କଟକ: ୧୨ କୋଟି ଟଙ୍କା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଜମା କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି) ୨୦୨୨ ଅକ୍ଟୋବର ୧୪ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହିତ ବିଦୁଭୂଷଣ ହରିଚନ୍ଦନ, ଦିଲ୍ଲୀପ କୁମାର ସାମନ୍ତରାୟ, ଖୋର୍ଦ୍ଧା ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ସମେତ ୧୦ଜଣ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ୨୦୨୩ ଅକ୍ଟୋବର ୪ ପର୍ଯ୍ୟନ୍ତ ଏନଜିଟିଙ୍କ ୨୦୨୨ ଅକ୍ଟୋବର ୧୪ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଓ ଜ‌ଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏନଜିଟିଙ୍କ ୨୦୨୨ ଅକ୍ଟୋବର ୧୪ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଏହି ଆବେଦନ ଦାୟର କରାଯାଇଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ‌ଯେ ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ତଥା ବିପଦପୂର୍ଣ୍ଣ ପଥର ଖନନ ଅଭିଯୋଗକୁ ଏନ୍‌ଜିଟି ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଏହି ସବୁ ଖଣି ଅଞ୍ଚଳର କ୍ଷତିଭରଣା ଓ ସୁଧାର ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ୧୨ କୋଟି ଟଙ୍କା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଜମା କରିବ। ଖନନ କରାଯାଇଥିବା ସ୍ଥାନର କ୍ଷତିଭରଣା ଓ ସ୍ଥିତିରେ ଆବଶ୍ୟକ ସୁଧାର ଆଣିବା ପାଇଁ ଜିଲ୍ଲାପାଳ ଏକ କମିଟି ଗଠନ କରିବେ। ଏଥି ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁସାରେ ଏହି କାର୍ଯ୍ୟ ଚାରି ମାସ ଭିତରେ ଶେଷ କରାଯିବ ବୋଲି ଏନଜିଟି କହିଥିଲେ। ୨୦୨୨, ଅକ୍ଟୋବର ୧୪ର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ସତ୍ୟପାଠ ଖୋର୍ଦ୍ଧା ଜିଲ୍ଲାପାଳ ୨୦୨୩, ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କରିବେ ବୋଲି ଏନଜିଟିଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଏନଜିଟିରେ ମାମଲାର ଶୁଣାଣି ସମୟରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୪୦ଟି ସ୍ଥାନରେ ୫ଶହ ଏକରରୁ ଅଧିକ ଜମିରେ ବେଆଇନ ପଥର ଖନନ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। କେତେକ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ନଥିବା ବେଳେ ଆଉ କେତେକ ନିଲାମ ଦିଆଯାଇ ନଥିଲା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟମାନଙ୍କୁ ନେଇ ଗଠିତ ଯୁଗ୍ମ କମିଟିକୁ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କିତ ରିପୋର୍ଟ ଦାଖଲ ପାଇଁ କୁହାଯାଇଥିଲା। କମିଟି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଖନନ ପରେ ବିପଦପୂର୍ଣ୍ଣ ଅବସ୍ଥାରେ ବହୁ ସ୍ଥାନକୁ ଛାଡି ଦିଆଯାଇଥିଲା। ବେଆଇନ ଖଣି ଖନନ କରାଯାଉଥିବା ଜମିରୁ ଅଧିକାଂଶ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଥିବା ଜଣା ପଡ଼ିଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ଟଙ୍କା ଜମା କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ।