ନୟାଗଡ଼: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଜେଡିରୁ ବହିଷ୍କାର ପରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏଁ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟରେ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ଭୋଟ୍ରେ ଶ୍ରୀ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିଲେ। ଖଣ୍ଡପଡ଼ା, ଭାପୁରରେ ଶ୍ରୀ ପଟ୍ଟନାୟକଙ୍କର ହଜାର ହଜାର ସମର୍ଥକ ରହିଥିବା ବେଳେ, ଭୟରେ ଚତୁତତାର ସହିତ ବିଜେଡି ପ୍ରଶିକ୍ଷଣ ଆଳରେ ସଭିଁଙ୍କୁ ଭୁବନେଶ୍ବର ନେଇଯାଇଥିବା ବେଳେ, ଏପଟେ ସୌମ୍ୟରଞ୍ଜନଙ୍କୁ ବହିଷ୍କାର କରିଥିବା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର୍ ଧରିଛି।
ରାଜ୍ୟରେ ଜନପ୍ରତିନିଧି ଥିବା ବେଳେ ଜଣେ ସଚିବ ସର୍ବେସର୍ବୋ ପାଲଟିବା, ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇବା କ’ଣ ଭୁଲ୍ ବୋଲି ବିଜେପି ନେତା ସନ୍ତୋଷ ପ୍ରଧାନ ପ୍ରଶ୍ନ କରିଛନ୍ତି। ପ୍ରଥମେ ଚକ୍ରାନ୍ତ କରି ‘ସମ୍ବାଦ’କୁ ବିଜ୍ଞାପନ ବନ୍ଦ, ଏହା ପରେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଳରେ ‘ସମ୍ବାଦ’ ଉପରେ ଇଓଡବ୍ଲ୍ୟୁ ଚଢ଼ଉ, ସୌମ୍ୟରଞ୍ଜନଙ୍କୁ ଜନବିରୋଧୀ ଆଖ୍ୟା ଦେଇ ଦଳରୁ ବହିଷ୍କାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ କହିଛନ୍ତି, ରାଜ୍ୟରେ ବିଜୁ ଜନତା ଦଳର କିଛି ନୀତି ନଥିବା ସୌମ୍ୟରଞ୍ଜନଙ୍କୁ ବହିଷ୍କାର ପରେ ପ୍ରମାଣିତ ହୋଇଛି। ବିଜେଡିରେ ଗଣତନ୍ତ୍ର ପ୍ରତି ସମ୍ମାନ ନାହିଁ। ବିଜେଡିର କାର୍ପଟଦାରମାନେ ଜଣେ ସଚିବ ହାତକୁ ରାଜ୍ୟର ଶାସନ ଭାର ଟେକି ଦେଇଥିବା ବେଳେ, ଏନେଇ ସମ୍ପାଦକ ହିସାବରେ ଶ୍ରୀ ପଟ୍ଟନାୟକ କଲମ ଚଳାଇବା କ’ଣ ଭୁଲ୍ ବୋଲି ଆଇନଜୀବୀ ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ କହିଛନ୍ତି। ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ରେ ସୌମ୍ୟରଞ୍ଜନଙ୍କୁ ଜନବିରୋଧୀ ଦର୍ଶାଯାଇଥିବା ବେଳେ, ପ୍ରାୟୋଜିତ ଇଓଡବ୍ଳ୍ୟୁ ମାମଲା ଆଳ ଦେଖାଯାଇଛି। ରାଜ୍ୟରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଶ୍ରୀକାନ୍ତ ସାହୁ, ସୁଧାଂଶୁ ମେହେରଙ୍କ ଭଳି ବିଜେଡିର ବହୁ ବିଧାୟକଙ୍କ ବିରୋଧରେ ସଙ୍ଗିନ ଅପରାଧରେ ମାମଲା ରହିଛି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାନଯାଇ, ସୌମ୍ୟରଞ୍ଜନଙ୍କୁ ବହିଷ୍କାର କରିବା ଉଦ୍ଦେଶ୍ୟମୂଳକ, ଇଓଡବ୍ଲୟୁ ଚଢ଼ଉ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀ ଦାଶ କହିଛନ୍ତି। ଓଡ଼ିଶାରେ ରକ୍ତଦାନଠାରୁ ଆରମ୍ଭ କରି ଭାଷା, ସାହିତ୍ୟର ସମୃଦ୍ଧି ପାଇଁ ସୌମ୍ୟରଞ୍ଜନ ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କୁ ଜନବିରୋଧୀ କହିବା ହାସ୍ୟାସ୍ପଦ।
ଗଣମାଧ୍ୟମର କଣ୍ଠରୋଧ କରିଛି ନବୀନ ସରକାର। ରାଜ୍ୟରେ ଏଭଳି ତାଲିବାନୀ ଶାସନକୁ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଦେଖୁଛନ୍ତି, ସେମାନେ ଏହାର ଜବାବ ଦେବେ ବୋଲି ଶ୍ରୀ ଦାଶ କହିଛନ୍ତି। ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ଭୀମସେନ ସେଠୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘‘ସୌମ୍ୟ ବାବୁ ଜଣେ ସ୍ବାଭିମାନୀ ଲୋକ। ସେ ଯାହା କହିଛନ୍ତି କିଛି ଭୁଲ୍ କହିନାହାନ୍ତି। ଏଠି କିନ୍ତୁ ଯିଏ ସତ କହିଲା ସିଏ ଶତ୍ରୁ ହେଲା, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ।’’ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଯେଉଁମାନେ ଜନବିରୋଧୀ କହୁଛନ୍ତି, ସେମାନେ କେବଳ ପ୍ରତିଶୋଧପରାୟଣ ହୋଇ ଏଭଳି ମନ୍ତବ୍ୟ ଦେଉଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରି ସତ୍ୟକୁ ଚାପି ଦେବା ପାଇଁ ପ୍ରୟାସ କରାଯାଉଥିବା ନୂଆଗାଁ ବ୍ଲକ୍ କଂଗ୍ରେସ ସଭାପତି ଅଶୋକ କୁମାର ନାୟକ କହିଛନ୍ତି।