୧୯୮ ଦାବି ଉପରେ ତର୍ଜମା

ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ, ସମାଧାନ ପାଇଁ ବାଟ ଖୋଲିଲେ

ଭୁବନେଶ୍ବର : ବିଭିନ୍ନ କର୍ମଚାରୀ ସଂଗଠନର ଦାବି ନେଇ ରାଜ୍ୟ ସରକାର ଗଠନ କରିଥିବା ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ସଚିବାଳୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କମିଟିରେ ଏେବ ସୁଦ୍ଧା ମୋଟ ୧୯୮ଟି ଦାବିପତ୍ର ଦାଖଲ ହୋଇଛି। ଶୁକ୍ରବାର ଅନୁଷ୍ଠିତ କମିଟି ବୈଠକରେ ଆପତ୍ତି, ଅଭିଯୋଗ ଓ ଦାବିପତ୍ର ସମାଧାନ ପାଇଁ ମୋଡାଲିଟିଜ ସ୍ଥିର କରାଯାଇଛି। ଅର୍ଥମନ୍ତ୍ରୀ କହିଥିଲେ, ଯେଉଁ କର୍ମଚାରୀ ସଂଗଠନର ଏକାଧିକ ଦାବିରୁ ସରକାର କିଛି ଦାବି ପୂରଣ କରିଥିଲେ ସେସବୁ ସଂଗଠନର ବାକି ଦାବି ଗୁଡ଼ିକ ଉପରେ ସରକାରଙ୍କ ସହ ପରାମର୍ଶ କରିବା ସହ ଆଇନଗତ ଓ ଆର୍ଥିକ ଦିଗ ଉପରେ କମିଟି ବିଚାର କରିବ। ଏସବୁ ସ୍ଥିର ହେବା ପରେ ସପ୍ତାହକ ପରେ ପୁଣି ଥରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବସିବ ବୋଲି ସ୍ଥିର ହୋଇଛି। ଶୁକ୍ରବାର ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ନୃସିଂହ ସାହୁଙ୍କ ସମେତ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଗିରିଶ ଏସ.ଏନ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଅନ୍ୟତମ ସଦସ୍ୟ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇପାରିନଥିଲେ।

ପ୍ରକାଶଥାଉକି, ନିର୍ବାଚନ ବର୍ଷ ପାଖେଇବାରୁ ବାରମ୍ବାର ବିଭିନ୍ନ ସଂଗଠନମାନଙ୍କର ଦାବି ନେଇ ଆନ୍ଦୋଳନ ଓ ଧାରଣାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ୩ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମ୍ବନ୍ଧିତ ଖବର