ଗଣେଶ ପୂଜା ବନ୍ଦ କରିବାକୁ କେନ୍ଦ୍ର କରି ଚୌଧୁରୀ ଟିକରପଡ଼ାରେ ତୀବ୍ର ଉତ୍ତେଜନା

ଚିକିଟି : ଗଣେଶ ପୂଜାମଣ୍ଡପକୁ ବନ୍ଦ କରିବାକୁ କେନ୍ଦ୍ର କରି ଦିଗପହଣ୍ଡି ବ୍ଲକ କେ,ନୂଆ ଗାଁ ଥାନା ଅର୍ନ୍ତଗତ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ଦିଗପହଣ୍ଡି ତହସିଲଦାର ‌ଅଦ୍ବୈତ ପ୍ରସାଦ ସ୍ବାଇଁଙ୍କୁ ଘେରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି। ଏପରିକି ଲୋକଙ୍କ ସଂଘବଦ୍ଧ ଆକ୍ରମଣରୁ ତହସିଲଦାର ଅଳ୍ପକେରୁ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟି ଚୌଧୁରୀ ଟିକରପଡ଼ା ଗାଁରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ କରି ଗଣେଶପୂଜା ମଣ୍ଡପ କରାଯାଇ ପୂଜା କରାଯାଉଥିଲା। ଏହା ସହିତ ରାତି ଯାଏଁ ବିଭିନ୍ନ ଦୋକାନ ବଜାର ଖୋଲା ରହିଥିଲା। ଅଭିଯୋଗ ପାଇ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ଵାଇଁ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଏବଂ ନୂଆପଡ଼ା ଫାଣ୍ଡି ପୁଲିସ ସହ ଗାଁରେ ପହଞ୍ଚି ମେଢ଼ ମଣ୍ଡପରେ ପୂଜା ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ ଦୋକାନ ବଜାର ବନ୍ଦ କରିଥିଲେ। ପଞ୍ଚସୂତ୍ର ନିୟମ ନ ମାନି ଖୋଲିଥିବା ୨ଟି ରାସନ ଦୋକାନକୁ ସିଲ୍ କରି ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଖବର ପାଇ ବହୁ ସଂଖ୍ୟାରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଗାଁ ନଦୀ ପଠାରୁ ବେଆଇନ ବାଲି ଚାଲାଣ , ବେଧଡକ ଜୁଆ ଖେଳ କାହିଁକି ବନ୍ଦ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ। ଏପରିକି ତହସିଲଦାରଙ୍କୁ ଶନିବାର ସନ୍ଧ୍ୟା ପ୍ରାୟ ୬ ଟାରୁ ରାତି ପ୍ରାୟ ୯ ଟା ଯାଏଁ ଉତ୍ତ୍ୟକ୍ତ ଜନତା ଘେରାଉ କରିଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ସୂଚନା ପାଇ କେ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କୁ ଜଣାଇଥିଲେ। ସେ ଘଟଣା ସ୍ଥଳରେ ଅଧିକ ଫୋର୍ସ ସହ ପହଞ୍ଚିବା ପୂର୍ବରୁ ତହସିଲଦାର କୌଶଳ କ୍ରମେ ଘଟଣା ସ୍ଥଳରୁ ଖସି ଗାଡି ନେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଉତ୍ତ୍ୟକ୍ତ ଲୋକେ ପ୍ରବଳ ଢେଲା ମାଡ କରିଥିଲେ। ଏଥିରେ ଗାଡି ଭାଙ୍ଗିରୁଜି ଯାଇଛି। କିନ୍ତୁ ତହସିଲଦାର ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର