ସ୍ବାସ୍ଥ୍ୟସେବାର ସାଂଘାତିକ ଚିତ୍ର! ୨୪ ଘଣ୍ଟାରେ ୪ ଶିଶୁ ମୃତ

କେନ୍ଦୁଝର ଚିକିତ୍ସାଳୟରେ ପ୍ରବଳ ଉ‌ତ୍ତେଜନା, ପୁଲିସ ଫୋର୍ସ ମୁତୟନ, ୧୮ ଦିନରେ ମଲେଣି ୧୩

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୪ ଘଣ୍ଟାରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ଜଣେ ଓ ରବିବାର ସକାଳେ ଏକକାଳୀନ ତିନିଜଣ ଶିଶୁ ଆଖି ବୁଜିଛନ୍ତି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍‌ପି ଡାକ୍ତରଖାନା ପରିସରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ୧୮ଦିନ ମଧ୍ୟରେ ୧୩ଜଣ ଶିଶୁ ପ୍ରାଣ ହରାଇଥିବାରୁ ସ୍ବାସ୍ଥ୍ୟସେବାର ବିଷମ ଚିତ୍ର ସାମ୍‌ନାକୁ ଆସିଛି।

ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଯୋଡ଼ା ବ୍ଲକ୍‌ର ଦୀପେଶ ନାୟକଙ୍କ କହିବା ଅନୁସାରେ, ଯୋଡ଼ାସ୍ଥିତ ଟିସ୍କୋ ହସ୍ପିଟାଲରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହେବାପରେ ସାମାନ୍ୟ ଅସୁସ୍ଥ ଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୯ଟାବେଳେ ସେ ନବଜାତ ଶିଶୁକୁ ‌ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା। ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ କୌଣସି ଡାକ୍ତର ଚିକିତ୍ସା କରି ନଥିଲେ। ରବିବାର ସକାଳେ ତାଙ୍କ ପୁଅର ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି। ସେହିଭଳି ଯୋଡ଼ା ବ୍ଲକ୍‌ ଗୁରୁଡ଼ା ଗ୍ରାମର ରଂଜିତା ଲୋହାର କେନ୍ଦୁଝର ଡାକ୍ତରଖାନାରେ ଗତ ରବିବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିଛିଦିନ ଶିଶୁଟିର ସ୍ବାସ୍ଥ୍ୟ ଭଲ ଥିଲା। ରବିବାର ସକାଳେ ଏସ୍‌ଏନ୍‌ସିୟୁରେ ଶିଶୁଟି ପ୍ରାଣ ହରାଇଛି। ବାଂଶପାଳ ବ୍ଲକ୍‌ ଉପରଇମିରି ଗ୍ରାମର କାମଦେବ ଦେହୁରୀଙ୍କ ଶିଶୁପୁତ୍ର ୫ ଦିନ ତଳେ ଏଠାରେ ଜନ୍ମ ହୋଇଥିଲା। ରବିବାର ସକାଳେ ତା’ର ମୃତ୍ୟୁ ଘଟିଛି। ସେହିପରି ଚମ୍ପୁଆ ବ୍ଲକ୍‌ ବଡ଼ନଈ ଗ୍ରାମର ଜୟନ୍ତୀ ଚାତମ୍ବାଙ୍କ ପୁଅ ଏକ ଘରୋଇ ଡାକ୍ତରଖାନାରୁ ‌ଆସି ୧୪ ତାରିଖରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

ରବିବାର ସକାଳେ ୪ ଶିଶୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଶିଶୁମାନଙ୍କ ବାପାମା’ ଏବଂ ସଂପର୍କୀୟଙ୍କ ସମେତ ଚିକିତ୍ସିତ ହେଉଥିବା ଶିଶୁଙ୍କ ଅଭିଭାବକମାନେ ହୋ’ହଲ୍ଲା କରିଥିଲେ। ଉତ୍ତେଜନା ବଢ଼ିବାରୁ କେନ୍ଦୁଝର ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁଙ୍କ ନେତୃତ୍ବରେ ପୁଲିସ ଫୋର୍ସ ଆସି ଡାକ୍ତରଖାନାରେ ପହଞ୍ଚିଥିଲେ। ପରେ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ଓ ଅପରାହ୍ନରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଡାକ୍ତରଖାନା ଆସି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଏଡିଏମ୍‌ଓ କିଶୋର ପୃଷ୍ଟି ଗତ ଚବିଶ ଘଣ୍ଟା ମଧ୍ୟରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, କେଉଁ ପରିସ୍ଥିତିରେ ଶିଶୁଙ୍କର ମୃତ୍ୟୁ ହେଲା, ତାହାର ତଦନ୍ତ ଚାଲିଛି। ସେହିପରି ଶିଶୁଙ୍କ ଚିକିତ୍ସା କରୁଥିବା ଡାକ୍ତର ଅଜୟ ମହାନ୍ତି କହିଛନ୍ତି, ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ। ‌ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେପ୍ଟେମ୍ବର ୧ରୁ ୧୮ ତାରିଖ ମଧ୍ୟରେ ମୋଟ୍‌ ୧୨୨ଜଣ ଶିଶୁ ଏଠାରେ ଚିକିତ୍ସିତ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର