ଖଣିରୁ କୋଇଲା ପରିବହନରେ ବାଧା

ସୁନ୍ଦରଗଡ଼: ଏମସିଏଲ ଗର୍ଜନବାହାଲ କୋଇଲା ଖଣିରୁ ପରିବହନ ଆଦେଶ (ଡିଓ) ପାଇଥିବା ବ୍ରଜରାଜନଗର ଗାନ୍ଧୀଛକର ଓଡ଼ିଶା ଟ୍ରାନ୍ସପୋର୍ଟ କମ୍ପାନିକୁ କୋଇଲା ପରିବହନ ସହ ସମ୍ପୃକ୍ତ ଅନ୍ୟ ଏକ ପ୍ରଭାବଶାଳୀ ଟ୍ରାନ୍ସପୋର୍ଟର ଗତ ୭ ଦିନ ହେଲା ବାଧା ଦେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମ୍ପୃକ୍ତ ଓଡ଼ିଶା ଟ୍ରାନ୍ସପୋର୍ଟ କମ୍ପାନି ପରିଚାଳକ ପୁଲିସର ଦ୍ବାରସ୍ଥ ହୋଇଛି। ଅଭିଯୋଗ ଅନୁସାରେ, ବ୍ରଜରାଜନଗର ଗାନ୍ଧୀଛକର ଓଡ଼ିଶା ଟ୍ରାନ୍ସପୋର୍ଟ କମ୍ପାନି ଗତ ଅଗଷ୍ଟ ୨ରେ ଏମସିଏଲର ଗର୍ଜନବାହାଲ କୋଇଲା ଖଣି କ୍ଷେତ୍ରରୁ ଛତିଶଗଡ଼ ରାୟଗଡ଼ ସ୍ଥିତ ଜେଏସଡବ୍ଲ୍ୟୁ ଇସ୍ପାତ ଆଣ୍ଡ ସ୍ପେଶାଲ ପ୍ରଡକ୍ଟ କମ୍ପାନିକୁ ୫୦ ହଜାର ଟନ୍ କୋଇଲା ପରିବହନ ଆଦେଶ ପାଇଛି।

କିନ୍ତୁ ଆରମ୍ଭରୁ ସ୍ଥାନୀୟ ଅଞ୍ଚଳର ଜଣେ ଟ୍ରାନ୍ସପୋର୍ଟର କୋଇଲା ପରିବହନକୁ ବାଧା ଦେଇ ଆସୁଛନ୍ତି। ପରିବହନ ସଂଘ ନାମରେ ତାଙ୍କୁ କୋଇଲା ପରିବହନ କରିବାକୁ ଦେଉ ନଥିବା ଅଭିଯୋଗ କରିଛନ୍ତି ଟ୍ରାନ୍ସପୋର୍ଟ ପରିଚାଳକ। ଘଟଣାକ୍ରମରେ ଆଜି କୋଇଲା ପରିବହନ ପାଇଁ ୧୦ରୁ ଅଧିକ ଟ୍ରକ ଖଣି କ୍ଷେତ୍ରକୁ ପହଞ୍ଚିଥିବା ବେଳେ ସମ୍ପୃକ୍ତ ଟ୍ରାନ୍ସପୋର୍ଟର ପକ୍ଷରୁ କିଛି ଲୋକ ଆସି ଧମକଚମକ ଦେଇ ଗାଡ଼ିଗୁଡ଼ିକୁ ଅଟକାଇ ଦେଇଥିଲେ। ନିରୁପାୟ ପରିଚାଳକ ଶେଷକୁ ହେମଗିର ଥାନାକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତଥାପି ସମ୍ପୃକ୍ତ ବ୍ୟକ୍ତିମାନେ ଗାଡ଼ିଗୁଡ଼ିକୁ ଅଟକାଇ ରଖିଥିଲେ। ଶେଷକୁ ଟ୍ରାନ୍ସପୋର୍ଟ ପରିଚାଳକ ହେମଗିର ଥାନାରେ ଏତଲା ଦେବାକୁ ପହଞ୍ଚିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର