ଅନ୍ତର୍ଜାତୀୟ ଆଲୋଚନାଚକ୍ର: ‘ନେପାଳ ଓ ନୀଳାଚଳ’

ପୁରୀ: ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ପୁରୀ ଓ ନେପାଳର ସଂପର୍କ ସୁପ୍ରାଚୀନ କାଳରୁ ପ୍ରତିଷ୍ଠିତ। କଥିତ ଅଛି ଯେ ସୋନପୁରଠାରେ ପାତାଳୀ ହୋଇଥିବା ଶ୍ରୀଜଗନ୍ନାଥଙ୍କର ନବକଳେବର ଓ ପୁନଃପ୍ରତିଷ୍ଠା କାର୍ଯ୍ୟରେ ନେପାଳ ରାଜାଙ୍କର ମହ୍ଵତ୍ତ୍ୱପୂର୍ଣ୍ଣ ଅବଦାନ ଥିଲା। ଶ୍ରୀଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଭାରତୀ ଆଚାର୍ଯ୍ୟ ନାମକ ଜଣେ ସାଧୁ ନେପାଳ ଯାଇ ସେଠାରୁ ଦିବ୍ୟ ଶାଳଗ୍ରାମ ଆଣିଥିଲେ। ପୁରୀର ଗଜପତି ମହାରାଜାଙ୍କ ପରି ନେପାଳ ରାଜାଙ୍କର ମଧ୍ୟ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ଅଧିକାର ଅଛି। ଏହା ବ୍ୟତୀତ ଭାଷା, ସାହିତ୍ୟ, ସଂସ୍କୃତି, ସିଦ୍ଧ-ସାଧନା ପରଂପରା, ଶୈବ ଓ ବୈଷ୍ଣବ ଧର୍ମଧାରା, ଭୈରବ ଉପାସନା, ତୀର୍ଥଯାତ୍ରୀ ପରଂପରା, ରଥଯାତ୍ରା ଆଦି ବିଭିନ୍ନ କ୍ଷେତ୍ରରେ ଏହି ଦୁଇ ହିନ୍ଦୁ ରାଷ୍ଟ୍ର ମଧ୍ୟରେ ଗଭୀର ସଂପର୍କ ରହିଆସିଛି।

ଏହାକୁ ଦୃଷ୍ଟିରେ ରଖି ପ୍ରଥମଥରପାଇଁ ପୁରୀର ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଓ ନେପାଳର ଶ୍ରୀଚୈତନ୍ୟ ସାରସ୍ୱତ ସଭାର ମିଳିତ ଆନୁକୂଲ୍ୟରେ ‘ନେପାଳ ଓ ନୀଳାଚଳ’ ଶୀର୍ଷକ ଏକ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଆଗାମୀ ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ପୁରୀଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ଆଲୋଚନାଚକ୍ରରେ ଉଭୟ ନେପାଳ ଓ ଓଡ଼ିଶାର ଗବେଷକମାନେ ଅଂଶଗ୍ରହଣ କରିବେ। ଏଥିପାଇଁ ଗୋବର୍ଧନ ମଠଠାରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ପ୍ରତିଷ୍ଠାନର ମହାସଚିବ ରବୀନ୍ଦ୍ରନାଥ ପ୍ରତିହାରୀ ଓ ପ୍ରଶାସନ ସଚିବ ପୂର୍ଣ୍ଣଚନ୍ଦ୍ର ଗୋଛିକାରଙ୍କ ସମେତ ଶ୍ରୀ ଦେବପ୍ରସାଦ ଦାଶ ଓ ଡକ୍ଟର ସିଦ୍ଧାର୍ଥ ସାହୁ ଯୋଗ ଦେଇଥିବା ବେଳେ ନେପାଳରୁ ଶ୍ରୀ ଧର୍ମରାଜ ବରାଳ ଓ ଶ୍ରୀପାଦ ରମଣି ପ୍ରଭୁଜୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର