ଶପଥ ନେଲେ ସରପଞ୍ଚ : ଗାଁରେ କରୋନା ପୂରାଇ ଦେବୁନି

ସରପଞ୍ଚଙ୍କ ଉପରେ ଭରସା କଲେ ନବୀନ
ଭିଡିଓ କନଫରେନ୍ସିଂରେ ଯୋଡ଼ିହେଲେ ସରପଞ୍ଚ
ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ସୁନିଶ୍ଚିତ କରିବେ
ପ୍ରତି ପଞ୍ଚାୟତରେ ରହିବେ ନୋଡାଲ ଅଫିସର

ଭୁବନେଶ୍ବର : କରୋନା ମୁକାବିଲା କାର୍ଯ୍ୟରେ ରାଜ୍ୟ ସରକାର ଆଜି ମହାତ୍ମା ଗାନ୍ଧୀଙ୍କ ସୂତ୍ରକୁ ଆପଣାଇଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭି଼ଡ଼ ମୁକାବିଲା କ୍ଷେତ୍ରରେ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେବା ପରେ ଆଜି ରାଜ୍ୟର ୬୭୯୮ ପଞ୍ଚାୟତର ସରପଞ୍ଚଙ୍କ ସହିତ ଆଲୋଚନା କରାଯାଇଥିଲା। ଏହି ସମୟରେ ସରପଞ୍ଚ ଶପଥ ନେଇଛନ୍ତି ଯେ ସେମାନେ ନିଜ ପଞ୍ଚାୟତରେ କରୋନାକୁ ପୂରାଇ ଦେବେନାହିଁ। ଯେଉଁମାନେ ଅନ୍ୟରାଜ୍ୟରୁ ଗାଁକୁ ଆସିବେ, ସେମାନଙ୍କୁ ୧୪ ଦିନ ନିଶ୍ଚିତ ଭାବେ କ୍ବାରାଣ୍ଟିନ୍‌ରେ ରଖିବେ। ସେମାନଙ୍କ ଖାଇବା, ରହିବା ଓ ଚିକିତ୍ସା ଖର୍ଚ୍ଚର ଉଚିତ୍ ବ୍ୟବସ୍ଥା କରିବେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ, ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନରୁ ଏବଂ ସରପଞ୍ଚମାନେ ବ୍ଲକ ଅଫିସ୍‌ରୁ ଭିଡ଼ିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ସରପଞ୍ଚଙ୍କ ଦକ୍ଷତା ଉପରେ ତାଙ୍କର ପୂରା ଭରସା ରହିଛି। ସେମାନେ ଯଦି କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼ାକଡ଼ି ଅନୁପାଳନ କରିବେ, ତେବେ ଗାଁରେ କରୋନା ପଶିପାରିବ ନାହିଁ। ସରପଞ୍ଚମାନଙ୍କୁ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇ ନବୀନ କହିଥିଲେ ଯେ ପୂରା ସରକାର ଓ ସରକାରୀ କଳ ସେମାନଙ୍କ ସହିତ ଏଥିପାଇଁ ସବୁବେଳେ ରହିଛି।

ମୁଖ୍ୟମନ୍ତ୍ରୀ କୋରାପୁଟ ସଦର ବ୍ଲକ, କେନ୍ଦ୍ରାପଡ଼ା ସଦର ବ୍ଲକ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ, ସମ୍ବଲପୁରର ଧାନକଉଡ଼ା ବ୍ଲକ, ବରଗଡ଼ର ବର୍ଦୋଲ ଏବଂ ଭଦ୍ରକର ବାସୁଦେବପୁର ବ୍ଲକର ସରପଞ୍ଚଙ୍କ ସହିତ କଥା ହୋଇଥିଲେ। ସରପଞ୍ଚମାନେ ସେମାନଙ୍କ ପ୍ରସ୍ତୁତି ବିଷୟରେ ମଧ୍ୟ ଜଣାଇଥିଲେ।

ପ଼ଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ େଜନା କହିଥିଲେ ଯେ ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବାସ୍ତବ ପଦକ୍ଷେପକୁ ସବୁ ସ୍ତରରେ ପ୍ରଶଂସା ମିଳୁଛି। ଏଥିପାଇଁ ଓଡ଼ିଶାବାସୀ ଗର୍ବିତ। ସରପଞ୍ଚମାନଙ୍କ ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯେପରି ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି, ତାହା ମଧ୍ୟ ଉଲ୍ଲେଖନୀୟ ପଦକ୍ଷେପ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଫଳରେ ଗ୍ରାମାଞ୍ଚଳରେ ସରପଞ୍ଚମାନେ ହିଁ ଆଗଧାଡ଼ିର େଯାଦ୍ଧା ଭାବେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ କହିଥିଲେ।

ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ପଦକ୍ଷେପ ଯୋଗୁଁ ଓଡ଼ିଶା କରୋନା ମୁକାବିଲାେର ଆଗୁଆ ରହିଛି। ପଞ୍ଚାୟତ ଉପରେ ସରକାରଙ୍କର ଭରସା ରହିଛି। ସେମାନେ ସରକାରଙ୍କ ଭରସାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟସଚିବ ଆଶା ପ୍ରକଟ କରିଥିଲେ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତିକେୟନ୍ ପାଣ୍ଡିଆନ୍ ସରପଞ୍ଚଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ପରାମର୍ଶ ଦେଇଥିଲେ।

ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂହ କହିଥିଲେ ଯେ ଆଗକୁ ଓଡ଼ିଶା ବାହାରୁ ପ୍ରାୟ ପାଞ୍ଚଲକ୍ଷ ଓଡ଼ିଆ ନିଜ ଗ୍ରାମକୁ ଫେରିବେ। ପ୍ରତ୍ୟେକ ସରପଞ୍ଚ ନିଜ ପଞ୍ଚାୟତକୁ ଆସିବାକୁ ଥିବା ଲୋକମାନଙ୍କ ସମ୍ଭାବନାକୁ ଦୃଷ୍ଟିରେ ରଖି ସଙ୍ଗରୋଧ ବ୍ୟବସ୍ଥା କରିବା ଦରକାର। ଏଥିପାଇଁ ସରକାର ୨୪ ତାରିଖ ଦିନ ଏକ ପୋର୍ଟାଲ ଖୋଲିବେ ଓ ରାଜ୍ୟବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ଯେଭଳି ଏହି ପୋର୍ଟାଲରେ ପଞ୍ଜୀକରଣ କରିବେ, ତାହାକୁ ସୁନିଶ୍ଚିତ କରିବା ସରପଞ୍ଚଙ୍କ ଦାୟିତ୍ବ ବୋଲି ପଞ୍ଚାୟତିରାଜ ସଚିବ କହିଥିଲେ। ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡ଼ାଲ ଅଫିସର ରହିବା ସହିତ ବିଡ଼ିଓମାନେ ପ୍ରତି ପଞ୍ଚାୟତ ଲାଗି ଏକ ପାଞ୍ଚଜଣିଆ ଟିମ୍ ଗଠନ କରିବାକୁ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ସଙ୍ଗରୋଧରେ ଯେଉଁମାେନ ରହିବେ, ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସା ସରକାର ବହନ କରିବେ। ଏହି ପ୍ରକ୍ରିୟା ସରିବା ପରେ େସମାନଙ୍କୁ ୨ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର