କଳାହାଣ୍ଡିରେ ମକା ଚାଷ ପାଇଁ ଆଗ୍ରହ ବଢୁଛି, ବଜାର ଅପେକ୍ଷାରେ ଚାଷୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଜଳସେଚନର ସୁବିଧା ହେବାପରେ ଧାନଚାଷ ଓ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି। ଧାନ ଉତ୍ପାଦନ ଅଧିକ ଯୋଗୁଁ ଚାଷୀ ମଣ୍ଡିରେ ଅଭାବି ବିକ୍ରିର ଶିକାର ହେଉଛନ୍ତି । ତେଣୁ ବର୍ତ୍ତମାନ ଚାଷୀମାନେ ମକା ଚାଷ ପାଇଁ ଆଗ୍ରହ ଦେଖାଉଥିବା ଜଣାପଡିଛି । କୃଷି ବିଭାଗ ପକ୍ଷରୁ ମଧ୍ୟ ମକା ଚାଷୀ ମାନଙ୍କୁ ଉତ୍ସାହିତ କରି ଚଳିତ ବର୍ଷ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ମକା ଉତ୍ପାଦନ ଧାର୍ଯ୍ୟ ରଖାଯାଇଛି । ମକା ଉତ୍ପାଦନ ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟ ସରକାର ମକା ମଣ୍ଡି ଖୋଲିବାକୁ ସାଧାରଣରେ ଦାବୀ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଦିନ ଥିଲା ଜଳସେଚନ ଅଭାବ ଯୋଗୁଁ ଚାଷୀମାନେ ଦୋ ଫସଲି ଧାନ ଚାଷ କରିବାକୁ ମଙ୍ଗୁ ନଥିଲେ । ଧାନର ବିକଳ୍ପ ଭାବରେ ମକା ସମେତ ଅନ୍ୟ ଚାଷ ପ୍ରତି ଆଗ୍ରହ ବଢ଼ୁଥିଲା । ଜିଲ୍ଲାରେ ଇନ୍ଦ୍ରାବତୀ ସମେତ ବିଭିନ୍ନ ଅଞ୍ଚଳରେ ଜଳସେଚନର ସୁବିଧା ଯୋଗୁଁ ଚାଷୀମାନେ କେବଳ ଧାନ ଚାଷ କରିବା ପାଇଁ ଆଗଭର ହୋଇଥିଲେ। ଅଧିକ ଧାନ ଉତ୍ପାଦନ ଯୋଗୁଁ ମଣ୍ଡି ମାନଙ୍କରେ ଚାଷୀମାନେ ଧାନର ଅଭାବି ବିକ୍ରିର ଶିକାର ହେଉଛନ୍ତି । ଅଣ ଜଳସେଚିତ ଅଞ୍ଚଳରେ ଧାନର ଅଭାବି ବିକ୍ରି ପାଇଁ ପୁର୍ନବାର ଧାନ ଚାଷ ପ୍ରତି ବିମୁଖ ହୋଇ ମକା ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି ।

agrifarming.in

ବର୍ତ୍ତମାନ କୋଭିଡ ସମୟରେ ଜିଲ୍ଲାରେ ଚଳିତ ବର୍ଷ ୩ ଲକ୍ଷ କୁଇଣ୍ଟାଲ ମକା ଚାଷ ମକା ଉତ୍ପାଦନ ପାଇଁ କୃଷି ବିଭାଗ ଧାର୍ଯ୍ୟ କରିଛି । ଏଥି ପାଇଁ ରାଜ୍ୟ ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ତରଫରୁ ଜିଲ୍ଲାର ୫ ଟି ବ୍ଲକରେ ଏହି ଯୋଜନାରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । କେସିଙ୍ଗା ବ୍ଲକର ବ୍ରାହ୍ମଣୀ ଓ ଗୋକୁଳେଶ୍ଵର ଗାଁରେ ଏହି ମକା ଚାଷୀମାନେ ହେକ୍ଟର ପିଛା ୩୯ ରୁ ୫୦ କୁଇଣ୍ଟାଲ ଉତ୍ପାଦନ କରିଛନ୍ତି । ଏହି ଗାଁରେ କେସିଙ୍ଗା ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଓ ପରିସଂଖ୍ୟାନ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ମକାର କ୍ରପ କଟିଂ କରାଯାଇଥିଲା । ଏହାର ଭିଡ଼ିଓ ଡକୁମେଣ୍ଟସନ ମଧ୍ୟ କରାଯାଇଥିଲା । ଯାହା ଫଳରେ ମକା ଚାଷ ପାଇଁ ଆଗ୍ରହୀ ଥିବା ଅନ୍ୟ ଚାଷୀମାନେ ମଧ୍ୟ ପ୍ରେରଣା ପାଇବେ । କଳାହାଣ୍ଡି ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ୨୦ ହଜାର ହେକ୍ଟରରେ ମକା ଚାଷ ଡେମୋଷ୍ଟ୍ରେସନ କରାଯାଇଥିଲା । ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ଅଞ୍ଚଳରର ଚାଷୀମାନେ ନିଜ ଉଦ୍ୟମରେ ମଧ୍ୟ ମକା ଚାଷ କରିଛନ୍ତି ।

କେବଳ କୃଷି ବିଭାଗ ଦ୍ଵାରା ହୋଇଥିବା ଚାଷୀମାନଙ୍କ ପାଇଁ ସବସିଡ଼ି ଓ ମାଗଣାରେ ହାଇବ୍ରିଡ଼ ମକା ବିହନ ଏବଂ ରୋଗପୋକ ନିରାକରଣ ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ମକାର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୭୫୦ ଟଙ୍କା ଥିବା ବେଳେ ଗତବର୍ଷ କୁଇଣ୍ଟାଲ ପ୍ରତି ୧୮୦୦ ଟଙ୍କା ରୁ ୨୩୦୦ ଟଙ୍କା ମଧ୍ୟରେ ବିକ୍ରି କରିଥିଲେ । ବର୍ତ୍ତମାନ କୋଭିଡ ସମୟରେ ଧାନ ଛାଡି ମକା ପ୍ରତି ଚାଷୀ ଆଗ୍ରହୀ ହେଉଥିବା ବେଳେ ଅଧିକ ଉତ୍ପାଦନ ଯୋଗୁଁ ଲାଭବାନ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ମକାର ଉତ୍ପାଦନ ଅହେତୁକ ବୃଦ୍ଧି ପାଇଥିବା ଯୋଗୁଁ ପର୍ଯ୍ୟାପ୍ତ ବଜାର ସୁବିଧା ନ ଥିବା ଯୋଗୁଁ ଚାଷୀମାନେ ମକା ମଣ୍ଡି ପାଇଁ ଦାବୀ କରିଛନ୍ତି ।

McCormick

ଓରମାସ, ଓଏଲଏମ୍, ଆରଏମସି ଓ ଆତ୍ମା ପକ୍ଷରୁ ମକା ଚାଷୀ ମାନଙ୍କ ଗୋଷ୍ଠୀ ତିଆରି କରି ପ୍ରଡ୍ୟୁସର କମ୍ପାନୀ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । କଳାହାଣ୍ଡି ମୁଖ୍ୟ କୃଷି ଅଧିକାରୀଙ୍କ ଭେରିଫିକେସନ ସହିତ ସମସ୍ତ ବ୍ଲକରେ ମକା ଚାଷର ଭିଡିଓ ଡ଼କୁମେଣ୍ଟେସନ କରାଯାଉଛି। ଏହା ଦ୍ୱାରା ମକା ଚାଷ ପାଇଁ ଆଗ୍ରହ ଦେଖାଉଥିବା ଚାଷୀମାନେ ଉପକୃତ ହୋଇପାରିବେ । ମକା ଉତ୍ପାଦନ ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟ ସରକାର ମକା ମଣ୍ଡି ଖୋଲିବାକୁ ଚାଷୀ ମହଲ ରେ ଦୃଢ଼ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର