ଆନ୍ତଃରାଜ୍ୟ ଠକେଇ ରାକେଟ୍‌ର ମାଷ୍ଟରମାଇଣ୍ଡକୁ କାବୁ କଲା ପୁଲିସ

ବୋରିଗୁମ୍ମା: ଆନ୍ତଃ ରାଜ୍ୟ ଠକେଇ ରାକେଟ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କରିଥିବା ନେଇ ଆଜି ଏକ ପ୍ରେସମିଟି ଯୋଗେ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଏସ୍‌ଡିପିସ ହରେକୃଷ୍ଣ ମାଝୀ। ବଜାର ଦର ଠାରୁ ଅଧା ଟଙ୍କାରେ ସମସ୍ତ ପ୍ରକାର ଘରୋଇ ଉପକରଣ ଯୋଗାଇ ଦେବା ନାରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ରାତି ଅଧିଆ ଚମ୍ପଟ ମାରିଥିବା ରଜା ଟ୍ରେଡ଼ର୍ସର ମାଷ୍ଟରମାଇଣ୍ଡ ଅବଦୁଲ ତାଇଯୁଦ୍ଦୀନକୁ ଗୁରଫ କରିଛି ପୁଲିସ।

୨୦୧୮ ମସିହା ଠାରୁ ବିଭିନ୍ନ ରାଜ୍ୟରରେ ଏହି ରାକେଟ ସକ୍ରିୟ ଥିଲା। ବୋରିଗୁମ୍ମା ସହରର ହାଟପଡାରେ ରଜା ଟ୍ରେଡ଼ର୍ସ ନାମରେ ଏକ ଦୋକାନ ଖୋଲିଥିଲା। ଆଉ ଦୀର୍ଘ ୧୫ ଦିନ ମଧ୍ୟରେ ଅଞ୍ଚଳର ଶହ ଶହ ଗ୍ରାହକଙ୍କୁ ଅଧା ଟଙ୍କାରେ ବହୁ ନାମୀ ଦାମୀ କମ୍ପାନିର ସମସ୍ତ ପ୍ରକାରର ଘରୋଇ ଉପକରଣ ସାମଗ୍ରୀ ନିମନ୍ତେ ଅଗ୍ରୀମ ଟଙ୍କା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ରାତି ଅଧିଆ ଚମ୍ପଟ ମାରିଥିଲା ଏହି ରାକେଟ ଦଳ।

ବୋରିଗୁମ୍ମା ଅଂଚଳର ଆଦି ନାରାୟଣଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଦୋକାନକୁ ସିଲ କରିଥିଲା। ଆଉ ଏହି ଠକେଇର ରାକେଟ କିଛି ଦିନ ହେବ ଛତିଶଗଡ଼ ରାଜ୍ୟ ଶକ୍ତି ସହରରେ ଆପୁଲ ହୋମ୍‌ ନିଡଶ ନାମରେ ଦୋକାନ ଖୋଲି ଏକ ସପ୍ତାହ ଧରି ଲୋକଙ୍କୁ ଠକେଇ କରିବାର ଜାଲ ିଛାଇଥିଲା। ଦୀର୍ଘ ଦୁଇ ବର୍ଷ ହେବଣି ବୋରିଗୁମ୍ମା ପୁଲିସ ଏହି ଠକେଇ ଦଳକୁ ଖୋଜୁଥିଲା।

କୌଣସି ସୂତ୍ରରୁ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଏବଂ ଏସ୍‌ଆଇ ଶ୍ରୀକାନ୍ତ ସାହୁ ସେହି ଦୋକାନରେ ପହଞ୍ଚି ଏହି ଠକେଇ ରାକେଟର ମାଷ୍ଟର ମାଇଣ୍ଡ ଅବଦୁଲ ତାଇଜୁଦ୍ଦୀନକୁ କାବୁ କରିବାରେ ସଫଳ ହୋଇଛି। ଏମିତି କି ଶକ୍ତି ସହରରେ ମଧ୍ୟ ୩୫ ଜଣ ଗ୍ରାହକଙ୍କ ଠାରୁ ୬୩ ହଜାର ଟଙ୍କା ଠକେଇ କରିଥିଲା ଏହି ଦଳ।

ଶକ୍ତି ଅଞ୍ଚଳ ପୁଲିସ ସେସବୁ ଟଙ୍କାକୁ ଜବତ କରି ଗ୍ରାହକଙ୍କୁ ଫେରସ୍ତ କରିଛି। ଆଉ ବୋରିଗୁମ୍ମା ପୁଲିସ ଠକେଇର ମାଷ୍ଟର ମାଇଣ୍ଡକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଛି। ସେପଟେ ବୋରିଗୁମ୍ମା ହାଟପଦା ଠାରେ ଥିବା ଦୋକାନର ସିଲ ଖୋଲି ଭିତରେ ଥିବା ସମସ୍ତ ଘରୋଇ ଉପକରଣର ଏକ ତାଲିକା ପ୍ରସ୍ତୁତ ମଧ୍ୟ କରାଯାଇଥିବା ନେଇ ସୂଚନା ଦେଇଛି ପୁଲିସ। ଅନ୍ୟପଟେ ଏହି ରାକେଟରେ ଅନ୍ୟ ଚାରି ଜଣ ଜଡିତ ଥିବା ବେଳେ ସେମାନଙ୍କୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ। ଗିରଫ ବ୍ୟକ୍ତିଙ୍କ ଠାରୁ ଅନେକ କାଗଜ ପତ୍ର ମଧ୍ୟ ଜବତ କରିଛି ପୁଲିସ।

ସମ୍ବନ୍ଧିତ ଖବର