ଇଣ୍ଟରସେପ୍ଟର ମିସାଇଲ ପରୀକ୍ଷା ଆଜି

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପର ୪ନଂ ଲଞ୍ଚ୍‌ ପ୍ୟାଡ୍‌ରୁ ଗୁରୁବାର ଆଡ୍‌ଭାନ୍ସଡ୍‌ ଏୟାର ଡିିଫେନ୍ସ ଇଂଟରସେପ୍ଟର ପରୀକ୍ଷଣ ପାଇଁ ପ୍ରସ୍ତୁତି ସରିଛି। ପାଗ ଅନୁକୂଳ ରହିଲେ ଏହି ପରୀକ୍ଷା ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ କରାଯିବ। ଅବଦୁଲ କାଲାମ ଦ୍ୱୀପରୁ ଏୟାର ଡିଫେନ୍ସ ଇଂଟରସେପ୍ଟର ମିସାଇଲର ଏହା ୧୭ତମ ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି। ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ମିସାଇଲର ଉଚ୍ଚତା ୭.୫ ମିଟର ଓ ଗୋଲେଇ ୦.୫ ମିଟର। ଏହା ୧.୨ ଟନ୍‌ ଓଜନର ମାରକଶକ୍ତି ବହନ କରିବାର କ୍ଷମତା ରହିଥିବା ବେଳେ ଏହା ୧ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ୧୨୦ କିମି ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟ ଭେଦକରି ବିଧ୍ୱଂସ କରିପାରିବାର କ୍ଷମତା ରହିଛି। କାଲାମ ଦ୍ୱୀପର ୪ ନମ୍ବର ଲଂଚପ୍ୟାଡ୍‌ରୁ ଇଂଟରସେପ୍ଟର ପରୀକ୍ଷଣର ଠିକ୍‌ ୫ ମିନିଟ୍‌ ପୂର୍ବରୁ ବାଲେଶ୍ୱର ଚାନ୍ଦିପୁର ଘାଟିର ୩ ନମ୍ବର ଲଂଚ ପ୍ୟାଡ୍‌ରୁ ପୃଥ୍ଵୀ ଉତ୍‌କ୍ଷେପଣ କରାଯିବ। ପୃଥ୍ଵୀକୁ ଆଡ୍‌ଭାନ୍ସଡ୍‌ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ୧୨୦ କିମି ଉଚ୍ଚ ଆକାଶ ମାର୍ଗରେ ଲକ୍ଷ୍ୟଭେଦ କରି ବିଧ୍ୱଂସ କରିବାର ଯୋଜନା ରହିଛି। ଏହି ପରୀକ୍ଷଣ ବେଳେ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର