ପ୍ରଧାନମନ୍ତ୍ରୀ ଫସଲ ବୀମା‌ରୁ କମୁଛି ଆଗ୍ରହ, ରାଜ୍ୟର ମାତ୍ର ୩୦% ଚାଷୀ ପଞ୍ଜୀକୃତ

ବର୍ଷତମାମ ସହିଲେ ପ୍ରାକୃତିକ ବିପର୍ଯ୍ୟୟ, ସହାୟତା ପାଇବେ କେମିତି, ଘରୋଇକରଣ ପାଇଁ ଭରସା ହରାଉଛି ଚାଷୀ

ଭୁବନେଶ୍ବର : ଫେବ୍ରୁଆରି ୧୫ ତାରିଖରେ ଫସଲ କ୍ଷୟକ୍ଷତିର ରିପୋର୍ଟ ଆସିବା ପରେ ମାର୍ଚ୍ଚ ୧୫ ତାରିଖରୁ ପ୍ରଧାନମନ୍ତ୍ରୀ ଫସଲ ବୀମାଧାରୀ ଚାଷୀଙ୍କୁ ବୀମା ଟଙ୍କା ମିଳିବ। କିନ୍ତୁ ରାଜ୍ୟରେ ମାତ୍ର ୩୦% ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା‌ରେ ଅନ୍ତର୍ଭୁକ୍ତ ହୋଇଥିବାରୁ ବହୁ ଚାଷୀ କେନ୍ଦ୍ର ସରକାରଙ୍କ ଏହି ସୁବିଧାରୁ ବଞ୍ଚିତ ରହିଯିବେ। ଚଳିତବର୍ଷ ରାଜ୍ୟରେ ଅଦିନିଆ ବର୍ଷା, ଠିକ୍ ସମୟରେ ସାର ଓ ବିହନ ନ ମିଳିବା, ବାତ୍ୟା ଜୱାଦ ଜନିତ ବର୍ଷା ଯୋଗୁଁ ଓଡ଼ିଶାର ଚାଷୀମାନେ ବହୁ କ୍ଷତି ସହିଛନ୍ତି। କିନ୍ତୁ ରାଜ୍ୟର ସିଂହଭାଗ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା‌ରେ ପଂଜୀକୃତ ହୋଇ ନଥିବାରୁ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ। ପ୍ରଧାନମନ୍ତ୍ରୀ ଫସଲ ବୀମାର ଦାୟିତ୍ବଭାର ଘରୋଇ ସଂସ୍ଥା ହାତକୁ ଚାଲିଯିବା ଫଳରେ ଏହି ଅବ୍ୟବସ୍ଥା ଦେଖାଦେଇଥିବା ଚାଷୀମହଲରେ ଅଭିଯୋଗ ହୋଇଛି।

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧ ଖରିଫରେ ରାଜ୍ୟରେ ୧୧ଲକ୍ଷ ୮୭ହଜାର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ପଞ୍ଜୀକୃତ ହୋଇଛନ୍ତି। ୨୦୨୦ ମସିହାରେ ଏହି ସଂଖ୍ୟା ୧୫ ଲକ୍ଷ ୮୧ହଜାର, ୨୦୧୯ ମସିହାରେ ୧୭ଲକ୍ଷ ଥିଲା। ଅର୍ଥାତ୍‌ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ଚାଷୀଙ୍କ ଆଗ୍ରହ କମିବାରେ ଲାଗିଛି। ଏହି ବୀମା ବାବଦରେ ଚାଷୀ ଲକ୍ଷାଧିକ ଟଙ୍କା ପାଇଥାଆନ୍ତି। ଏହା ସତ୍ତ୍ବେ କାହିଁକି ସେମାନଙ୍କ ଆଗ୍ରହ କମୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Patrika

ପୂର୍ବରୁ ଥିବା ଜାତୀୟ କୃଷି ବୀମା ଯୋଜନା ଏବଂ ରୂପାନ୍ତରିତ କୃଷି ବୀମା ଯୋଜନାକୁ ବଦଳାଇ ୨୦୧୬ ଫେବ୍ରୁଆରି ୧୮ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆରମ୍ଭ ହୋଇଥିଲା। ଏହା ଅଧୀନରେ ଖରିଫରେ ୮ ଫସଲ ଯଥା ଧାନ, ଚିନାବାଦାମ, ମକା, ହରଡ଼, ମାଣ୍ଡିଆ, ଅଦା, ହଳଦି, କପା, ରବିରେ ୯ ଫସଲ ଧାନ, ମୁଗ, ବିରି, ସୂର୍ଯ୍ୟମୁଖୀ, ସୋରିଷ, ଆଳୁ, ଆଖୁ, ଚିନାବାଦାମ, ପିଆଜ ଚାଷକୁ ସାମିଲ କରାଯାଇଥିଲା। ବିଭିନ୍ନ କାରଣରୁ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ଏହି ବୀମା ଜରିଆରେ କ୍ଷତିପୂରଣ ତଥା ସହାୟତା ରାଶି ଦିଆଯିବାର ଯୋଜନା ରହିଛି। ପୂର୍ବରୁ ସମବାୟ ସମିତିରୁ ଋଣ ନେଉଥିବା ଚାଷୀଙ୍କୁ ଏହି ବୀମାରେ ସାମିଲ କରାଯାଉଥିଲା। ମାତ୍ର ୨୦୨୦ରୁ ସମବାୟ ସମିତିରୁ ଋଣ ନେଇଥିବା ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ବାଧ୍ୟ ହୋଇ ରହିଲା ନାହିଁ। ଏଥିସହ ବୀମା ଘରୋଇକରଣ ହୋଇ ରିଲାଏନ୍ସ, ଏଚ୍‌ଡିଏଫ୍‌ସି ଏଗ୍ରୋ, ଏଗ୍ରିକଲଚର ଇନସ୍ୟୁରାନ୍ସ କମ୍ପାନି ଭଳି ସଂସ୍ଥାକୁ ବୀମା ଦାୟିତ୍ବ ଦିଆଗଲା। ବୀମାର ଘରୋଇକରଣ ଯୋଗୁଁ ଏହାର ଲାଭ ଚାଷୀଙ୍କୁ ମିଳୁନାହିଁ ଏବଂ ଏଥିପାଇଁ ବାରମ୍ବାର ଚାଷୀଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି ବୋଲି କିଛି କୃଷିବିତ୍‌ କହିଛନ୍ତି।

କୃଷି ବିଭାଗର ସୂଚନାନୁସାରେ, ସଚେତନତା ଅଭାବରୁ ଚାଷୀମାନେ ବୀମା କରୁନାହାନ୍ତି। ବାଧ୍ୟତା ନଥିଲେ ମଧ୍ୟ ଋଣୀ ଚାଷୀ ହିଁ ମୁଖ୍ୟତଃ ବୀମା ପାଇଁ ପଞ୍ଜୀକୃତ ହେଉଛନ୍ତି। ଅଣଋଣୀ ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇ ପାରୁନାହାନ୍ତି। ଅର୍ଥାତ ଚଳିତବର୍ଷ ବୀମା ପାଇଁ ପଞ୍ଜୀକୃତ ୧୧ ଲକ୍ଷ ଚାଷୀଙ୍କ ମଧ୍ୟରୁ ମାତ୍ର ୩ ଲକ୍ଷ ଅଣଋଣୀ ଚାଷୀ ଅଛନ୍ତି। ଏଥିରେ ଅନେକ ସଂଖ୍ୟାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଥାଇପାରନ୍ତି। ଏହାବାଦ୍‌ ରାଜ୍ୟରେ ଏକ ବଡ଼ ଅଂଶ ଭାଗଚାଷୀ ଅଛନ୍ତି। ଯେଉଁମାନେ କ୍ଷତିଗ୍ରସ୍ତ ହେଲେ ମଧ୍ୟ ସିଧାସଳଖ ବୀମାରାଶି ପାଇପାରିବେ ନାହିଁ। ସେମାନଙ୍କୁ ଏଥିରୁ ଲାଭ ମିଳିବ ନାହିଁ। ବର୍ଷତମାମ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ଏଥିମଧ୍ୟରୁ କିଛି ଚାଷୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଇନପୁଟ୍‌ ସବ୍‌ସିଡି କେବଳ ନାମକୁମାତ୍ର। ଏଭଳି ସ୍ଥିତିରେ ବୀମାଭୁକ୍ତ ହୋଇଥିଲେ ସେମାନେ ଭଲ ସହାୟତା ରାଶି ପାଇଥାଆନ୍ତେ। ମାତ୍ର ବୀମା ପ୍ରତି କ୍ରମଶଃ ବିଶ୍ବାସ ହ୍ରାସ ହେଉଥିବାରୁ ମୂଳରୁ ହିଁ ଏହି ସହାୟତା ରାଶିରୁ ବଞ୍ଚିତ ହେବେ।

ସମ୍ବନ୍ଧିତ ଖବର