ସଚ୍ଚୋଟପଣିଆ ଦେଖାଇଲେ ଟିଟିଇ : ଟ୍ରେନ୍‌ରେ ଭୁଲି ଯାଇଥିବା ଟଙ୍କା ଓ ସୁନାଗହଣା ଭର୍ତ୍ତି ବ୍ୟାଗ ମହିଳାଙ୍କୁ ଫେରାଇଲେ

ଜଟଣୀ: ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିବା ଏସି ସ୍ପେଶାଲ ଟ୍ରେନରୁ ଜଣେ ଟିଟିଇ ଏକ ଟଙ୍କା ଓ ସୁନାଗହଣା ଭର୍ତ୍ତି ବ୍ୟାଗ ପାଇ ତାହାକୁ ସଂଗେସଂଗେ ସମ୍ପୃକ୍ତ ଯାତ୍ରୀଙ୍କୁ ଫେରାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଟିଟିଇଙ୍କ ସଚ୍ଚୋଟପଣିଆ ପ୍ରଶଂସିତ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ୬ଟାରେ ନୂଆଦିଲ୍ଲୀରୁ ଛାଡ଼ିଥିବା ଏସି ସ୍ପେଶାଲ ଟ୍ରେନ ସଂରକ୍ଷିତ ବଗିର ବି-୯ର ୪୮ ନମ୍ବର ସିଟରେ ମୋଗଲସରାଇରୁ ଅକୃତି ଶ୍ରୀବାସ୍ତବ(୩୬) ନାମ୍ନୀ ଯାତ୍ରୀ ଯାତ୍ରା କରି ଗୟାରେ ଓହ୍ଲାଇ ଯାଇଥିଲେ। ଟ୍ରେନ୍‌ରୁ ଓହ୍ଲାଇବା ବେଳେ ଭୁଲବଶତଃ ସେ ସିଟ ଉପରେ ଏକ ଲାଲ ରଙ୍ଗର ଭ୍ୟାନିଟ ବ୍ୟାଗ ଛାଡ଼ି ଚାଲି ଯାଇଥିଲେ।

Khurda Road

କିଛି ସମୟ ପରେ ବ୍ୟାଗ ଉପରେ ଟ୍ରେନର କାପଟେନ କୌଶିକ ସାହାଙ୍କ ନଜର ପଡିଥିଲା। ସାହା ସଙ୍ଗେସଙ୍ଗେ ବ୍ୟାଗଟିକୁ ନିଜ ଅକ୍ତିଆରକୁ ନେଇ ବ୍ୟାଗଟି କାହାର ତାହାର ଅନୁସନ୍ଧାନ ପାଇଁ ବ୍ୟାଗର ଚେନ୍‌ ଖୋଲିଥିଲେ। ବ୍ୟାଗ ଭିତରେ ପ୍ରାୟ ୨୨ ହଜାର ଟଙ୍କା, ଏକ ବଡ଼ ସୁନା ଚେନ, ମଙ୍ଗଳ ସୂତ୍ର, ମୁଦି, କାନ ଫୁଲ ଓ ପାଉଞ୍ଜି ଏବଂ ମେକଅପ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖିବାକୁ ପାଇଲେ। ବ୍ୟାଗରୁ ମହିଳାଙ୍କ ଫୋନ ନମ୍ବର ପାଇ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

ମହିଳା ଯାତ୍ରୀ ଜଣକ ଫୋନ୍‌ ଉଠାଇବା ପରେ ସେ ତାଙ୍କର ପର୍ସଟି ଟ୍ରେନ୍‌ରେ ଛାଡ଼ି ଯାଇଥିବା ନେଇ ସୂଚନା ଦେଇଥିଲେ। ଏଥିସହିତ ଏହି ଘଟଣା ସମ୍ପର୍କରେ ଜଣାଇବା ପାଇଁ ସେ ଖୋର୍ଦ୍ଧାରୋଡ଼ କଣ୍ଟ୍ରୋଲ ଓ ଗୋମୋ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିଥିଲେ।

ଗୋମୋ ଷ୍ଟେସନରେ ଗାଡି ପହଞ୍ଚିବା ପରେ ଖବର ପାଇ ଉପସ୍ଥିତ ଆରପିଏଫ ଯବାନଙ୍କୁ ସାହା ସାଥି କର୍ମଚାରୀ ଜି କେ ଆନନ୍ଦ ଓ ଚନ୍ଦ୍ରା ରାଜୁଙ୍କ ଉପସ୍ଥିତରେ ଭ୍ୟାନିଟ ବ୍ୟାଗଟି ହସ୍ତାନ୍ତର କରିଥିଲେ। ତା’ ପରେ ସାହା ଉକ୍ତ ମହିଳାଙ୍କୁ  ଆରପିଏଫ ଯବାନଙ୍କ ସହିତ ଯୋଗାଯୋଗ କରାଇ ଦେଇଥିଲେ। ମହିଳା ଜଣଙ୍କ ଟିଟିଇଙ୍କର ଏଭଳି ସଚ୍ଚୋଟପଣିଆକୁ ଭୁରି ଭୁରି ପ୍ରଶଂସା କରିବା ସହ ରେଳ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ବୋଲି ଶ୍ରମିକ କଂଗ୍ରେସର ଶାଖା ସଂପାଦକ ତଥା ଟିଟିଇମାନଙ୍କ ବରିଷ୍ଠ ନେତା ଏଲ ଡି ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର