କରୋନା ରୋକିବାକୁ ଶପଥ ନେଲେ ଓଡ଼ିଶାର ସବୁ ଜିଲ୍ଲାର ସରପଞ୍ଚ

ସରପଞ୍ଚମାନଙ୍କ ସହ ଆଲୋଚନା କରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ମୁକାବିଲା ନେଇ ରାଜ୍ୟର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ସେମାନଙ୍କୁ ମନ୍ତ୍ର ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ସରପଞ୍ଚମାନେ ଗାଁରେ କରୋନାକୁ ପଶେଇ ନ ଦେବାକୁ ଶପଥ ନେଇଛନ୍ତି। ଗାଁରେ ବାହାରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବାକୁ ସରପଞ୍ଚମାନେ ଶପଥ ନେଇଛନ୍ତି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରାଯିବ । କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ ସରପଞ୍ଚମାନେ ଶପଥ ନେଇଛନ୍ତି।

କରୋନାକୁ ରୋକିବା ଲାଗି ସରପଞ୍ଚ, ଓ୍ବାର୍ଡ ମେମ୍ବର୍ ଓ ଆଶାକର୍ମୀଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ନୂଆ ନୂଆ ରଣନୀତିମାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ କରୋନା ମୁକାବିଲା ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତୃଣମୂଳ ସ୍ତରରେ ଯେଭଳି କରୋନାର ଗତିରୋଧ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟର ସମସ୍ତ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେଣୁ କରୋନା ଯୁଦ୍ଧରେ କିଭଳି ନିଜକୁ ସଜାଗ ରଖିବେ ସେନେଇ ଆଜି ସବୁ ସରପଞ୍ଚମାନଙ୍କୁ ମନ୍ତ୍ର ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର