ପୁରୀ: ନୂଆବର୍ଷରେ ଅଧିକ ଭିଡ଼ ହେବ। ତେଣୁ ୨୮ ଓ ୨୯ ତାରିଖରୁ ପରୀକ୍ଷାମୂଳକ ଧାଡ଼ିଦର୍ଶନ ବ୍ୟବସ୍ଥା କରାଯିବ। ଯଦି ତାହା ସଫଳ ହୁଏ, ନୂଆବର୍ଷରୁ ଲାଗୁ କରାଯିବ। ନାଟମଣ୍ଡପ ନୂଆ ଧାଡ଼ିଦର୍ଶନ ଉପରେ ଆଜି ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବିନୀତ ଅଗ୍ରୱାଲ୍ଙ୍କ ସମେତ ଦେଉଳକରଣ, ତଢ଼ଉକରଣ, ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ଇଂରାଜୀ ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହିବ। ଏଣୁ ନୂଆବର୍ଷରେ ନୂଆ ବ୍ୟବସ୍ଥା ଲାଗୁ ନ କରିବାକୁ ପ୍ରସ୍ତାବ ଆସିଥିଲା।
ସେ ଦୃଷ୍ଟିରୁ ଡିସେମ୍ବର ୨୮ ଅବା ୨୯ ତାରିଖରୁ ପରୀକ୍ଷାମୂଳକ ଭାବେ ନାଟମଣ୍ଡପରୁ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା ହୋଇଛି। ଯଦି ଏହା ସଫଳ ହୁଏ ତେବେ ନୂଆବର୍ଷରୁ ନାଟମଣ୍ଡପ ଧାଡ଼ିଦର୍ଶନ ଆରମ୍ଭ କରାଯିବ। କିନ୍ତୁ ସେଥିରେ ଯଦି କିଛି ସମସ୍ୟା ଉପୁଜେ ତେବେ ନୂଆବର୍ଷ ପରେ ପରିବର୍ତ୍ତିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ପରୀକ୍ଷାମୂଳକ ଧାଡ଼ିଦର୍ଶନ ବେଳେ ତ୍ରୁଟିବିଚ୍ୟୁତିକୁ ଅନୁଧ୍ୟାନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏସ୍ପି, କମାଣ୍ଡର ଓ ଅନ୍ୟମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।
ସେହିପରି ନାଟମଣ୍ଡପ ଧାଡ଼ିଦର୍ଶନ ଆରମ୍ଭ ହେଲେ ବି ଭିତରକାଠ ଦର୍ଶନ ବନ୍ଦ ହେବନି। ପୂର୍ବଭଳି ଯେମିତି ନୀତି ଦେଖି ଭିତରକାଠ ଦର୍ଶନ ଜାରି ରହିଛି, ସେହିଭଳି ଦର୍ଶନ ଜାରି ରହିବ। ଭିତର କାଠ ଦର୍ଶନ ବେଳେ ପଣ୍ଡା ଦ୍ବାର ବାଟେ ଭିଆଇପିଙ୍କୁ ଛାଡ଼ିବାକୁ ପ୍ରସ୍ତାବ ଆସିଛି। ଏହା ଉପରେ ବିଚାରବିମର୍ଶ କରାଯାଉଛି। କିନ୍ତୁ ବାହାର କାଠ ଦର୍ଶନ ବେଳେ ଏହି ବ୍ୟବସ୍ଥା ରହିବନି। ସଂପୂର୍ଣ୍ଣ ଦର୍ଶନ ବ୍ୟବସ୍ଥାକୁ ନେଇ ଏକ ଏସ୍ଓପି ପ୍ରସ୍ତୁତ କରାଯାଉଛି। ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ ପରେ ବି ଭକ୍ତମାନେ ପୂର୍ବଭଳି ଚାରିଦ୍ବାର ଦେଇ ପ୍ରବେଶ କରିବେ। କିନ୍ତୁ ସିଂହଦ୍ବାରକୁ ଛାଡ଼ି ତିନିଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଡ.ପାଢ଼ୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/19/GRZ0kZd02dTazPHk6L7r.jpg)