ଚନ୍ଦନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ଅନ୍ତଃରାଜ୍ୟ ସୀମା ବିବାଦ ଥମିବାର ନାଁ ନେଉନି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁରଠାରେ ପୂର୍ବରୁ ଥିବା ବିବାଦ ଆପାତତଃ ଥଣ୍ଡା ପଡ଼ିଥିବା ବେଳେ ଏବେ ବ୍ଲକ୍ ଅଧୀନ ସାହାବାଜିପୁରରେ ପୁଣି ବିବାଦ କଡ଼ ଲେଉଟାଇଛି। ଏଠାରେ ଆଜି ପଶ୍ଚିମବଙ୍ଗ ଅନୁପ୍ରବେଶ ପୂର୍ବକ ଜବରଦଖଲ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସାହାବାଜିପୁର ଉପରୁ ପଶ୍ଚିମବଙ୍ଗର ଲୋଲୁପ ଦୃଷ୍ଟି ହଟୁନି। ପଶ୍ଚିମବଙ୍ଗ ପ୍ରଶାସନ କେତେବେଳେ ଗାଁ ଭିତରକୁ ଧସେଇ ପଶୁଛି ତ କେତେବେଳେ ସୀମାରେ ବେଆଇନ ନିର୍ମାଣ କରୁଛି। ପ୍ରାୟ ୪ ଦଶନ୍ଧିରୁ ଅଧିକ ହେବ ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ପ୍ରାଶାସନିକ ଅଧିକାରୀ କିମ୍ବା ଜନପ୍ରତିନିଧି; କେହି ଗୁରୁତ୍ୱ ଦେଉ ନଥିବାରୁ ପଡ଼ୋଶୀ ରାଜ୍ୟର ଦାଦାଗିରି ବଢ଼ିଚାଲିଛି।
ବିରୋଧ ପରେ ଫେରିଲେ ରାଜସ୍ୱ କର୍ମଚାରୀ
ଶୁକ୍ରବାର ମଧ୍ୟାହ୍ନରେ ପଶ୍ଚିମବଙ୍ଗ ରାଜସ୍ୱ ବିଭାଗ ଓ ଦୀଘା-ଶଙ୍କରପୁର ଉନ୍ନୟନ ବିଭାଗ କର୍ମଚାରୀ ସାହାବାଜିପୁର ଅଞ୍ଚଳରେ ସିମେଣ୍ଟ ଖୁଣ୍ଟ ପୋତି ବେଆଇନ ଜବରଦଖଲ କରୁଥିଲେ। ଖବର ପାଇ ସାଗରସାଥୀ କ୍ଲବ୍ର ମୁଖ୍ୟ ଭଗବାନ ଚନ୍ଦ୍ର ବେହେରା, ସମାଜସେବୀ ବ୍ରଜକିଶୋର ସାମଲ, ହରେକୃଷ୍ଣ ପ୍ରଧାନ, ପ୍ରଦୀପ ବେହେରା, ସୁବଳ ସାମଲ ଓ କିଛି ଗ୍ରାମବାସୀ ପହଞ୍ଚି ବିରୋଧ କରିଥିଲେ। ପ୍ରଶାସନକୁ ଖବର ଦିଆଯାଇଥିଲେ ମଧ୍ୟ କେହି ଆସି ନଥିଲେ। ହେଲେ ଜନଆକ୍ରୋଶକୁ ଦେଖି ପଶ୍ଚିମବଙ୍ଗ ରାଜସ୍ୱ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୋତିଥିବା ଖୁଣ୍ଟକୁ ଉପାଡ଼ି ନେଇ କର୍ମଚାରୀମାନେ ସେଠାରୁ ପଳାଇ ଯାଇଥିଲେ। ଅପରାହ୍ନରେ ଭୋଗରାଇ ତହସିଲଦାର ସୂର୍ଯ୍ୟ ନାୟକଙ୍କ ନିର୍ଦ୍ଦେଶରେ ବାଜିତପୁର ରାଜସ୍ୱ ନିରୀକ୍ଷକ ଓମ୍ପ୍ରକାଶ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି। ସୂଚନାଥାଉକି; ୨୦୨୦ ନଭେମ୍ବର ମାସ ୬ ତାରିଖ ଦିନ ପଶ୍ଚିମବଙ୍ଗ ପ୍ରଶାସନ ସାହାବାଜିପୁର ଗାଁ’କୁ ଜେସିବି ଧରି ଆସିଥିଲା। ଲୋକଙ୍କୁ ଉଚ୍ଛେଦ ସହ ଉନ୍ନୟନମୂଳକ କାମ ପାଇଁ ଉଦ୍ୟମ କରିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ଜୋରଦାର ବିରୋଧ ଯୋଗୁ ପଶ୍ଚିମବଙ୍ଗର ପ୍ରାଶାସନିକ ଅଧିକାରୀ ଓ କର୍ମଚାରୀ କିଛି ଉପାୟ ନପାଇ ଫେରିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/01/kzg0kzBL73DJXZN3viw2.jpg)