ପୁରୀ : ଧରାପଡ଼ିଲା ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ

ମିଳିଲା ୨ କେଜି ସୁନା,୩ କେଜି ରୁପା, ୩ ଲକ୍ଷ ଟଙ୍କା, ବାଇକ୍ ଜବତ

ପୁରୀ/ଡେଲାଙ୍ଗ : ପୁରୀରେ ନୂଆ ଏସ୍‌ପି ଭାବେ ଅଖିଳେଶ୍ବର ସିଂ ଯୋଗଦାନ ପରେ ଏକ ବଡ଼ ସଫଳତା ପୁଲିସକୁ ମିଳିଛି। ଏକ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ ହୋଇଥିବା ବେଳେ ସେମାନଙ୍କ ପାଖରୁ ପ୍ରାୟ ଦୁଇ କେଜି ସୁନା ଅଳଙ୍କାର, ସାଢ଼େ ତିନି କେଜି ରୁପା ଅଳଙ୍କାର, ତିନି ଲକ୍ଷ ୨୫ ହଜାର ଟଙ୍କା, ଏକ ବାଇକ, ଗୋଟିଏ ସାଇକେଲ, ୫ଟି ମୋବାଇଲ୍‌ ଆଦି ଜବତ ସହ ଚାରି ଲୁଟେରା ସମେତ ଜଣେ ବେପାରୀକୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ ଡେଲାଙ୍ଗ, ପିପିଲି ଓ ସତ୍ୟବାଦୀ ଥାନା ଇଲାକାରେ ପ୍ରାୟ ଦଶରୁ ଅଧିକ ମାମଲାରେ ସମ୍ପୃକ୍ତ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ସିଂ କହିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ଏସ୍‌ପି ଶ୍ରୀ ସିଂ କହିଛନ୍ତି, ଗତ ୧୬ ତାରିଖ ବିଳମ୍ବିତ ରାତିରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଅଞ୍ଚଳରେ ରହୁଥିବା ବିଜୟ ବେହେରାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଟଙ୍କା ଓ ଅନ୍ୟାନ୍ୟ ଜିନିଷପତ୍ର ଲୁଟ୍‌ ହୋଇଥିଲା। ଏହାକୁ ନେଇ ବିଜୟଙ୍କ ଅଭିଯୋଗ ଭିତ୍ତିରେ ଡେଲାଙ୍ଗ ଥାନାରେ (ନମ୍ବର-୯୫/୨୦) ଏକ ମାମଲା ରୁଜୁ କରାଯାଇଥିଲା। ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ ଏବଂ ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଏହି ମାମଲାକୁ ଗୁରୁତ୍ବର ସହିତ ନେଇ ତଦନ୍ତ କରିବାରେ ଚାରି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଡେଲାଙ୍ଗ ହୁମରରେ ରହୁଥିବା ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିବାସୀ ରମେଶ ଓରଫ ଲକ୍ଷ୍ମଣ ଦାସ (୪୦) ଓ ହୁମରର ପ୍ରଭାକର ଦାସ (୩୩)କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଲିସ ସନ୍ଦେହ ଘେରକୁ ଆଣିଥିଲା। ସେମାନେ ପୂର୍ବରୁ ୨୦୧୮ ମସିହାରେ ପିପିଲି ଥାନାର ୧୩୧/୧୮ ଓ ୯୯/୧୮ ନମ୍ବର ମାମଲାରେ ସମ୍ପୃକ୍ତ ରହିଥିଲେ। ତେଣୁ ପୁଲିସ ସେମାନଙ୍କୁ ଧରିବା ପରେ ରମେଶର ଚିହ୍ନା ପରିଚୟ ସୁଜନପୁରରେ ରହୁଥିବା ସୁର ଦାସ(୪୫)କୁ ମଧ୍ୟ ପୁଲିସ ସନ୍ଦେହରେ ଧରିନେଇ ପଚରାଉଚରା କରିବାରେ ସେମାନେ ଏହି ମାମଲାରେ ସମ୍ପୃକ୍ତ ରହିଥିବା ଜଣାପଡ଼ିଥିଲା। ଏହା ପରେ ଏହି ମାମଲାରେ ହୁମରର ବାପି ଦାସ (୩୩) ମଧ୍ୟ ସମ୍ପୃକ୍ତ ରହିଥିବା ସେମାନେ କହିବାରୁ ପୁଲିସ ତାକୁ ମଧ୍ୟ ନିଜ ତଦନ୍ତ ପରିସରକୁ ନେଇଥିଲା।

ଏମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ସମସ୍ତ ଚୋରି ସାମଗ୍ରୀ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରର ପି. ଶିବାନୀ ଆଚାରୀ (୨୧) ଜିମାରେ ରଖିଥିବା ସ୍ବୀକାର କରିଥିଲେ। ତେଣୁ ଗତକାଲି ଡେଲାଙ୍ଗ ଥାନା ପୁଲିସ କୁମ୍ଭାରପଡ଼ା ଥାନା ଏବଂ ତାଳବଣିଆ ଥାନା ପୁଲିସର ସହାୟତାରେ ପ୍ରଥମେ ଘୋଡ଼ାବଜାରରେ ଥିବା ଶିବାନୀର ‘ସନ୍ତୋଷୀ ଗୋଲ୍ଡ ୱାର୍କସପ୍‌’ରେ ଚଢ଼ଉ କରିଥିଲେ। ଏହାପରେ ତା’ର ସର୍ବୋଦୟ ନଗର ଆଶ୍ରମ ଛକ ନିକଟରେ ଥିବା ଘରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ଶିବାନୀ ଦୋକାନ ଏବଂ ଘରୁ ପୁଲିସ ୩ ଲକ୍ଷ ୨୫ ହଜାର ୨୦୦ ଟଙ୍କା ଜବତ କରିଥିଲା। ସେହିପରି ପୁଲିସ ଏଠାରୁ ପ୍ରାୟ ଏକ କେଜି ୮୬୪ ଗ୍ରାମ୍‌ ଓଜନର ସୁନା ଅଳଙ୍କାର, ୩ କେଜି ୫୫୭ ଗ୍ରାମ୍‌ ଓଜନର ରୁପା ଅଳଙ୍କାର, ଓଡି-୦୫ଏଏଚ୍‌-୭୩୫୦ ନମ୍ବର ବିଶିଷ୍ଟ ହିରୋ ଗାଡ଼ି, ଗୋଟିଏ ସାଇକେଲ୍‌, ଘର ଭାଙ୍ଗିବା ପାଇଁ ହତିଆର ଏବଂ ୫ଟି ମୋବାଇଲ ଆଦି ଜବତ କରିଥିଲା।

ଏହି ସମସ୍ତ ସୁନାରୁପା ଅଳଙ୍କାର କେବଳ ଡେଲାଙ୍ଗର ବିଜୟଙ୍କ ଘରୁ ନୁହେଁ ଆହୁରି ଅନେକଙ୍କ ଘରେ ପଶି ଲୁଟ୍‌ତରାଜ କରିଥିବା ଅଭିଯୁକ୍ତ ସ୍ବୀକାର କରିଥିଲେ। ଡେଲାଙ୍ଗ ଥାନା ଇଲାକାରେ ୫ଟି ମାମଲା, ସତ୍ୟବାଦୀ ଥାନା ଇଳାକାରେ ତିନିଟି ମାମଲା ଏବଂ ପିପିଲି ଥାନା ଇଲାକାରେ ଦୁଇଟି ମାମଲାରେ ଏମାନେ ସମ୍ପୃକ୍ତ ରହିଥିବା ମଧ୍ୟ ସ୍ବୀକାର କରିଥିଲେ। ତେଣୁ ପୁଲିସ ଏହି ୫ ଜଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଥିବା ଏସ୍‌ପି ଶ୍ରୀ ସିଂ ଗଣମାଧ୍ୟମଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର