ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କଟକ ଆସିଥିଲେ। ମମତା ହେଲିକପ୍ଟରରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବା ପରେ ସେଠାରୁ ଏସ୍ସିବି ମେଡିକାଲ୍କୁ ଯାଇଥିଲେ। ମମତାଙ୍କ ହେଲିକପ୍ଟର ଅବତରଣ ପାଇଁ ରେଭେନ୍ସାର ଫୁଟବଲ୍ ପଡ଼ିଆକୁ ପ୍ରସ୍ତୁତ କରାଯାଇଥିଲା। ଏହି ସମୟରେ ରେଭେନ୍ସାର ୨ ନମ୍ବର ପଡ଼ିଆରେ ସମ୍ବଲପୁର ଓ ଭୁବନେଶ୍ବର ଏ’ ମଧ୍ୟରେ ୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ମ୍ୟାଚ୍ ଚାଲିଥିଲା।
/sambad/media/post_attachments/wp-content/uploads/2023/06/RAVENSHAW-GROUND-2-1-750x430.jpg)
ଫୁଟବଲ୍ ପଡ଼ିଆଠୁ ଯଥେଷ୍ଟ ଦୂରରେ ୨ ନମ୍ବର ପଡ଼ିଆ ଥିଲେ ବି ସୁରକ୍ଷା ଦୃଷ୍ଟିରୁ ପୁଲିସ ଖେଳକୁ ଅଧାରୁ ବନ୍ଦ କରିଦେଇଥିଲା। ସେତେବେଳକୁ ପ୍ରଥମେ ବ୍ୟାଟିଂ କରୁଥିବା ଭୁବନେଶ୍ବର ଏ’ ୪୬ ଓଭରରେ ୮ ୱିକେଟ୍ ବିନିମୟରେ ୨୦୫ ରନ୍ ସଂଗ୍ରହ କରିଥିଲା। ଅପରାହ୍ଣ ସାଢ଼େ ୧ ଟାରୁ ଖେଳକୁ ବନ୍ଦ କରିଦିଆଯାଇଥିଲା ବେଳେ ମମତା ସାଢ଼େ ୨ଟାରେ ରେଭେନ୍ସାରେ ଅବତରଣ କରିଥିଲେ ଏବଂ ସାଢ଼େ ୩ଟାରେ ଫେରିଯାଇଥିଲେ। ଯେଉଁଥି ପାଇଁ ମ୍ୟାଚ୍ ପରିଚାଳନା ଅଧିକାରୀ ଖେଳକୁ ବାତିଲ କରିଦେଇଥିଲେ। ଏହି ମ୍ୟାଚ୍ ସଂରକ୍ଷିତ ଦିନକୁ ଯାଇଥିଲା ବେଳେ ପୁଣି ଥରେ ଟସ୍ ପଡ଼ିବ ବୋଲି ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/RAVENSHAW-GROUND-2.jpg)