ଓଡ଼ିଶାରେ ଶୀତ ଅସମ୍ଭ‌ାଳ : ୧୩ ଜିଲ୍ଲାକୁ ସତର୍କ ସୂଚନା, ପାରଦ ସ୍ୱାଭାବିକ ଠାରୁ ୬ଡିଗ୍ରି ଖସିଲା

୫ ଡିଗ୍ରି ତଳେ ସୋନପୁର, ଅନୁଗୁଳ, ୧ରୁ ୪ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ବର : ସାରା ଓଡ଼ିଶା ଏବେ ଜାଡ଼ରେ ଥରୁଛି। ଅଧିକାଂଶ ସ୍ଥାନରେ ପାରଦ ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରି ପର୍ଯ୍ୟନ୍ତ ଖସିଯାଇଛି। ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ଶୀତ ହେଉଛି। ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେଲା ତୁଷାରପାତ ଲାଗିରହିଛି। ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ ଲୋକ ଘରୁ ବାହାରିବାକୁ ଡରୁଛନ୍ତି। ଓଡ଼ିଶାରେ ଲୋକ କାଶ୍ମୀର ଭଳି ଥଣ୍ଡା ଅନୁଭବ କରୁଛନ୍ତି। ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଆଉ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ। ଏଥିପାଇଁ ଅଧା ଓଡ଼ିଶାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୩ଟି ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

ଆଜି ସୋନପୁରରେ ପାରଦ ରେକର୍ଡ ଭାଙ୍ଗିଛି। ଶନିବାର ପାରଦ ୪ଡିଗ୍ରିକୁ ଖସିଥିବା ବେଳେ ଆଜି ଏହା ୩.୪ଡିଗ୍ରିକୁ ଖସିଯାଇଛି। ସେହିପରି ଅନୁଗୁଳରେ ପାରଦ ୪.୬ଡିଗ୍ରିକୁ ଖସିଥିବା ବେଳେ ଫୁଲବାଣୀରେ ୫ଡିଗ୍ରି, ଦାରିଙ୍ଗବାଡ଼ିରେ ୫.୫ଡିଗ୍ରି ଛୁଇଁଛି। କିନ୍ତୁ ଆଉ ଦୁଇଦିନ ପ୍ରବଳ ଥଣ୍ଡା ହେବାକୁ ଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

www.indiatoday.in

ରାଜ୍ୟରେ ହଠାତ୍‌ ପ୍ରବଳ ଶୀତ ପଡ଼ିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ‌ଦିନବେଳା ଥଣ୍ଡା ପବନ ବହୁଥିବାରୁ ପ୍ରବଳ ଶୀତ ହେଉଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଥଣ୍ଡା ଜାରି ରହିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୬ ଡ଼ିଗ୍ରି ପର୍ଯ୍ୟନ୍ତ କମିଥିଲା। କାରଣ ଉତ୍ତରା ପଶ୍ଚିମା ଥଣ୍ଡା ପବନ ସହ ସୋନପୁରରେ ପବନର ବେଗ ବହୁତ କମ୍‌ ତଥା ଶାନ୍ତ ରହିଥିବାରୁ ଏଠାରେ ଅଧିକ ଥଣ୍ଡା ଅନୁଭୂତ ହେଉଥିଲା। ହେଲେ ଆଜିଠାରୁ ପବନର ଦିଗ ପରିବର୍ତନ ହୋଇଛି। ରାଜ୍ୟକୁ ଉତ୍ତରା ପଶ୍ଚିମା ପବନ ବହୁନି। ବଙ୍ଗୋପସାଗରୀୟ ପବନ ଉତ୍ତର ଆଡୁ ଓଡିଶାକୁ ଆସୁଛି। ୩୧ ତାରିଖ ଠାରୁ ବଙ୍ଗୋପସାଗରୀୟ ପବନ ରାଜ୍ୟକୁ ସିଧା ବହିବ। ତେଣୁ ଥଣ୍ଡା କମିବ।

ହେଲେ ଏହି ପବନ ପ୍ରବାହରେ ବର୍ଷା ହେବାର ସମ୍ଭାବନା ଅଛି। ଜାନୁଆରି ୧ରୁ ଉତ୍ତର ପଶ୍ଚିମ ସୀମାନ୍ତରେ ବର୍ଷା ଆରମ୍ଭ ହେବ। ୨ ତାରିଖରେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହେବ। ଦୁଇ ଓ ତିନି ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ତିନି ଓ ଚାରି ତାରିଖରେ ଉତ୍ତର ପୂର୍ବ ଉପକୂଳରେ ବର୍ଷା ହେବ। ବୌଦ୍ଧଠାରୁ ମୟୂରଭଞ୍ଜ ମଧରେ ଦୁଇ ଓ ତିନି ତାରିଖରେ ପ୍ରବଳ ବର୍ଷା ହେବ। ତିନିରୁ ଚାରି ତାରିଖ ମଧରେ ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ଦୁଇରୁ ଚାରି ତାରିଖ ମଧ୍ୟରେ ଦିନର ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିବ। ଫଳରେ ସାରା ରାଜ୍ୟରେ କୋହଲା ପାଗ ଜାରି ରହିବ।

ସେହିପରି ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ୧ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବ। ୨ ଓ ୩ ତାରିଖରେ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ଅଛି। କିନ୍ତୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ କମ୍‌ ରହିବ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଜି ବାଲେଶ୍ବରରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ଥିବା ବେଳେ ଚାନ୍ଦବାଲିରେ ୧୦.୨, କଟକରେ ୮.୮, ପାରାଦୀପରେ ୧୨.୮, ଭୁବନେଶ୍ବରରେ ୧୦.୨, ଗୋପାଳପୁରରେ ୧୨.୭ଡିଗ୍ରି, ପୁରୀରେ ୧୨, ବାରିପଦାରେ ୯, ଝାରସୁଗୁଡ଼ାରେ ୭.୩, କେନ୍ଦୁଝରରେ ୬.୬, ସମ୍ବଲପୁରରେ ୭.୪, ସୁନ୍ଦରଗଡ଼ରେ ୯, ହୀରାକୁଦରେ ୧୦.୧, ତାଳଚେରରେ ୧୦.୨, ଭବାନୀପାଟଣାରେ ୬.୫, ବଲାଙ୍ଗୀରରେ ୮, କୋରାପୁଟରେ ୯.୬, ଟିଟିଲାଗଡ଼ରେ ୬.୧, ମାଲକାନଗିରିରେ ୧୮.୨ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର