କଟକ: କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଏଭଳି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି, ଯେଉଁଠି ଯିଏ ବି ଜିତିବେ, ସିଏ ପ୍ରଥମ ଥର ବିଧାନସଭାକୁ ଯିବାର ସୁଯୋଗ ପାଇବେ। ଅର୍ଥାତ ସେହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଧାୟକ ଥିବା ଅଥବା ପୂର୍ବରୁ ବିଧାୟକ ଥିବା କୌଣସି ନେତା ନିର୍ବାଚନ ଲଢୁ ନାହାନ୍ତି। ଯଦିଓ ସେହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ମାନଙ୍କର ପୂର୍ବ ନିର୍ବାଚନ ଲଢିବା ଅଭିଜ୍ଞତା ରହିଛି, କିନ୍ତୁ ସେମାନେ କେବେ ଜିତିବାର ସୌଭାଗ୍ୟ ପାଇ ନାହାନ୍ତି। କଟକ ଜିଲ୍ଲାର ମାହାଙ୍ଗା, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ପାରାଦୀପ, ତିର୍ତ୍ତୋଲ ଓ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି ୫ଟି ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି, କଂଗ୍ରେସ ଭଳି ୩ ପ୍ରମୁଖ ଦଳ କୌଣସି ବିଧାୟକ ଅଥବା ପୂର୍ବତନ ବିଧାୟକଙ୍କୁ ସୁଯୋଗ ଦେଇ ନାହାନ୍ତି। ତେଣୁ ୩ଟି ଜିଲ୍ଲାର ଏହି ସବୁ ନିର୍ବାଚନ ମଣ୍ଡଳୀରେ ଏକପ୍ରକାର ରୋଚକ ଲଢେଇ ହେବାକୁ ଯାଉଛି।
୨ ସାଂସଦ, ୧୧ ବିଧାୟକ, ୨ ପୂର୍ବତନ ସାଂସଦ, ୫ ପୂର୍ବତନ ବିଧାୟକଙ୍କ ଭାଗ୍ୟପରୀକ୍ଷା
ସର୍ବାଧିକ ଥର ବିଜୟ ଲକ୍ଷ୍ୟରେ ରଣେନ୍ଦ୍ର, ପରକୁ ପର ଭର୍ତ୍ତୃହରି, ଦେବୀ ମିଶ୍ର
କଟକ, ଜିଲ୍ଲାର ୧ ଲୋକସଭା, ୯ ବିଧାନସଭା, କେନ୍ଦ୍ରାପଡ଼ାର ୧ ଲୋକସଭା, ୫ ବିଧାନସଭା ଓ ଜଗତସିଂହପୁର ଜିଲ୍ଲାର ୧ ଲୋକସଭା ଓ ୪ ବିଧାନସଭାର ସ୍ଥିତିକୁ ଦେଖିଲେ ମୋଟ ୨୧ଟି କ୍ଷେତ୍ରରେ ୨ ଜଣ ସାଂସଦ, ୨ ଜଣ ପୂର୍ବତନ ସାଂସଦ, ୧୧ ଜଣ ବିଧାୟକ ଓ ୫ ଜଣ ପୂର୍ବତନ ବିଧାୟକ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। କଟକ ଲୋକସଭାରେ ସାଂସଦ ଭର୍ତ୍ତୃହରି ମହତାବ ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପୁଣି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଭାଗ୍ୟ ପରୀକ୍ଷା କରୁଥିବା ଦୁଇ ଜଣ ପୂର୍ବତନ ସାଂସଦ ହେଉଛନ୍ତି ବୈଜୟନ୍ତ ପଣ୍ଡା ଓ ବିଭୂ ପ୍ରସାଦ ତରାଇ। ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବୀପ୍ରସାଦ ମିଶ୍ର, ଡାକ୍ତର ପ୍ରମୋଦ ମଲ୍ଲିକ, ଚନ୍ଦ୍ରସାରଥି ବେହେରା, ପ୍ରଶାନ୍ତ ବେହେରା, ଦେବୀରଂଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ପ୍ରଶାନ୍ତ ମୁଦୁଲି, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ସାହୁ ଓ ପ୍ରତାପ ଦେବ। ଭାଗ୍ୟ ପରୀକ୍ଷା କରୁଥିବା ପୂର୍ବତନ ବିଧାୟକଙ୍କ ମଧ୍ୟରେ ଅଛନ୍ତି ଅଂଶୁମାନ ମହାନ୍ତି, ଗଣେଶ୍ବର ବେହେରା, ସିପ୍ରା ମଲ୍ଳିକ, ଦେବାଶିଷ ପଟ୍ଟନାୟକ, ପ୍ରକାଶ ବେହେରା। ଜଗତସିଂହପୁର ଜିଲ୍ଲାରେ ଏକମାତ୍ର ବିଧାୟକ ଭାବେ ପ୍ରଶାନ୍ତ ମୁଦୁଲିଙ୍କୁ ପୁଣି ଥରେ ଭାଗ୍ୟ ପରୀକ୍ଷା କରିବାର ସୁଯୋଗ ବିଜେଡି ଦେଇଛି।
ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ସର୍ବାଧିକ ୭ଥର ବିଜୟ ହାସଲ କରିଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ୮ମ ବିଜୟ ଲକ୍ଷ୍ୟରେ ଅଛନ୍ତି। ଅନ୍ୟପଟେ ଭର୍ତ୍ତୃହରି ମହତାବ ଓ ଦେବୀପ୍ରସାଦ ମିଶ୍ର ନିଜର ୭ମ ବିଜୟ ଲକ୍ଷ୍ୟରେ ଅଛନ୍ତି। ଅତନୁ ସବ୍ୟସାଚୀ, ପ୍ରତାପ ଦେବଙ୍କ ଭଳି ନେତା ନିଜନିଜର ୫ମ ବିଜୟ ଯୋଜନାରେ ଥିବା ବେଳେ ପ୍ରମୋଦ ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥି ବେହେରାଙ୍କ ଭଳି ନିଜ ନିଜର ଚତୁର୍ଥ ବିଜୟ ଲକ୍ଷ୍ୟରେ ଅଛନ୍ତି। ପ୍ରତିଦ୍ବନ୍ଦ୍ବିତା କରୁଥିବା ଅନ୍ୟ ବିଧାୟକ ଓ ପୂର୍ବତନ ବିଧାୟକମାନେ ନିଜନିଜର ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଅଛନ୍ତି। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଏହି ୩ ଗୁରୁତ୍ବପୂର୍ଣ୍ଣ ଉପକୂଳ ଜିଲ୍ଲାର ରାଜନୀତି ଯେଉଁ ଦିଗରେ ଗତି କରୁଛି, ସେଥିରେ ଅନେକ କ୍ଷେତ୍ରରେ ଅପ୍ରତ୍ୟାଶିତ ଫଳାଫଳ ମିଳିବା ଆକଳନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/bjd-bjp-and-congress.jpg)