ରାଜ୍ୟସ୍ତରୀୟ ଇଣ୍ଟରସ୍କୁଲ ବ୍ୟାଣ୍ଡ୍‌ ବାଦନ ଓ କଳା ପ୍ରତିଯୋଗିତା

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୧ ସରକାରୀ ବାଳକ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଇଣ୍ଟରସ୍କୁଲ ବ୍ୟାଣ୍ଡ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଜିଲ୍ଲା ଓ ୬ଟି ଜୋନ୍‌ସ୍ତରରୁ ବଛାଯାଇଥିବା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ୮ଟି ବାଳକ ଓ ୩ଟି ବାଳିକା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଥିମଧ୍ୟରୁ ବାଳକ ବିଭାଗରେ କୋରାପୁଟ ଜିଲ୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଓ ବାଳିକା ବିଭାଗରେ ମୟୂରଭଞ୍ଜ ଜିଲ୍ଲା ନିଶାପୋଷି ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ସେମାନେ ଆସନ୍ତା ଡିସେମ୍ବର ୫ରେ ବିହାରରେ ଅନୁଷ୍ଠିତ ହେବାକୁ ଥିବା ଜୋନ୍‌ସ୍ତରୀୟ ପ୍ରତିଯୋଗିତାରେ ଅନ୍ୟ ୬ଟି ରାଜ୍ୟ ସହ ଅଂଶଗ୍ରହଣ କରିବେ। ଜୋନ୍‌ସ୍ତରରେ ଶ୍ରେଷ୍ଠ ବିବେଚିତ ହେଲେ ସେମାନେ ଜାତୀୟସ୍ତରୀୟ ବ୍ୟାଣ୍ଡ୍‌ ବାଦକ ପ୍ରତିଯୋଗିତାରେ ଭାଗନେବେ। ଜାତୀୟସ୍ତରୀୟ ପ୍ରତିଯୋଗିତରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ବାଳକ ଓ ବାଳିକା ବ୍ୟାଣ୍ଡ୍‌ ଦଳ ୨୦୧୯ ଜାନୁଆରି ୨୬ରେ ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା ମିଳିତ ପରେଡ୍‌ରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ଓଡ଼ିଶା ଷ୍ଟେଟ୍‌ ଆର୍ମଡ ପୁଲିସ(ସପ୍ତମ ବାଟାଲିୟନ), ୧୨୦ ଇନ୍‌ଫାଣ୍ଟସ୍‌ ବାଟାଲିୟନ୍‌ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସର ବରିଷ୍ଠ ଅଧିକାରୀମାନେ ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ ବିବେଚିତ ଦଳକୁ ଚୟନ କରିଥିଲେ।

ସେହିପରି ଗତ ଦୁଇ ଦିନ ଧରି ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ‌ଦେଇ କଣ୍ଠ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ନୃତ୍ୟ ଓ ଚିତ୍ରକଳା ବିଭାଗରେ ଏକକ ପ୍ରତିଯୋଗୀ ଭାବେ ଯୋଗଦେଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନର ପ୍ରକଳ୍ପ ନିର୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ କଳା ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ବ୍ଲକ, ଜିଲ୍ଲା ଓ ୬ଟି ଜୋନ୍‌ସ୍ତରରୁ ନିର୍ବାଚିତ ହୋଇ ରାଜ୍ୟସ୍ତରୀୟ କଳା ଉତ୍ସବରେ ଅଂଶଗ୍ରହଣ କରିଥିଲେ। ପ୍ରତି ବିଭାଗରେ ୬ ଜଣ ବାଳକ ଓ ୬ ଜଣ ଲେଖାଏଁ ବାଳିକା ପ୍ରତିଯୋଗୀ ଡିସେମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତରୀୟ କଳା ଉତ୍ସବରେ ରାଜ୍ୟ ତରଫରୁ ପ୍ରତିନିଧିତ୍ବ କରିବେ। କଣ୍ଠ ସଙ୍ଗୀତରେ ଆଦିତ୍ୟ ମହାନ୍ତି, ବିଜୟାଲକ୍ଷ୍ମୀ ରାଉତରାୟ, ଯନ୍ତ୍ର ସଙ୍ଗୀତରେ ଆଶୁତୋଷ ନାୟକ ଓ ସାଗରିକା ଲଗ୍ନ ଲବ୍ଧା ଦାସ, ନୃତ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ସଙ୍ଗୀତା ପ୍ରଧାନ, ଚିତ୍ରକଳାରେ ସନ୍ତୋଷ କୁମାର ସ୍ବାଇଁ ଓ ମୋନାଲିସା ପାଢ଼ୀ ଜାତୀୟସ୍ତରୀୟ କଳା ଉତ୍ସବରେ ଯୋଗଦେବା ପାଇଁ କୃତିତ୍ବ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର