ଚିରଂଜୀବୀ କର
କଟକ: ଓଡ଼ିଶାର କିଛି ବେକାର ଯୁବକଯୁବତୀ ଭିଏତନାମ୍, କାମ୍ବୋଡ଼ିଆର ସାଇବର୍ ଅପରାଧୀଙ୍କ ଜାଲରେ ପଡ଼ି ‘ସାଇବର୍ କ୍ରୀତଦାସ’ ଭାବେ ବ୍ୟବହୃତ ହେଉଛନ୍ତି। ଆଇଟି କମ୍ପାନିରେ ଚାକିରି ଦେବାର ଲୋଭ ଦେଖାଇ ସାଇବର୍ ଠକମାନେ ସେଠାକୁ ନେବା ପରେ ସେମାନଙ୍କ ପରିଚୟପତ୍ର ଛଡ଼ାଇ ନେଇଛନ୍ତି। ସେମାନଙ୍କୁ ସାଇବର୍ ଠକଙ୍କ ଦ୍ବାରା ପରିଚାଳିତ କଲ୍ସେଣ୍ଟରରେ ନିୟୋଜିତ କରାଯାଇଛି। ଏହି କଲ୍ସେଣ୍ଟର୍ରେ ସେମାନେ ସାଧାରଣ ଲୋକଙ୍କୁ ଫୋନ୍ କରି କୋଟି କୋଟି ଟଙ୍କା ଠକୁଛନ୍ତି। ଏଭଳି ତଥ୍ୟ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି। ଏହା ଉଭୟ ପୁଲିସ ଓ ଗୁଇନ୍ଦା ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଖାଲି ଓଡ଼ିଶା ନୁହେଁ, କେରଳ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ତେଲେଙ୍ଗାନା, ଦିଲ୍ଲୀ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗର ବେକାର ଯୁବକଯୁବତୀମାନେ ମଧ୍ୟ ବିଦେଶୀ ସାଇବର୍ ଅପରାଧୀଙ୍କ ଜାଲରେ ପଡ଼ି ଘରକୁ ଆଉ ଫେରିପାରୁ ନାହାନ୍ତି।
ଭାରତର ବେକାର ଯୁବକଯୁବତୀଙ୍କୁ ଏସୀୟ ଦେଶ କାମ୍ବୋଡ଼ିଆ, ଥାଇଲାଣ୍ଡ, ଲାଓସ, ମିଆଁମାର ଏବଂ ତାଇୱାନ୍ରେ ଆଇଟି ଚାକିରି ଦେବାକୁ ଫେସ୍ବୁକ୍, ହ୍ବାଟସ୍ଆପ୍ ଓ ଟେଲିଗ୍ରାମ୍ରେ ଏ ସଂକ୍ରାନ୍ତ ବିଜ୍ଞାପନ ପ୍ରକାଶ ପାଉଛି। ଏହାକୁ ଯୋଜନାବଦ୍ଧ ଭାବେ ଛଡ଼ାଯାଉଛି। ଏଥିପାଇଁ ଉତ୍ତରପ୍ରେଦଶ ଓ ବିହାରର
ଏଜେନ୍ସି କାମ କରୁଛି। ଏହି ଏଜେନ୍ସି ମାଧ୍ୟମରେ ସେମାନଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ଉକ୍ତ ଦେଶକୁ ବିମାନ ଯୋଗେ ନିଆଯାଉଛି। ତେବେ ସେଠାରେ ପହଞ୍ଚିବା ପରେ ପାସପୋର୍ଟ ଛଡ଼ାଇ ନିଆଯାଉଛି। ଏହାଦ୍ବାରା ସେମାନଙ୍କ ଭାରତକୁ ଫେରିବା ବାଟ ବନ୍ଦ ହୋଇଯାଉଛି। ପରବର୍ତ୍ତୀ ସମୟରେ ସାଇବର୍ ଠକଙ୍କ କଲ୍ସେଣ୍ଟର୍ରେ ନିୟୋଜିତ କରାଯାଉଛି। ଏହି ଯୁବକ ଯୁବତୀମାନଙ୍କୁ ଭାରତର ଲୋକଙ୍କୁ ଫୋନ୍ କରି ଡିଜିଟାଲ୍ ଆରେଷ୍ଟ, ନିବେଶ ଠକେଇ, କ୍ରିପ୍ଟୋ କରେନ୍ସି ଭଳି ଆଧୁନିକ ସାଇବର୍ ଠକେଇରେ ନିୟୋଜିତ କରାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି। ଏହିଭଳି ଶୋଷଣକୁ କ୍ରାଇମ୍ବ୍ରାଞ୍ଚ ‘ସାଇବର୍ ଦାସତ୍ବ’ ଭାବେ ଅଭିହିତ କରିଛି।
ସାଇବର୍ ଠକଙ୍କ କଲ୍ସେଣ୍ଟର୍ରେ କାମ କରୁଛନ୍ତି
ଆଇଟି ଚାକିରି ଲୋଭରେ ଯାଇ ଫସୁଛନ୍ତି
ପୁଲିସର ତଥ୍ୟ ଅନୁଯାୟୀ, ୨୦୨୨ ଜାନୁଆରିରୁ ୨୦୨୪ ମେ ମଧ୍ୟରେ ୨୯ ହଜାର ୪୬୬ ଭାରତୀୟ ଥାଇଲାଣ୍ଡ, ଭିଏତନାମ୍, ମିଆଁମାର୍, କାମ୍ବୋଡ଼ିଆକୁ ଭିଜିଟର୍ ଭିସାରେ ଯାଇଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କ ବୟସ ୨୦ରୁ ୩୯ ବର୍ଷ ଭିତରେ। ୭୦ ପ୍ରତିଶତ କେବଳ ଥାଇଲାଣ୍ଡରେ ନିଖୋଜ ହୋଇଯାଇଛନ୍ତି। ଅର୍ଥାତ୍ ୨୦ ହଜାର ୪୫୦ ଜଣ ଥାଇଲାଣ୍ଡରେ ନିଖୋଜ ହୋଇଛନ୍ତି। କେବଳ କାମ୍ବୋଡ଼ିଆରେ ୫ ହଜାର ଭାରତୀୟ କଲ୍ସେଣ୍ଟର୍ରେ ନିୟୋଜିତ ହୋଇଛନ୍ତି। ବ୍ରହ୍ମପୁରର ଡକ୍ଟର ଅଶୋକ କୁମାର ବେହେରାଙ୍କୁ ମୁମ୍ବାଇ ସାଇବର୍ କ୍ରାଇମ୍ ଡିଭିଜନ୍ର ପୁଲିସ ଅଫିସର ପରିଚୟରେ ଡିଜିଟାଲ୍ ଆରେଷ୍ଟ କରି ୧ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମ୍ବ୍ରାଞ୍ଚ ୨୦୨୪ ନଭେମ୍ବର ୨୮ରେ ତେଲେଙ୍ଗାନା ନିଜାମାବାଦରେ ଥିବା ୟାଲାମ୍ମାଗୁଟ୍ଟାର ଅବଦୁଲ୍ ସଲିମ୍କୁ ଗିରଫ କରିଥିଲା। ଏହି ଘଟଣାର ଖୋଳତାଡ଼ ସମୟରେ ‘ଡିଜିଟାଲ୍ ଆରେଷ୍ଟ’ ସାମ୍ରାଜ୍ୟର ଗଡ୍ଫାଦର୍ କାମ୍ବୋଡ଼ିଆର ପାର୍ଥ ଗୋପାନିର ଲିଙ୍କ୍ କ୍ରାଇମ୍ବ୍ରାଞ୍ଚକୁ ମିଳିଛି। ପାର୍ଥର ଲିଙ୍କ୍ ଖୋଜୁଖୋଜୁ ‘ସାଇବର୍ କ୍ରୀତଦାସ’ ସମ୍ପର୍କରେ ତଥ୍ୟ ମିଳିଥିଲା। ସେହିଭଳି ୨୦୨୪ ଡିସେମ୍ବର ୩୦ରେ ରାଉରକେଲା ପୁଲିସ ‘ସାଇବର୍ ଦାସତ୍ବ’ ଭଳି କାରବାରରେ ସଂପୃକ୍ତ ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ଏମାନେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ନିକଟରୁ ୬୭ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଥିଲେ। ଏମାନେ କାମ୍ବୋଡ଼ିଆକୁ ଯୁବକ ଯୁବତୀଙ୍କୁ ଚାଲାଣ କରୁଥିବା ମଧ୍ୟ କ୍ରାଇମ୍ବ୍ରାଞ୍ଚ ପ୍ରମାଣ ପାଇଛି। ଦୁଇଟି ଘଟଣାକୁ ଆଧାର କରି କ୍ରାଇମ୍ବ୍ରାଞ୍ଚ କାମ୍ବୋଡ଼ିଆ ଲିଙ୍କ୍ ସମ୍ପର୍କରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି।
ଓଡ଼ିଶା ପୁଲିସ ମୁଖ୍ୟାଳୟର ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କାମ୍ବୋଡ଼ିଆ, ଭିଏତ୍ନାମ୍ରେ ଆଇଟି ଚାକିରି ସଂକ୍ରାନ୍ତ ବିଜ୍ଞାପନ ପ୍ରକାଶ ପାଉଛି। ବେକାର ଯୁବକ ଯୁବତୀମାନେ ଆବେଦନ କରିବା ପରେ ସମ୍ପୃକ୍ତ କମ୍ପାନି ଅଗ୍ରିମ ଦରମା ଦେଉଛି। ଯୁବକଯୁବତୀମାନେ ସେଠାରେ ପହଞ୍ଚିବା ପରେ ସେମାନଙ୍କ ପାସପୋର୍ଟ ଛଡ଼ାଇ ନିଆଯାଉଛି। ସେମାନଙ୍କୁ ସାଇବର୍ ଠକଙ୍କ କଲ୍ସେଣ୍ଟର୍ରେ କାମ କରିବାକୁ ବାଧ୍ୟ କରାଯାଉଛି। ଯେଉଁମାନେ ରାଜି ହେଉ ନାହାନ୍ତି ପାସ୍ପୋର୍ଟ ନଥିବା ଦର୍ଶାଇ ସେଠାକାର ପୁଲିସ ଦ୍ବାରା ଗିରଫ କରାଇବାର ଧମକ ବି ଦେଉଛନ୍ତି। ଅନେକ ଲୋକ ଫେରି ପାରୁ ନ ଥିବା ସମ୍ପୃକ୍ତ ପୁଲିସ ଅଫିସର ନାମ ଗୋପନ ସର୍ତ୍ତରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/03/V06euF87ZSGrI2kil0eZ.jpg)