କୁଡ଼ୁମି-ଜୁଆଙ୍ଗଙ୍କ ଜମି ବିବାଦର ସାମୟିକ ସମାଧାନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ୍‌ ନଳପଙ୍ଗାଠାରେ କୁଡ଼ୁମି ଏବଂ ଜୁଆଙ୍ଗଙ୍କ ମଧ୍ୟରେ ଲାଗି ରହିଥିବା ଜମି ବିବାଦର ସାମୟିକ ସମାଧାନ ହୋଇଛି। ଆଜି ପୁଲିସ ଫୋର୍ସ ଉପସ୍ଥିତିରେ କୁଡ଼ୁମି ସମ୍ପ୍ରଦାୟର ଜମିପଟ୍ଟାଧାରୀମାନେ ଧାନତଳି ରୋଇଛନ୍ତି। ତଳି ରୋଇବା ବେଳେ କୌଣସି ଆଇନଶୃଙ୍ଖଳା‌ ପରିସ୍ଥିତି ଉପୁଜି ନଥିବା ଜଣାପଡ଼ିଛି।

ହରିଚନ୍ଦନପୁର ତହସିଲ ଅଧୀନ ନଳପଙ୍ଗା ଗ୍ରାମର କୁଡ଼ୁମି ସମ୍ପ୍ରଦାୟଙ୍କ ପଟ୍ଟାଭୁକ୍ତ ଜମିକୁ ଜୁଆଙ୍ଗ ସମ୍ପ୍ରଦାୟ ଜବରଦଖଲ କରି ଚାଷ କରୁଥିଲେ। ଏହାକୁ ନେଇ କୁଡ଼ୁମି ଏବଂ ଜୁଆଙ୍ଗ ସମ୍ପ୍ରଦାୟ ମଧ୍ୟରେ ୨୦୧୪ ମସିହାରୁ ବିବାଦ ଲାଗି ରହିଛି। ଏନେଇ କୁଡ଼ୁମି ସମ୍ପ୍ରଦାୟ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉତ୍ତରାଞ୍ଚଳ ରାଜସ୍ୱ କମିସନର ଏବଂ ଉଚ୍ଚନ୍ୟାୟାଳୟଙ୍କ ପକ୍ଷରୁ ଜମିର ସତ୍ତ୍ବ କୁଡ଼ୁମିଙ୍କ ପାଖରେ ଥିବାରୁ ସେମାନେ ଏହାକୁ ଭୋଗ କରିବା ପାଇଁ ରାୟ ଦେବାସହ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଛନ୍ତି। ଏହାସତ୍ତ୍ୱେ ବିବାଦ ଥମିବାର ନାଁ ଧରୁନଥିଲା। ୨୦୧୮ରେ କୁଡ଼ୁମି ସମ୍ପ୍ରଦାୟଙ୍କ ପକ୍ଷରୁ ହୋଇଥିବା ଖରିଫ ଧାନକୁ ଜୁଆଙ୍ଗମାନେ ଅମଳ କରିବା ପରେ କୁଡ଼ୁମିମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ୮୫୦ ବସ୍ତା ଧାନ ଜବତ କରି ଜଂଘିରା ସମବାୟ ସମିତିରେ ଜମା ରଖିଥିଲା। ଉକ୍ତ ଧାନକୁ ଏପର୍ଯ୍ୟନ୍ତ କୁଡ଼ୁମି ସମ୍ପ୍ରଦାୟଙ୍କୁ ହସ୍ତାନ୍ତର ହୋଇପାରି ନାହିଁ। ସେହିପରି ୨୦୨୧-୨୨ରେ ମଧ୍ୟ କୁଡ଼ୁମିଙ୍କ ଦ୍ବାରା ହୋଇଥିବା ଖରିଫ ଧାନକୁ ଜୁଆଙ୍ଗମାନେ ଜୋର ଜବରଦସ୍ତ ଅମଳ କରିଥିଲେ। ପ୍ରତିବାଦରେ କୁଡ଼ୁମିଙ୍କ ପକ୍ଷରୁ ୮ ସେପ୍ଟେମ୍ବର ୨୦୨୧ରେ ହରିଚନ୍ଦନପୁର ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରାଯାଇଥିଲା। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପରଦିନ ଦରବାର ହଲ୍‌ରେ ଏକ ବୈଠକ ଡାକିଥିଲା। ୧୫ ଜାନୁଆରି ୨୦୨୨ ସୁଦ୍ଧା କୁଡ଼ୁମିଙ୍କ ୬ ଦଫା ଦାବି ପୂରଣ ସହ ସେମାନେ ନିଜ ପଟ୍ଟାଭୁକ୍ତ ଜମିରେ ଚାଷ କରିବେ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରତିଶ୍ରୁତି ଅନୁଯାୟୀ ଜାନୁଆରି ୧୫ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ କୁଡ଼ୁମିଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ଖରିଫ ଚାଷ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ ଥିବାରୁ କୁଡ଼ୁମିଙ୍କୁ ପଟ୍ଟାଭୁକ୍ତ ଜମିରେ ଚାଷପାଇଁ ଅନୁମତି ଦେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଏହାକୁ ବିରୋଧ କରି ଜୁଆଙ୍ଗ ସମ୍ପ୍ରଦାୟ ପକ୍ଷରୁ ନଳପଙ୍ଗା ଗ୍ରାମରେ ଥିବା ସମସ୍ତ ୧୫୦ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ ପ୍ରଥମେ ଚିହ୍ନଟ କରାଯାଉ ବୋଲି ଦାବି କରାଯାଇଥିଲା। ଜୁଆଙ୍ଗଙ୍କ ଦାବି ପରେ ହରିଚନ୍ଦନପୁର, ଘଟଗାଁ ଓ ପାଟଣା ତହସିଲଦାର ଏବଂ ସେମାନଙ୍କ କ୍ଷେତ୍ର କର୍ମଚାରୀମାନେ ନଳପଙ୍ଗା ଗ୍ରାମରେ ଥିବା ସମସ୍ତ ସରକାରୀ ଜମିକୁ ଚିହ୍ନଟ କରିଥିଲେ। ଜମି ଚିହ୍ନଟ ପରେ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଜୁଲାଇ ୨୭ ତାରିଖରେ ଦରବାର ହଲ୍‌ରେ ହରିଚନ୍ଦନପୁର, ଘଟଗାଁ ଓ ପାଟଣା ତହସିଲ କର୍ତ୍ତୃପକ୍ଷ, କୁଡ଼ୁମି ଏବଂ ଜୁଆଙ୍ଗ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ନେଇ ଜମି ସମ୍ପର୍କରେ ଆଲୋଚନା ହୋଇଥିଲା। ଅଦାଲତରେ ବିଚାରାଧୀନ ଥିବା ଜମିକୁ ବାଦ୍‍ ଦେଇ ଅନ୍ୟ ପଟ୍ଟାଭୁକ୍ତ ଜମିରେ କୁଡ଼ୁମିମାନେ ଚାଷ କରିପାରିବେ ବୋଲି ବୈଠକରେ କୁହାଯାଇଥିଲା। ସେହିପରି ଲିଜ୍‍ ଯୋଗ୍ୟ ସରକାରୀ ଜମିକୁ ଜୁଆଙ୍ଗ ସମ୍ପ୍ରଦାୟର ଯୋଗ୍ୟ ହିତାଧିକାରୀଙ୍କୁ ଲିଜ୍‍ ସୂତ୍ରରେ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ବୈଠକରେ ହୋଇଥିବା ଏହି ନିଷ୍ପତ୍ତିକୁ ଉଭୟ ପକ୍ଷ ଗ୍ରହଣ କରିଥିଲେ।

ଆଜି ଘଟଗାଁ ଏବଂ ହରିଚନ୍ଦନପୁର ତହସିଲଦାର, ଜଣେ ଅତିରିକ୍ତ ଏସ୍‌ପି, ୫ଜଣ ଡିଏସ୍‌ପି, ୬ ଜଣ ଇନ୍‌ସପେକ୍ଟର, ୧୫ରୁ ଅଧିକ ପୁଲିସ ଅଧିକାରୀ ଏବଂ ୫ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ କୁଡ଼ୁମି ସମ୍ପ୍ରଦାୟର ଲୋକେ ପଟ୍ଟାଭୁକ୍ତ ୭୨ ଏକର ଜମିରେ ତଳି ରୋଇଛନ୍ତି। ଅନ୍ୟପକ୍ଷରେ କୁଡ଼ୁମି ଗୋଷ୍ଠୀର ଲୋକଙ୍କ ଜବରଦଖଲରେ ଥିବା ପ୍ରାୟ ୯ ଏକର ଜମି ସରକାରୀ ଖାତାକୁ ଫେରିବ ବୋଲି ସୂଚନାମିଳିଛି। ତଳିରୁଆ କାର୍ଯ୍ୟ  ସରିବାକୁ ଆଉ ଦିନେ ଦୁଇଦିନ ସମୟ ଲାଗିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ସମ୍ବନ୍ଧିତ ଖବର