ଭୁବନେଶ୍ବର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବିଦ୍ୟାଳୟଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ଭିତ୍ତିଭୂମି ଦୋହଲିଗଲାଣି। ୫-ଟି ରୂପାନ୍ତରୀକରଣ, ମୋ ସ୍କୁଲ ଅଭିଯାନ ପରି ଏକାଧିକ ଯୋଜନା ବିଫଳ ହୋଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଗଭଳି ଶୈକ୍ଷିକ ବାତାବରଣ ନାହିଁ। କୁଳପତି ପଦବି ଖାଲି ପଡ଼ିଛି। ବିଶ୍ବବିଦ୍ୟାଳୟ ନୂଆ ଚିନ୍ତାଧାରା ଓ ଚେତନାର ସ୍ଥଳ ହୋଇଥିଲେ ମଧ୍ୟ ତାହା କ୍ରମଶଃ ହ୍ରାସ ପାଉଛି। ଶିକ୍ଷା ଅଧିକାରୀଙ୍କ ବଦଳରେ ଅଫିସରମାନେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ରାଜୁତି କରୁଛନ୍ତି। ପରିଣାମ ସ୍ବରୂପ ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ରତା ବୋଲି ଆଉ କିଛି ନାହିଁ। କୁଳପତିମାନଙ୍କୁ ଅଫିସରଙ୍କ ଅଧସ୍ତନ କରି ଦିଆଯାଇଛି। ସେମାନେ ଏବେ ରାଜ୍ୟ ସରକାରଙ୍କ ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି। ଏହାରି ଭିତରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆଣିବାକୁ ଯାଉଥିବା ନୂଆ ନିୟମ ଅନୁଯାୟୀ ଶିଳ୍ପ ସଂସ୍ଥାର ମାଲିକମାନେ କୁଳପତି ହୋଇପାରିବେ। ପ୍ରଫେସର ହେବା ପାଇଁ ଆଉ ଗବେଷଣାର ଆବଶ୍ୟକତା ରହିବ ନାହିଁ କି ସନ୍ଦର୍ଭ ଲେଖିବା ଦରକାର ପଡିବନି। ଏହାଦ୍ବାରା ଓଡ଼ିଶାର ଉଚ୍ଚଶିକ୍ଷା ଆହୁରି ଖରାପ ହେବ ବୋଲି ‘ଓଡ଼ିଶାର ଶିକ୍ଷା: ଆହ୍ବାନ ଓ ସମ୍ଭାବନା’ ଶୀର୍ଷକ ଆଲୋଚନାଚକ୍ରରେ ପୂର୍ବତନ କୁଳପତି, ଶିକ୍ଷାବିତ୍, ବୁଦ୍ଧିଜୀବୀ, ସମାଜସେବୀମାନେ ମତପ୍ରକାଶ କରିଛନ୍ତି।
ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ଓୟୁଏଟି ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ଫକୀରମୋହନ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ଶିକ୍ଷକ ନେତା ଅମୀୟ ମହାନ୍ତି ସଂଯୋଜନା କରିଥିଲେ। ନଦୀ ଆନ୍ଦୋଳନର କର୍ମୀ ସୁଦର୍ଶନ ଦାସ ସ୍ୱାଗତ ଭାଷଣ ଦେବା ସହ ଆଲୋଚନାଚକ୍ରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ଘୋଷଣା ହୋଇଛି। ତେବେ କୌଣସି ଶିକ୍ଷାବିତ୍, ବୁଦ୍ଧିଜୀବୀ କିମ୍ବା ଶିକ୍ଷାକ୍ଷେତ୍ରରେ କର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପରାମର୍ଶ ନିଆ ନ ଯିବା ଦୁଃଖର ବିଷୟ ବୋଲି ଉପସ୍ଥିତ ଆଲୋଚକମାନେ କ୍ଷୋଭ ପ୍ରକାଶ କରିଥିଲେ। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଦେଖା ଦେଇଥିବା ଏଭଳି ଦୁରବସ୍ଥାକୁ ନେଇ ସ୍ୱର ଉଠାଇବାକୁ ଆଲୋଚନାଚକ୍ରରେ ନିଷ୍ପତ୍ତି ସହ ଓଡ଼ିଶା ବିକଳ୍ପ ଶିକ୍ଷା ମଞ୍ଚ ଗଠନ ହୋଇଛି। ପ୍ରଫେସର ବିନାୟକ ରଥ ଏହାର ଅଧ୍ୟକ୍ଷ ରହିଥିବା ବେଳେ ଉପାଧ୍ୟକ୍ଷ ଭାବେ ପ୍ରଫେସର ପଶୁପାଳକ ଓ ସୁଦର୍ଶନ ଦାସ, ସାଧାରଣ ସମ୍ପାଦକ ଭାବେ ପ୍ରଫେସର ଅଧିକାରୀ ରହିଛନ୍ତି। ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ବିବେକାନନ୍ଦ ଦାସ ଓ ଡା. ସେବା ମହାପାତ୍ର ଉପଦେଷ୍ଟା ଅଛନ୍ତି। ଏକ ୧୫ ଜଣିଆ କାର୍ଯ୍ୟକାରିଣୀ ଗଢ଼ାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର କିଶୋର ସାମଲ, ଗୋଲକ ନାଥ, ସୁଧୀର ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ଦୁର୍ଯ୍ୟୋଧନ ପରିଡ଼ା, ମଧୁସୂଦନ ମିଶ୍ର, ପ୍ରଦୀପ୍ତ ନାୟକ, ସୁବାସ ନାୟକ, ଦୁଷ୍ମନ୍ତ ନାୟକ, ଶୁଭ୍ରାଂଶୁ ଉଦ୍ଗାତା, ବୃନ୍ଦାବନ ମହାପାତ୍ର, ନଗେନ୍ଦ୍ର ମିଶ୍ର ପ୍ରମୁଖ ଆଜିର ଆଲୋଚନାରେ ଭାଗ ନେଇଥିଲେ।