍ଷ ଖର୍ଚ କରାଯିବ। ବିଭିନ୍ନ ମିନି ଫାର୍ମାସିର ଉନ୍ନତିକରଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର