ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗିରହିବ ପ୍ରବଳ ଥଣ୍ଡା : ୨୩ରୁ ସାମାନ୍ୟ କମିବ, ୨୬ରୁ ପୁଣି ବଢ଼ିବ

ଭୁବନେଶ୍ବର : ଆସନ୍ତା ୨୧ ଓ ୨୨ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଲାଗିରହିବ। ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ସ୍ଥାନେ ସ୍ଥାନେ ପାରଦ ୫ ଡିଗ୍ରି ତଳକୁ ଖସି ଆସିବାର ସମ୍ଭାବନା ରହିଛି। ୨୧ ତାରିଖ‌ରେ ବାଲେଶ୍ବର ଓ ଅନୁଗୁଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ୨୨ ତାରିଖରେ ଉକ୍ତ ଦୁଇ ଜିଲ୍ଲା ସମେତ କଟକ, ନୟାଗଡ଼, ଭଦ୍ରକ, ଢେଙ୍କାନାଳ ଓ ମୟୂରଭଞ୍ଜରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ। ତାହାକୁ ଦୃଷ୍ଟିରେ ରଖି ଉପରୋକ୍ତ ୭ଟି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି।

ତେବେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ରବିବାରଠାରୁ ଥଣ୍ଡା କମିବ। ସେ କହିଛନ୍ତି ଯେ ଆଜି ରାଜ୍ୟକୁ ଥଣ୍ଡା ଉତ୍ତରା ପବନ ସିଧା ବୋହୁଥିବାରୁ କିଛି ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଥିଲା। ଶନିବାର ରାତିଠାରୁ ପବନ ପ୍ରବାହରେ ପରିବର୍ତନ ହେବା ଫଳରେ ଥଣ୍ଡା କମିବ।

ଅନୁମାନ କରାଯାଉଛି ଯେ ୨୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶା, ୨୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ପାରଦ ୩ ଡିଗ୍ରିରୁ ଅଧିକ ବଢ଼ିବାର ସମ୍ଭାବନା ରହିଛି। ତେବେ ୨୫ ତାରିଖ ବେଳକୁ ଆରବ ସାଗରୀୟ ପବନ ରାଜ୍ୟକୁ ବହିବା ଆରମ୍ଭ କରିବ। ଏହି ପବନରେ ଅଧିକ ଜଳୀୟ କଣା ରହିବ। ତାହା ଉତ୍ତରା ପବନ ସଂସ୍ପର୍ଶରେ ଆସିବ। ଫଳରେ ପାଗ ମେଘୁଆ, କୁହୁଡ଼ିଆ ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୬ରେ ଉତ୍ତର ଓଡ଼ିଶା, ୨୭ରେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। ୨୫ ତାରିଖ ଦିନ ପଶ୍ଚିମ ଓଡ଼ିଶା, ୨୬ ତାରିଖରେ ଉତ୍ତର ଓଡ଼ିଶା ଏବଂ ୨୭ ତାରିଖ ଦିନ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ପାରଦ ୪ ଡିଗ୍ରି ବା ତା‌’ଠାରୁ ଅଧିକ କମିପାରେ। ଏଥିସହ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ ଓ ଖୋର୍ଧାରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ଘନ କୁହୁଡ଼ି ବଢ଼ିବ। ସମ୍ଭାବ୍ୟ କମ୍‌ ଥଣ୍ଡା, କୁହୁଡ଼ି ଓ ବର୍ଷା ରବି ଫସଲ ପାଇଁ କ୍ଷତିକାରକ ହୋଇପାରେ। ବିରି, ମୁଗ, ଚିନାବାଦାମ, ସୋରିଶ, ସିମ୍ବ ଓ ପନିପରିବାରେ ଜଉ ପୋକ ଓ ପାଉଁଶିଆ ରୋଗ ଲାଗିବାର ସମ୍ଭାବନା ଅଧିକ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ରେକର୍ଡ କରାଯାଇଛି। ମୋଟ ୬ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ୨୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା।

ସମ୍ବନ୍ଧିତ ଖବର