ମହାନଦୀ, ଧାନର ଏମ୍‌ଏସ୍‌ପି ପ୍ରସଙ୍ଗ ଉଠାଇବେ ନବୀନ

ଆଜି ଦ୍ୱାଦଶ ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକ

ଭବନେଶ୍ୱର/ନୂଆଦିଲ୍ଲୀ : ଦ୍ୱାଦଶ ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ବୈଠକରେ ପୋଲାଭରମ୍‌ ଓ ମହାନଦୀ ପ୍ରସଙ୍ଗ ଜୋର୍‌ଦାର୍‌ ଉଠାଇବେ ବୋଲି ନିଜେ ନବୀନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ।

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ବୈଠକରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ, ଅରୁଣ ଜେଟ୍‌ଲି, ନୀତିନ ଗଡ଼କରୀ, ଆଓ୍ଵାର୍‌ ଚନ୍ଦ୍ର ଗେହଲଟଙ୍କ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସଦସ୍ୟ ଭାବେ ଯୋଗ ଦେବେ। ବୈଠକରେ ପୁଞ୍ଛି କମିସନ୍‌ଙ୍କ କେନ୍ଦ୍ର-ରାଜ୍ୟ ସମ୍ପର୍କର ବିଭିନ୍ନ ସୁପାରିସ୍‌ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟଗୁଡ଼ିକର ସ୍ୱତନ୍ତ୍ରତାକୁ ଦୃଢ଼ କରିବା ଦିଗରେ ଏବଂ ରାଜ୍ୟପାଳମାନଙ୍କ ଭୂମିକା ନିର୍ଦ୍ଧାରଣ ଦିଗରେ ପୁଞ୍ଛି କମିସନ୍‌ ଯେଉଁ ସୁପାରିସ୍‌ ଦେଇଥିଲେ, ତାହା ଉପରେ ବିସ୍ତତ ଭାବେ ଆଲୋଚନା ହେବ। କେନ୍ଦ୍ର-ରାଜ୍ୟ ଆର୍ଥିକ ସମ୍ପର୍କ ଉପରେ ମଧ୍ୟ ଆଲୋଚନା କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଛି କମିସନ୍‌ ଦେଇଥିବା ସୁପାରିସ୍‌ ଉପରେ ମଧ୍ୟ ରାଜ୍ୟର ମତ ରଖିବେ। ପଛୁଆ ରାଜ୍ୟଗୁଡ଼ିକୁ ଅଧିକ କେନ୍ଦ୍ରୀୟ ଅର୍ଥ ପ୍ରଦାନ କରି ସେଗୁଡ଼ିକର ମାନବ ସମ୍ବଳ ଓ ଭିତ୍ତିଭୂମି ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ୨୬ ତାରିଖରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏପ୍ରିଲ୍‌ ମାସରେ ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ଏକାଦଶତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାନଦୀ ଜଳବିବାଦ ଓ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ।

ସମ୍ବନ୍ଧିତ ଖବର