୩୧ରେ ମହାନଦୀ ପାଇଁ ଆନ୍ତଃରାଜ୍ୟ ସବ୍‌କମିଟି ବୈଠକ ପ୍ରସ୍ତାବ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖରେ ବସିପାରେ ବହୁପ୍ରତୀକ୍ଷିତ ମହାନଦୀ ପାଇଁ ଓଡ଼ିଶା-ଛତିଶଗଡ଼ ସବ୍‌-କମିଟି ବୈଠକ। ଏହି ବୈଠକ ଆୟୋଜନର ପ୍ରସ୍ତାବ ସଂପର୍କରେ ବନ୍ଧ ସୁରକ୍ଷା ମୁଖ୍ୟ ଯନ୍ତ୍ରୀ ଓଡ଼ିଶାର ଜଳସଂପଦ ବିଭାଗ ପ୍ରମୁଖ ସଚିବ, ଛତିଶଗଡ଼ ମହାନଦୀ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ଜଣାଇଛନ୍ତିି।

ଆଜି ମୁଖ୍ୟଯନ୍ତ୍ରୀ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମହାନଦୀ ନଦୀ ପ୍ରଣାଳୀ ପାଇଁ ଜାତୀୟ ନଦୀବନ୍ଧ ସୁରକ୍ଷା(ଏନ୍‌ଡିସିଏସ୍‌) ସବ୍‌-କମିଟିର ୧୦ମ ବୈଠକ ଜୁଲାଇ ମାସ ୩୧ ତାରିଖରେ ଆୟୋଜନ କରାଯିବାର ପ୍ରସ୍ତାବ ରହିଛି। ଏହି ବୈଠକ ବୁର୍ଲାର ଅଶୋକ ନିବାସରେ ଆୟୋଜିତ ହେବ। ପ୍ରସ୍ତାବିତ ବୈଠକରେ ଆପାତତଃ ମହାନଦୀର ଉପର ମୁଣ୍ଡ ପାଇଁ ଏଲ୍‌ଏଲ୍‌ସି ମ୍ୟାପ୍‌ ପ୍ରସ୍ତୁତିର ସ୍ଥିତି, ହୀରାକୁଦ ବନ୍ଧର ଉପର ମୁଣ୍ଡରେ ଥିବା ବଡ଼ ବନ୍ଧ, ମଧ୍ୟମ ଜଳଭଣ୍ଡାରର ସ୍ଥିତି, ରବିଶଙ୍କର ଓ ବଙ୍ଗୋ ବନ୍ଧ ନିମନ୍ତେ କାର୍ଯ୍ୟ ଯୋଜନା(ଇଏପି) ହସ୍ତାନ୍ତର, ଛତିଶଗଡ଼ରେ ଥିବା ସମସ୍ତ ବଡ଼ ନଦୀବନ୍ଧ ସଂପର୍କରେ ବିଶ୍ଳେଷଣାତ୍ମକ ରିପୋର୍ଟ, ବୃଷ୍ଟିପାତ, ଜଳସ୍ତର, ପ୍ରବେଶ ଓ ନିଷ୍କାସନ ଜଳସ୍ତର, ବନ୍ୟା ପୂର୍ବାନୁମାନ, ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟରେ ସାଟେଲାଇଟ୍‌ ଫୋନ୍‌ ସ୍ଥାପନ, ଉଭୟ ରାଜ୍ୟର ମାଷ୍ଟରପ୍ଲାନ ଆଦାନପ୍ରଦାନ ଆଦି ନେଇ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ଦର୍ଶାଇଛନ୍ତି। ତେବେ ପ୍ରସ୍ତାବିତ ବୈଠକର ତାରିଖ କିମ୍ବା ସ୍ଥାନ ଚୂଡ଼ାନ୍ତ ହୋଇନାହିଁ। ଏ ନେଇ ଛତିଶଗଡ଼ ମୁଖ୍ୟ ଯନ୍ତ୍ରୀଙ୍କ ଉତ୍ତରକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର