ଭୁବନେଶ୍ବର : ଗୁଇନ୍ଦା ବିଭାଗର ଏକ ଚିଠିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗୁଇନ୍ଦା ମହାନିର୍ଦ୍ଦେଶକଙ୍କ ଦସ୍ତଖତ ଥିବା ଦର୍ଶାଇ ଏହି ଚିଠିକୁ ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀେର ପ୍ରଦର୍ଶନ କରାଯାଇଛି। ଏହାର କିଛି ସମୟରେ ପୁଲିସ୍ ଡିଜି ଟ୍ବିଟ୍ କରି ଚିଠିକୁ ନକଲି ଦର୍ଶାଇବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଲେ। ଏହି ଚିଠିକୁ ନକଲି କହି ବିଜେଡି ବି ପ୍ରତିବାଦ ଜଣାଇଛି।
ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚିଠି ଦେଖାଇଥିଲେ। ଏଥିରେ ବିଜେପି ନେତା ସମୀର ମହାନ୍ତି ଓ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।
ଏହି ସାମ୍ବାଦିକ ସମ୍ମିଳନୀର କିଛି ସମୟରେ ପୁଲିସ୍ ଡିଜି ଆର୍ ପି ଶର୍ମା ଟ୍ବିଟ୍ କରି ଜଣାଇଥିଲେ, ଏକ ରାଜନୈତିକ ଦଳର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପୁଲିସ୍ର ଗୁଇନ୍ଦା ବିଭାଗର ଏକ ନକଲି ରିପୋର୍ଟକୁ ପ୍ରଦର୍ଶନ କରାଯାଇଛି। ଏହା ନକଲି ଓ ଚଞ୍ଚକତାର ସହ ତାହାକୁ ପ୍ରସ୍ତୁତ କରାଯାଇଛି ବୋଲି ଡିଜି ସ୍ପଷ୍ଟ କରିବା ସହ ଏ ନେଇ ଏଫ୍ଆଇଆର୍ ଦିଆଯିବ ବୋଲି ସୂଚନା ଦେଇଥିଲେ। ଏହା ପରେ ସ୍ପେସାଲ୍ ବ୍ରାଞ୍ଚ୍ ଏସ୍ପି କାର୍ତ୍ତିକେଶ୍ବର ସାମଲ ଏ ନେଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। ରାଜ୍ୟ ଗୁଇନ୍ଦା ବିଭାଗର ନାମରେ ନକଲି ଚିଠି ପ୍ରସାରଣ କରାଯିବା ନେଇ ଏତଲା ଦାୟର କରାଯାଇଥିଲା। ଏଥିରେ କୁହାଯାଇଥିଲା, ଗୁଇନ୍ଦା ନିର୍ଦ୍ଦେଶାଳୟରେ ‘ଏସ୍ଆଇବି ପଲିଟିକାଲ୍ ଡେସ୍କ’ ବୋଲି କିଛି ନାହିଁ। ଏମିତି ଚିଠି ନିର୍ଦ୍ଦେଶାଳୟରେ ଆଦୌ ଇସ୍ୟୁ କରାଯାଇ ନାହିଁ। ଏହାକୁ ଜାଲିଆତି କରାଯାଇ ପ୍ରଦର୍ଶନ କରାଯାଉଛି।
ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଗଣମାଧ୍ୟମକୁ କହିଥିଲେ, ବିଜେପି ପକ୍ଷରୁ ପ୍ରଦର୍ଶନ କରାଯାଇଥିବା କାଗଜକୁ ନକଲି ବୋଲି ଓଡ଼ିଶା ପୁଲିସ୍ ସ୍ପଷ୍ଟ କରିସାରିଛି। ବିଜେପି ପକ୍ଷରୁ ଏହି କାଗଜର ସତ୍ୟତା ଯାଞ୍ଚ୍ କରା ନ ଯାଇ ଗଣମାଧ୍ୟମରେ ଦେଖାଯିବା ଆଶ୍ଚର୍ଯ୍ୟର ବିଷୟ। ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍ ମଧ୍ୟ ଏହି ନକଲି ଚିଠିକୁ ପ୍ରସାରଣ କରିଚାଲିଲା। ନିର୍ବାଚନର ଗାଇଡ୍ଲାଇନ୍ ଅନୁଯାୟୀ ଯେ କୌଣସି ଖବର ପ୍ରସାରଣ ବେେଳ ଅପର ପକ୍ଷର ମତାମତ ନେବା ବାଧ୍ୟତାମୂଳକ। କିନ୍ତୁ ଏହି ଖବରରେ ପୁଲିସ୍ର ମତାମତ ନିଆଯାଇନି। ପଶ୍ଚିମ ଓଡ଼ିଶାରୁ ବିଜେଡି ସଭାପତି ପ୍ରାର୍ଥୀ ହେବା ପାଇଁ ଘୋଷଣା ହେଲା ପରେ ବିଜେପି କିପରି ଭୟଭୀତ ହୋଇଛି, ତାହା ଏହି ଅଭିଯୋଗରୁ ଜଣାପଡ଼ୁଛି। ଓଡ଼ିଶାବାସୀ ବିଜେପିକୁ କ୍ଷମା ଦେବେ ନାହିଁ।
ଅପର ପକ୍ଷରେ ପୁଲିସ୍ ଡିଜିଙ୍କ ଟ୍ବିଟ୍କୁ ନେଇ ଆପତ୍ତି ଉଠାଇ କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି, ପୁଲିସ୍ ଡିଜି ଏହି ଘଟଣାରେ କାହିଁକି ଏତେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି? ଏହି ଚିଠିଟି ସତ୍ୟ କି ନୁହେଁ ତାହାର ଯା˚ଚ କରାଯାଇଛି କି? ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିବା ପରେ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ହିସାବରେ ସେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ନ କରି ପଦବିର ନିରପେକ୍ଷତାକୁ ବଜାୟ ରଖିବା ପରିବର୍ତେ କିଭଳି ଭାବରେ ଏବ˚ କାହିଁକି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଭାପତିଙ୍କ ପାଇଁ ଏତେ ଦରଦ ଦେଖାଉଛନ୍ତି? କ˚ଗ୍ରେସ ଏହି ଅଭିଯୋଗକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦାବିପତ୍ର ପ୍ରଦାନ କରିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।