ମଇ ୧ରୁ ସୁନ୍ଦରଗଡ଼ରେ ସମନ୍ବିତ ଟ୍ରାଫିକ ପରିଚାଳନା: ଉଲ୍ଲଂଘନକାରୀଙ୍କୁ ଇ-ଜରିମାନା 

ସୁନ୍ଦରଗଡ଼: ସୁନ୍ଦରଗଡ଼ର  ବେପରୱା ଗାଡ଼ି ଚାଳକମାନେ ସାବଧାନ। ଏଣିକି ଟ୍ରାଫିକ ଓ ମଟରଯାନ ଆଇନ ଉଲ୍ଲଂଘନକାରୀଙ୍କୁ ପୁଲିସ କି ମଟରଯାନ ଅଧିକାରୀମାନେ ଅଟକାଇ ଜରିମାନା କରିବେ ନାହିଁ। ଜରିମାନା କମ୍ କରିବା ବା ଜରୁରୀ କାମରେ ଯାଉଛି କହି ଥରେ ଛାଡିଦେବାକୁ ଅନୁନୟ ହେବାକୁ ସୁଯୋଗ ମିଳିବ ନାହିଁ। କାରଣ ଆଗକୁ ସ୍ବୟଂଚାଳିତ ସିସିଟିଭି କ୍ୟାମେରା ଗାଡିର ନମ୍ବର ରେକର୍ଡ  କରିବା ସହ ଇ- ଜରିମାନା କଟିଦେଵ। ସମନ୍ନିତ ଟ୍ରାଫିକ ପରିଚାଳନା ବ୍ୟବସ୍ଥାରେ ଆପେ ଆପେ ଏସବୁ ପ୍ରକ୍ରିୟା ପରିଚାଳିତ ହେବ।

ଆସନ୍ତା ମେ ୧ ତାରିଖରୁ ସୁନ୍ଦରଗଡ଼ ସହର ସମେତ ରାଜ୍ୟ ରାଜପଥ-୧୦ (ବିଜୁ ଏକ୍ସପ୍ରେସ ୱେ)ରେ ସମନ୍ନିତ ଟ୍ରାଫିକ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏଥିରେ ନୂଆ ମଟରଯାନ ଆଇନ ୨୦୧୯ ଅନୁସାରେ ଟ୍ରାଫିକ ଓ ମଟରଯାନ ଆଇନ ଉଲ୍ଲଂଘନକାରୀଙ୍କୁ ଇ- ଜରିମାନା କରାଯିବ। ରାସ୍ତାରେ, ଟ୍ରାଫିକ ଛକରେ କୌଣସି ମୁହୂର୍ତ୍ତରେ କେହି  ନିୟମ ଉଲ୍ଲଂଘନ କଲେ ଏ ବ୍ଯବସ୍ଥା ଆପଣାଛାଏଁ ଧରି ପକାଇବ। ବୁଧବାର ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ସୁକାନ୍ତ କୁମାର ଦାସ ଏକ ସଚେତନତା ବୈଠକରେ ଗାଡି ମାଲିକ ଓ ସହରର ନାଗରିକମାନଙ୍କୁ ସୂଚନା ଦେଇଥିଲେ। ବିଶେଷ କରି ବିନା ହେଲମେଟ୍, ବିନା ବେଲ୍ଟ, ବାଇକରେ ୩ ଜଣ ବସିଯିବା, ଦ୍ରୁତ ଗତିରେ ଗାଡି ଚଲାଇବା, ଟ୍ରାଫିକ ଛକରେ ଥିବା ନିୟମ ଉଲ୍ଲଂଘନ କଲେ ଗାଡି ମାଲିକ ଇ- ଜରିମାନା ଦେବାକୁ ବାଧ୍ଯ ହେବେ। ଏହା ଛଡା ଏକ୍ସପ୍ରେସ ୱେରେ କାଂସବାହଲ ଚିକଟମାଟିରୁ ଭଷ୍ମା ଯାଏ ଶହେରୁ ଅଧିକ ଦ୍ରୁତ ଗତିରେ ଯାଉଥିବା ଗାଡି ଜରିମାନା ଗଣିବେ। ରାସ୍ତାରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏହି ଅତ୍ଯାଧୁନିକ ବ୍ଯବସ୍ଥା କରାଯାଇଥିବା ପରିବହନ ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଥିଲେ। ବୈଠକରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା, ମଟରଯାନ ନିରୀକ୍ଷକ ଦଳନି ସା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର