କର୍ମକର୍ତ୍ତାଙ୍କ ପାଇଁ ୭୦ ବର୍ଷ ବୟସ ସୀମା ନିୟମ: ହକି ଇଣ୍ଡିଆ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ

ହାଇକୋର୍ଟଙ୍କ ଜବାବ ତଲବ

କଟକ : ହକି ଇଣ୍ଡିଆର ସମସ୍ତ ସଦସ୍ୟ ୟୁନିଟ ଗୁଡିକରେ ନିର୍ବାଚିତ କର୍ମକର୍ତ୍ତା ଓ ବୋର୍ଡ ସଦସ୍ୟଙ୍କ ବୟସ ସୀମା ୭୦ ବର୍ଷ ଧାର୍ଯ୍ୟ ନିଷ୍ପତ୍ତିକୁ ଶକ୍ତ ଧକ୍କା ଲାଗିଛି। ହାଇକୋର୍ଟ ଏହି ପ୍ରସଂଗରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି।

ନିର୍ବାଚିତ କର୍ମକର୍ତ୍ତା ଓ ବୋର୍ଡ ସଦସ୍ୟଙ୍କ ବୟସ ୭୦ ବର୍ଷରୁ କମ୍ ହୋଇଥିବା ନେଇ ହକି ଇଣ୍ଡିଆ ୨୦୧୮, ଜାନୁଆରି ୨୯ରେ ହକି ଓଡ଼ିଶାକୁ ନିର୍ଦ୍ଦେଶ ଦେଇଥିଲା। ହକି ଇଣ୍ଡିଆର ସଦସ୍ୟ ହୋଇ ରହିବା ପାଇଁ ୭୦ ବର୍ଷ ବୟସ ସୀମା ନିୟମାବଳୀ ୩୦ ଦିନ ଭିତରେ କାର୍ଯ୍ୟକାରୀ କରିବା ପାଇଁ ହକି ଓଡ଼ିଶା ସଭାପତି ଓ ସାଧାରଣ ସଂପାଦକଙ୍କୁ ୨୦୨୧, ମାର୍ଚ୍ଚ ୨୪ରେ ଚିଠି ମାଧ୍ୟମରେ କୁହାଯାଇଥିଲା। ହକି ଇଣ୍ଡିଆର ଏପରି ପଦକ୍ଷେପ ବିରୋଧରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାର, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍, ହକି ଇଣ୍ଡିଆ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ହକି ଇଣ୍ଡିଆର ୨୦୧୮, ଜାନୁଆରି ୨୯ ଓ ୨୦୨୧, ମାର୍ଚ୍ଚ ୨୪ର ନିର୍ଦ୍ଦେଶ ଉପରେ ଜୁଲାଇ ୨୮ ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହକି ଓଡ଼ିଶା ଉପସଭାପତି ଉମାକାନ୍ତ ନନ୍ଦଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮କୁ ଧାର୍ଯ୍ୟ କରାଯାଇଛି।

ଅବସରକାଳୀନ ପ୍ରାପ୍ୟ ପ୍ରସଂଗ: ୩ ମାସ ଭିତରେ ନିଷ୍ପତ୍ତି ନେବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ
କଟକ : ସରକାରୀ କର୍ମଚାରୀଙ୍କ ଭଳି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଅବସର ନେଉଥିବା କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପ୍ରସଂଗରେ ତିନି ମାସ ଭିତରେ ବିଚାର କରି ପଦକ୍ଷେପ ଗ୍ରହଣ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଅ‌ାର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋର୍ତମୟ ଗୁପ୍ତ ଓ ପି.ପଦ୍ମାବତୀ ରାଓ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର