ନିର୍ବାଚନ ପାଇଁ ଅନ୍ତଃରାଜ୍ୟ ସମନ୍ବୟ ବୈଠକ : ଯୋଗଦେଲେ ୫ ରାଜ୍ୟର ପୁଲିସ ପ୍ରତିନିଧି

ମାଓ ପ୍ରବଣ, ସୀମାନ୍ତ, ସମୂଦ୍ର କୂଳ ଅଞ୍ଚଳରେ କଡ଼ା ସୁରକ୍ଷା

ଭୁବନେଶ୍ବର : ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଓଡ଼ିଶା ପୁଲିସ ଅଣ୍ଟା ଭିଡ଼ିଛି। ଆଜି ଏନେଇ ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଅନ୍ତଃ ରାଜ୍ୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ସମେତ ଆନ୍ଧ୍ରପ୍ରଦେଶ ଏଡିଜିପି ନଳୀନ୍‌ ପ୍ରଭାତ, ତେଲେଙ୍ଗାନା କୋଥାକୋଟା ଆଇଜିପି ଶ୍ରୀନିବାସ ରେଡ୍ଡୀ, ଛତିଶଗଡ଼ ଡିଆଇଜିପି ଅମରେଶ ମିଶ୍ର, ଝାଡ଼ଖଣ୍ଡ ଡିଆଇଜିପି କୁଲଦୀପ୍‌ ଦ୍ବିବେଦୀ ଏବଂ ପଶ୍ଚିମବଙ୍ଗ ଡିଆଇଜିପି ଦେବେନ୍ଦ୍ର ପ୍ରକାଶ ସିଂ ପ୍ରମୁଖ ଯୋଗଦେଇ ମାଓପ୍ରବଣ ଅଞ୍ଚଳ, ସୀମାନ୍ତବର୍ତ୍ତୀ ଅଞ୍ଚଳ ଓ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦିଗରେ ଆଲୋଚନା କରିଥିଲେ। ବିଶେଷକରି ନିର୍ବାଚନ ସମୟରେ ଯେଭଳି ନିର୍ବାଚନୀ କିମ୍ବା ମାଓ ହିଂସା ଭଳି ପରିସ୍ଥିତି ନ ଉପୁଜେ, ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା।

ନିର୍ବାଚନ ସମୟରେ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମାଓବାଦୀମାନେ ଭୋଟର୍‌ଙ୍କୁ ପ୍ରଭାବିତ କରିବାର ଆଶଙ୍କା ଦେଖାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ଦଳ ବା ସେମାନଙ୍କ ସମର୍ଥକଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥାଆନ୍ତି। ନଚେତ୍‌ ଭୋଟରଙ୍କୁ ଭୟଭୀତ କରାଇ ସେମାନଙ୍କୁ ‌ନିର୍ବାଚନ ବର୍ଜନ ପାଇଁ ଚେତାବନୀ ଦେଇଥା’ନ୍ତି। ‌ଏଥିପ୍ରତି ଦୃଷ୍ଟି ଦେବ‌ା ସହିତ ଯେଉଁମାନେ ମାଓବାଦୀଙ୍କୁ ସହଯୋଗ କରୁଛନ୍ତି, ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି।

ଏହି ବୈଠକରେ ସିଆର୍‌ପିଏ ଆଇଜିପି ଭିତୁଲ କୁମାର, ଗୁଇନ୍ଦା ନିର୍ଦେଶକ ସୁନୀଲ ରୟ, ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି, ଏଡିଜି(ଏସ୍‌ଏପି) ଏମ୍‌କେ ଛାବ୍ରା, ଏଡିଜି(ସିଆଡି) ସନ୍ତୋଷ କୁମାର ଉପାଧ୍ୟାୟ, ଏଡିଜିପି ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ୍‌ସିଆର୍‌ବି ନିର୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ଏଡିଜିପି ଆର୍‌ପି କୋଚେ, ଏଡିଜିପି(ଆଇନ ଶୃଙ୍ଖଳା) ସଞ୍ଜୀବ ପଣ୍ଡା, ଆଇଜି ଗୁଇନ୍ଦା ରାଧାକ୍ରିଷ୍ଣ ଶର୍ମା, ଆଇଜି ସିଆଇଡି ଅରୁଣ ବୋଥ୍ରା, ଆଇଜି ଅମିତାଭ ଠାକୁର, ଆଇଜି ଘନଶ୍ୟାମ ଉପାଧ୍ୟାୟ, ଆଇଜି ଯତୀନ୍ଦ୍ର କୋଏଲ, ଡିଆଇଜି ସତ୍ୟବ୍ରତ ଭୋଇ, ଡିଆଇଜି କବିତା ଜଲାନ, ଡିଆଇଜି ହିମାଂଶୁ କୁମାର ଲାଲ୍, ଯୁଗ୍ମ ଉପନିର୍ଦେଶକ ଏସ୍‌ଆଇବି ପିକେ ସେଠୀ, ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, କମାଣ୍ଡାଣ୍ଟ ଏସ୍‌ଓଜି ଅନିରୁଦ୍ଧ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର