ମହାନଦୀ ସୁରକ୍ଷା ସଂକ୍ରାନ୍ତ ଆନ୍ତଃରାଜ୍ୟ ବୈଠକ ୨୪ରେ

ସମ୍ବଲପୁର/ରାଉରକେଲା : ଓଡ଼ିଶା ଓ ଛିତିଶଗଡ଼ ମଧ୍ୟରେ ଚଳିତ ଦଶନ୍ଧିର ସବୁଠୁ ବଡ଼ ବିବାଦ ଭାବେ ଉଭା ହୋଇଥିବା ମହାନଦୀ ପ୍ରଣାଳୀର ନିରାପତ୍ତା ଓ ଏହାର ସୁପରିଚାଳନା ନିମନ୍ତେ ଆସନ୍ତା ୨୪ ତାରିଖରେ ଜାତୀୟ ନଦୀବନ୍ଧ ସୁରକ୍ଷା ସଂକ୍ରାନ୍ତ ଆନ୍ତଃରାଜ୍ୟ ସବ୍‌କମିଟି ବୈଠକ ବସିବ। ବୁର୍ଲାସ୍ଥିତ ଅଶୋକ ନିବାସରେ ହେବାକୁ ଥିବା ଏହି ସମନ୍ଵୟ ବୈଠକରେ ଓଡ଼ିଶା ଜଳ ସଂପଦ ବିଭାଗର ଅପର ମହାନଦୀ ଅବବାହିକା (ବେସିନ୍‌)ର ମୁଖ୍ୟଯନ୍ତ୍ରୀ ଏବଂ ଛତିଶଗଡ଼ର ମହାନଦୀ ପ୍ରକଳ୍ପ ଓ ମଣିମାତା ବଙ୍ଗୋ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଦ୍ୱୟ ବିଚାରବିମର୍ଶରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, ଗତ ବର୍ଷ ମେ’ ୨୨ ତାରିଖରେ ଛତିଶଗଡ଼ ରାଜଧାନୀ ରାୟପୁରରେ ସବ୍‌କମିଟିର ନବମ ବୈଠକ ଅନୁଷ୍ଠିତ ହୋଇ ମହାନଦୀ ପ୍ରଣାଳୀର ସୁପରିଚାଳନା ନିମନ୍ତେ କେତେକ ନିଷ୍ପତ୍ତି ନିଆଯାଇଥିଲା। ସେବୁ ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ ଦିନରେ ମହାନଦୀ ପ୍ରଣାଳୀରେ ନିର୍ମିତ ବନ୍ଧ ଏବଂ ଏହାର ଅବବାହିକାର ନିରାପଦ ପରିଚାଳନା ସଂକ୍ରାନ୍ତରେ ସବ୍‌କମିଟିର ୧୦ମ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର