ସିଲ୍‌ ପରେ ବି ଭିତରପଟୁ ସାମଗ୍ରୀ ବିକ୍ରି, ଏନ୍‌ଏସି ପକ୍ଷରୁ ଜରିମାନା ଆଦାୟ

କେସିଙ୍ଗା : କେସିଙ୍ଗାରେ ଅମାନିଆଙ୍କ କୋଭିଡ ନିୟମ ଉଲ୍ଲଂଘନରେ ସୁଧାର ଆସୁନାହିଁ। ରବିବାର ସ୍ଥାନୀୟ ଜୈନ ଭବନ ଗଳିରେ ଭିକ୍ଷୁକ ଜେନେରାଲ ଷ୍ଟୋର୍କୁ‌ ସଟ୍‌ଡାନ୍‌ ଦିନ ଖୋଲିବା ଅଭିଯୋଗରେ ଏନ୍ଏ‌ସି କର୍ତ୍ତୃପକ୍ଷ ସିଲ୍‌ କରିଥିଲେ। ତଥାପି ଏହି ଦୋକାନୀଙ୍କ ମନ ମାନିଲା ନାହିଁ ଯେ ଭିତରପଟୁ ସାମଗ୍ରୀ ଆଣି ରାସ୍ତାରେ ବିକ୍ରି କରୁଥିଲେ। ତେଣୁ ଏନ୍ଏ‌ସି କର୍ତ୍ତୃପକ୍ଷ ଚଢ଼ଉ କରି ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏହି ଦୋକାନୀ ଜଣଙ୍କ ସିଲ୍‌ ପରେ ବି ତାଙ୍କ ଘର ମଧ୍ୟରୁ ଦୋକାନକୁ ରାସ୍ତା ଥିବାରୁ ସେପଟେ ମାଲ୍‌ ବାହାର କରି ସାମଗ୍ରୀ ବିକ୍ରି କରୁଥିଲେ।

ଏଣିକି କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ନାଁରେ ସିଲ୍‌, ଫାଇନ ସହ ଥାନାରେ ଏତଲା ଦିଆଯିବ ବୋଲି ଏନ୍ଏ‌ସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରକାଶ କରିଛନ୍ତି। କେସିଙ୍ଗାରେ କିଛି ଅମାନିଆ ଜାଣିଶୁଣି ନିୟମ ଉଲ୍ଲଂଘନ କରୁଛନ୍ତି। ସେମାନେ ପ୍ରଶାସନର ନଜରରେ ରହିଛନ୍ତି। ଯିଏ ହେଲେ ବି ତାଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହେବାର ନିର୍ଦ୍ଦେଶ ରହିଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। କୋଭିଡ ଚେନ୍‌ ଭାଙ୍ଗିବା ପାଇଁ ସରକାର ବୁଧବାରଠାରୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏଣୁ ସମସ୍ତେ ନିୟମ ମାନି ଘରେ ରହିବା ନେଇ ସରକାର ଅପିଲ କରିଛନ୍ତି। ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ ଯେ ଏହି ସହରରେ କୋରନା ସଂକ୍ରମଣ ବୃଦ୍ଧି ହେଲେ ବି କିଛି ଆସାଧୁ ବ୍ୟବସାୟୀ ନିଜର କାରବାର ଚଳାଇବା ପାଇଁ ଲୁଚାଛପା ବ୍ୟବସାୟ କରୁଛନ୍ତି। ଏମାନଙ୍କ ଏପରି କାର୍ଯ୍ୟ ପାଇଁ ସହର ବଦନାମ ହେଉଛି, ତା ସାଙ୍ଗରେ ସଂକ୍ରମଣ ବି ବୃଦ୍ଧି ହେଉଛି।

ସମ୍ବନ୍ଧିତ ଖବର