ଢେଙ୍କାନାଳ: ଅନ୍ତଃଜିଲ୍ଲା ମୂର୍ତ୍ତି ଚୋର ଦଳକୁ ଧରିଛି ଟାଉନ୍ ଥାନା ପୁଲିସ। ଏହି ଚୋର ଦଳ ଜିଲ୍ଲାର ବିଭିନ୍ନ ମନ୍ଦିର ଏବଂ ଦୋକାନରୁ ରୁପା ଓ ପିତଳ ମୂର୍ତ୍ତି ଚୋରି କରିଥିଲେ। ସେମାନଙ୍କଠାରୁ ରୁପା ଓ ପିତଳର ମୂର୍ତ୍ତି ସହ ବିଭିନ୍ନ ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଢେଙ୍କାନାଳ ସହର, ସଦର ଥାନା ଅଞ୍ଚଳ, ଭୁବନ, କଣ୍ଟାବଣିଆ, ତୁମୁସିଙ୍ଗ, ସୁକିନ୍ଦା ଅଞ୍ଚଳରେ ସେମାନେ ଚୋରି କରିଥିଲେ। ଏହି ଘଟଣାର ୨ ଜଣ ନାବାଳକ ଓ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ପୁଲିସ ଧରିଥିବା ଆଜି ସନ୍ଧ୍ୟାରେ ଟାଉନ୍ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ବିଭୂତି ମହାପାତ୍ର ସୂଚନା ଦେଇଛନ୍ତି।
ଏସ୍ଡିପିଓ ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସଦର ଥାନା ଗୋବିନ୍ଦପୁର ଅଞ୍ଚଳର ବାଲୁଙ୍କେଶ୍ୱର ମନ୍ଦିରରୁ ଗତ ୧୪ ତାରିଖରେ ଠାକୁରଙ୍କ ମୂର୍ତ୍ତି ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ପରେ ସହର ଉପକଣ୍ଠ ଶ୍ୟାମାଚରଣପୁରସ୍ଥିତ ସାଇଗଣେଶ ମନ୍ଦିରରୁ ହୁଣ୍ଡି ଚୋରି ଘଟଣାରେ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଉଭୟ ମାମଲାକୁ କେନ୍ଦ୍ର କରି ସଦର ଥାନା ପୁଲିସ ଏବଂ ଟାଉନ ଥାନା ପୁଲିସ ମିଳିତ ଭାବେ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ଅଞ୍ଚଳରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଢେଙ୍କାନାଳ ଟାଉନ ଥାନା, ସଦର ଥାନା, ଭୁବନ, କଣ୍ଟାବଣିଆ, ତୁମୁସିଙ୍ଗା ଏବଂ ସୁକିନ୍ଦା ଆଦି ଅଞ୍ଚଳରେ ଅଭିଯୁକ୍ତମାନଙ୍କ ନାମରେ ୧୨ଟି ମାମଲା ରହିଛି। ଏହି ଦଳର ମୁଖ୍ୟ ଅଭିଯୁକ୍ତ ମୋଟଙ୍ଗା ଥାନା ନିମିଧା ଅଞ୍ଚଳର ବିଶ୍ୱଜିତ ନାଏକ ଓରଫ ସୁମନକୁ ପ୍ରଥମେ ଗିରଫ କରାଯାଇଥିଲା। ପରେ ସଦର ଥାନା ଅନ୍ତର୍ଗତ ସୋଗରପଶି ଗ୍ରାମର ମାନସ ଷେଣ୍ଢ ଏବଂ ଚୋରି ସାମଗ୍ରୀ କିଣୁଥିବା ରଞ୍ଜିତ କୁମାର ସାହୁ ଓରଫ କାଳିଆକୁ ବଅଁରପାଳଠାରୁ ପୁଲିସ ଗିରଫ କରିଥିଲା। ଏହି ଘଟଣାଗୁଡ଼ିକରେ ଦୁଇଜଣ ନାବାଳକ ସହଯୋଗୀ ଭାବେ ସଂପୃକ୍ତ ଥିବାରୁ ସେମାନଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା। ଗିରଫ ଅଭିଯୁକ୍ତମାନଙ୍କଠାରୁ ପିତଳର ଶିବ ମୂର୍ତ୍ତି, ପାର୍ବତୀ ମୂର୍ତ୍ତି, ସାପ, ବୃଷଭ, ଖଟୁଲି, ପିତଳ ବାସନ, ରୁପା ମୁକୁଟ, ୨ଟି କଟର୍ ମେସିନ୍, ନଗଦ ୧୪୭୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ୍ ଥାନା ଅଧିକାରୀ ପ୍ରଭାତ ସାହୁ, ସଦର ଥାନା ଅଧିକାରୀ ଦୀପକ ଲେଙ୍କା, ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/gjddgjgj.jpg)